ନିମ୍ନ ରୁଚିର ରାଜନୀତି କରୁଛି ମହିଳା ମୋର୍ଚ୍ଚା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅତି ନିମ୍ନ ରୁଚିର ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା । ଓଡ଼ିଶା ବିଜେପିର ମହିଳା ମୋର୍ଚ୍ଚା ଶନିବାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି । ଯାହା ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳାଯାଇଥିବା ସମସ୍ତ ଲଜ୍ଜାଜନକ ରାଜନୀତିରୁ ମଧ୍ୟ କମ୍ । ବିଜେଡି ପକ୍ଷରୁ ଏଭଳି ଅଭିଯୋଗ ଆଣିଛନ୍ତି ଦଳର ପ୍ରବକ୍ତା ଏଲିନା ଦାସ । ଏକ ସାମ୍ବାଦିକ ସମ୍ମିଳନୀରେ ଏଲିନା କହିଛନ୍ତି, ଓଡ଼ିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫ୍ଆଇଆର୍ ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫଆଇଆର୍ ହୋଇପାରିବ ନାହିଁ । ଏହା ଜାଣି ମଧ୍ୟ ସେମାନେ ଶୁକ୍ରବାର ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍ଆଇଆର ଦେଇଛନ୍ତି । ଏଥିରୁ ଜଣାପଡୁଛି କିଏ ଟିଭିରେ ଅଧିକ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି ବୋଲି ଏଲିନା କହିଛନ୍ତି ।
ସେହିପରି ଦଳର ଅନ୍ୟତମ ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି, ସାରା ଓଡ଼ିଶା ଏପରିକି ସାରା ଭାରତ ଜାଣିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମହିଳାଙ୍କ ବିରୋଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି । ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ବଢି ବଢି ଚାଲିଛି । ଏଥିରେ ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଜଡ଼ିତ । ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡ଼ିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି । ସବୁ ଘଟଣାରେ ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି । ସତ କ’ଣ ଜାଣିବା ସତ୍ତେ୍ୱ ଓଡ଼ିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଇପ୍ସିତା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons