ନୂତନ ଓ ବିରଳ ପ୍ରଜାତିର ମାଛ ଚିହ୍ନଟ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ): ପଶ୍ଚିମବଙ୍ଗ ଦୀଘା ନିକଟ ସମୁଦ୍ରରୁ ୨୦୧୯ ଫେବ୍ରୁଆରୀରେ ଏବଂ ଚଳିତ ବର୍ଷ ୨୦୧୯ ଅକ୍ଟୋବରରେ ଓଡ଼ିଶାର ପାରାଦୀପ ନିକଟ ସମୁଦ୍ରରୁ ପ୍ରଥମ ଥର ନୂତନ ତଥା ବିରଳ ପ୍ରଜାତିର ମାଛ ଧରାଯାଇଥିଲା । ତାହାକୁ ପରୀକ୍ଷା ନିରୀକ୍ଷା ପାଇଁ ଗୋପାଳପୁରସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା । ବର୍ତ୍ତମାନ ଏହି ପ୍ରଜାତି ଚିହ୍ନଟ ସହ ନାମକରଣ କରାଯାଇଛି । ଏହି ମାଛକୁ ହାପ୍ଲୋସେବାଷ୍ଟିସ ଆରମାଟସ ବୋଲି ନାମକରଣ କରାଯାଇଛି । ଏହି ପ୍ରଜାତି ବିଷାକ୍ତ ଥିବା ଯୋଗୁଁ ଫ୍ଲାବାର ସ୍କର୍ପିଅନ୍ ଫିସ୍ ମଧ୍ୟ କୁହାଯାଉଥିବା ଗୋପାଳପୁର ଜେଡ୍ଏସ୍ଆଇ (ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ) ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି । ମଙ୍ଗଳବାର ଅନ୍ତର୍ଜାତୀୟ ଥାଲାସାସ୍ ଜର୍ଣ୍ଣାଲ୍ରେ ଏ ସମ୍ବନ୍ଧିତ ତଥ୍ୟ ପ୍ରକାଶ ପାଇଛି ।
ପୂର୍ବରୁ ୧୯୨୯ ମସିହାରେ ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ଦେଖାଯାଇଥିଲା । ୨୦୧୯ ମସିହାରେ ଦୀଘାରୁ ଡ. ଦୀପାଞ୍ଜନ୍ ରାୟ ଏହି ବିରଳ ମାଛ ଧରିଥିଲେ । ନିକଟରେ ପାରାଦୀପରୁ ଠାବ ୨୨ଟି ମାଛକୁ ଗୋପାଳପୁର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ପଠାଇଥିଲେ ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି । ଗୋପାଳପୁର କେନ୍ଦ୍ରର ବୈଜ୍ଞାନିକ ଡ. ମହାପାତ୍ର, ଗବେଷକ ସନମିତ୍ର ରାୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ଛାତ୍ରୀ ଅଙ୍କିତା ମିଶ୍ର ମାଛକୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ପ୍ରଜାତିର ମାଛର ଦେହସାରା କଣ୍ଟା ରହିଛି, ରଙ୍ଗ ଫିକା ଲାଲ, ୨୨ରୁ ୨୩ଟି ମେରୁ ହାଡ଼ ଥିବା ବେଳେ ଏହାର ଲମ୍ବା ୭୫ ମିଲିମିଟରରୁ ୧୨୭ ମିଲିମିଟର ପର୍ଯ୍ୟନ୍ତ ରହିଥାଏ । ଏମାନେ ଗଭୀର ସମୁଦ୍ର ତଳରେ ରୁହନ୍ତି । ଗେଣ୍ଡା, କଙ୍କଡ଼ା, ପୋକଜୋକ ଖାଆନ୍ତି । ଏହି ମାଛକୁ ଫର୍ମାଲିନ ଦେଇ ସଂରକ୍ଷଣ କରି ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons