ନିଶା ବେପାରୀ ୨ ଭାଇ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍) ଗଞ୍ଜାମରେ ଚଢ଼ଉ କରି ନିଶା କାରବାର କରୁଥିବା ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ ରଘୁନାଥ ସାହିର ବନମାଳି ପ୍ରଧାନ ଓ ତାଙ୍କ ଭାଇ ଅରୁଣ କୁମାର ପ୍ରଧାନ । ସେମାନଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ସୁନା-ରୂପା ଅଳଙ୍କାର, କାର୍ ଓ ୨୯ଟି ପ୍ଲଟ୍ର କାଗଜପତ୍ର ଜବତ କରାଯାଇଛି ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନମାଳି ଓ ଅରୁଣ ଦୀର୍ଘଦିନ ଧରି ନିଶା କାରବାର କରି ଆସୁଥିଲେ । ଗଞ୍ଜେଇ ଓ ଅଫିମ ବେପାର କରି ମାଲେମାଲ୍ ହେଉଥିଲେ । ପୁଲିସ ଓ ଅବକାରୀ ବିଭାଗକୁ ଚକ୍ମା ଦେଇ ନିଶା କାରବାର କରି ବେଆଇନ ସମ୍ପତ୍ତି ଠୁଳ କରିବାରେ ଲାଗିଥିଲେ । ଦୁଇ ଭାଇଙ୍କୁ ଗିରଫ କରିବା ପାଇଁ ଏସ୍ଟିଏଫ୍ର ଏକ ଟିମ୍ ୨ଦିନ ଧରି ଗଞ୍ଜାମରେ ଡେ଼ରା ପକାଇଥିଲା । ଗତକାଲି ମଧ୍ୟରାତ୍ରିରେ ବୁଗୁଡ଼ା ପୁଲିସ ସହାୟତାରେ ଏସ୍ଟିଏଫ୍ ୨ ଭାଇଙ୍କ ଘରେ ଚଢ଼ଉ କରିଥିଲା । ସେମାନଙ୍କ ଅଗଣାରେ ଥୁଆ ହୋଇଥିବା ବୋଲେରୋରୁ ୧୦୭ କେଜି ଗଞ୍ଜେଇ ମିଳିଥିଲା । ଘରୁ ଟିମ୍ ୫୧୭ ଗ୍ରାମ ଅଫିମ, ୬୦୭ ଗ୍ରାମ ସୁନା ଅଳଙ୍କାର, ୨୦୦ ଗ୍ରାମର ରୁପା ଅଳଙ୍କାର ଓ ୨୯ଟି ପ୍ଲଟ୍ର କାଗଜପତ୍ର ମିଳିଥିଲା । ପୁଲିସ ସେସବୁ ଜବତ କରିବା ସହ ୨ ଭାଇଙ୍କୁ ଗିରଫ କରିଥିଲା । ଏନେଇ ଏସ୍ଟିଏଫ୍ ଥାନା କେସ୍ ନଂ-୧୦/୨୨ରେ ଏକ ମାମଲା ରୁଜୁ କରାଯାଇଛି । ଆଜି ବନମାଳି ଓ ଅରୁଣଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଥାଉକି, ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଏସ୍ଟିଏଫ୍ ଆରମ୍ଭ କରିଥିବା ଅଭିଯାନରେ ୨୦୨୦ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୫୦ କିଲୋ ବ୍ରାଉନ୍ସୁଗର, ୨୦୨ ଗ୍ରାମ କୋକେନ୍, ୯୩ କୁଇଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କଲାଣି । ୧୪୩ ଜଣ ନିଶା ବେପାରୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons