ନୂଆ ଜୀବନ ପାଇଲେ ସିପ୍ରା

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ବୟସ ମାତ୍ର ୨୦ । କଲେଜ ପଢ଼ିବା ବୟସରେ ହଠାତ୍ ଅଚଳ ହୋଇଗଲେ । ସଳଖି ଠିଆ ହୋଇପାରିଲେନି କିମ୍ବା ବସିଲେ ଉଠି ପାରିଲେନି । ଯୁବାବସ୍ଥାରେ ଅକର୍ମଣ୍ୟ ହୋଇପଡିବାରୁ ଅନ୍ୟର ସାହାରା ନେଇ ବଞ୍ଚୁଥିଲେ । ନିଜ ଭବିଷ୍ୟତକୁ ନେଇ ଦୀର୍ଘ ଦିନ ହେଲା ଆଶା ଆଶଙ୍କାରେ ବଞ୍ଚୁଥିବା ସିପ୍ରା ଏସ୍ସିବିରେ ପାଇଛନ୍ତି ନୂଆ ଜୀବନ । ଏସ୍ସିବି ନୁ୍ୟରୋସର୍ଜରୀ ବିଭାଗ, ହୃଦବକ୍ଷ ଶଲ୍ୟ ବିଭାଗ ଏବଂ ନିଶ୍ଚେତନ ବିଭାଗ ବିଶେଷଜ୍ଞମାନେ ଜଟିଳ ଅସ୍ତେ୍ରାପଚାର କରି ସିପ୍ରାଙ୍କୁ ସୁସ୍ଥ କରିଛନ୍ତି ।
ଯାଜପୁର ଅଞ୍ଚଳର ସିପ୍ରା ଚକ୍ରବର୍ତ୍ତୀ । ପ୍ରାୟ ୩ ମାସ ତଳେ ସେ ପିଠିରେ କଷ୍ଟ ଅନୁଭବ କରିଥିଲେ । ନିଜ ଅଞ୍ଚଳର ବହୁ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବହୁ ଔଷଧ ଏବଂ ଇଞ୍ଜେକସନ୍ ପରେ ମଧ୍ୟ କଷ୍ଟ ଦୂର ହୋଇନଥିଲା । ତେଣୁ ସିପ୍ରା ଏସ୍ସିବିରେ ପହଞ୍ଚି ଏକାଧିକ ବିଭାଗ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ନୁ୍ୟରୋସର୍ଜରୀ ବିଭାଗରେ ପରୀକ୍ଷା ନିରୀକ୍ଷା ପରେ ମେରୁଦଣ୍ଡରେ ଯକ୍ଷ୍ମା ହୋଇଥିବା ଜଣାପଡ଼ିଥିଲା । ଗୋଟିଏ ହାଡ଼ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆଉ କିଛି ହାଡ଼ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବରେ ସୁଷୁମ୍ନା କାଣ୍ଡ ଚପି ଯାଇଥିଲା । ଫଳରେ ସିପ୍ରାଙ୍କ ପିଠିରୁ ଛାତି ପର୍ଯ୍ୟନ୍ତ ପ୍ରବଳ ଯନ୍ତ୍ରଣା ହେଉଥିଲା । କ୍ରମେ ସେ ଦୁର୍ବଳ ହୋଇପଡିବା ସହ ଚଲାବୁଲା କରିପାରୁନଥିଲେ ।
ସିପ୍ରାଙ୍କ ରୋଗ ନିରୂପଣ ହେବା ପରେ ନୁ୍ୟରୋସର୍ଜରୀ ବିଭାଗରେ ତାଙ୍କୁ ଗତ ମାସରେ ଭର୍ତ୍ତି କରାଯାଇଥିଲା । ବିଭାଗୀୟ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ୟୁନିଟ୍ରେ ଭର୍ତ୍ତି ହୋଇଥିବା ସିପ୍ରାଙ୍କ ଅପରେସନ୍ ଡାକ୍ତରଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା । ଛାତି ତଳେ ମେରୁଦଣ୍ଡରେ ହାଡ଼ ନଷ୍ଟ ହୋଇଥିବାରୁ ଅପରେସନ୍ ହେବାର ଆବଶ୍ୟକତା ଥିଲା । ଏକ ଜଟିଳ ଉପାୟରେ ଏବଂ ଭିନ୍ନ ପଦ୍ଧତିରେ ଅପରେସନ୍ ଆବଶ୍ୟକ ଥିବାରୁ ହୃଦବକ୍ଷ ଶଲ୍ୟ ବିଭାଗ ଏବଂ ନିଶ୍ଚେତନ ବିଭାଗ ବିଶେଷଜ୍ଞଙ୍କ ସହଯୋଗ ନିଆଯାଇଥିଲା । ଅପରେସନ୍ କରାଇ ନଷ୍ଟ ହୋଇଯାଇଥିବା ହାଡ଼ଗୁଡ଼ିକୁ କାଟି ବାହାର କରି ସେଥିରେ ଟାଇଟାନିୟମ ପ୍ଲେଟ୍ ଲଗାଇ ସିପ୍ରାଙ୍କ ମେରୁଦଣ୍ଡର ପୁନର୍ଗଠନ କରିଥିଲେ ନୁ୍ୟରୋସର୍ଜରୀ ବିଭାଗ ଡାକ୍ତର । ବିଭାଗୀୟ ମୁଖ୍ୟ ପ୍ରଫେସର ମିଶ୍ରଙ୍କ ନେତୃତ୍ୱରେ ଉକ୍ତ ଟିମ୍ରେ ନୁ୍ୟରୋସର୍ଜରୀ ବିଭାଗର ଡାକ୍ତର ଦୀପକ ଦାସ, ଡାକ୍ତର ପ୍ରତୁ୍ୟଷ ପାଲ୍, ହୃଦବକ୍ଷ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ମନୋଜ ପ;ନାୟକ, ନିଶ୍ଚେତନ ବିଭାଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ସ୍ୱାଇଁ ଅପରେସନ୍ରେ ସାମିଲ୍ ହୋଇଥିଲେ । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଅପରେସନ୍ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି । ଭିନ୍ନ ପଦ୍ଧତିରେ ହୋଇଥିବା ଏହି ଅସ୍ତେ୍ରାପଚାର ଏସ୍ସିବି ନୁ୍ୟରୋସର୍ଜରୀ ବିଭାଗ ପାଇଁ ପ୍ରଥମ ବୋଲି ଡାକ୍ତରମାନେ କହିଛନ୍ତି । ୩ଟି ବିଭାଗର ବିଶେଷଜ୍ଞଙ୍କ ସ୍ତରରେ ସମନ୍ୱୟ ଯୋଗୁଁ ଜଟିଳ ପଦ୍ଧତିରେ ହୋଇଥିବା ଅପରେସନ୍ ସଫଳ ହୋଇପାରିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons