ପଞ୍ଚାୟତିରାଜ ରାଜ୍ୟସ୍ତରୀୟ ସମ୍ମିଳନୀରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ : ଜାନୁଆରୀ ଶେଷ ସୁଦ୍ଧା ପଞ୍ଚାୟତ, ବ୍ଲକ୍ ରାସ୍ତାର ଆକଳନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ପଞ୍ଚାୟତ ଓ ବ୍ଲକ୍ ରାସ୍ତାର ଆକଳନ ସରିବ । ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ଘରେ ଘରେ ଟ୍ୟାପ୍ ଯୋଗେ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ହେବ । ଏନେଇ ବ୍ୟବସ୍ଥା କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଲୋକସେବା ଭବନରେ ସୋମବାରଠୁ ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଓ ସମୀକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଅମାତ ଗ୍ରାମାଞ୍ଚଳରେ ସ୍କୁଲ, ଜନସ୍ୱାସ୍ଥ୍ୟ କେନ୍ଦ୍ର, ରାସ୍ତା ଆଦିର ରକ୍ଷଣାବେକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ମୋ ଉପକାରୀ ବଗିଚା, ପ୍ରାକୃତିକ ସମ୍ପଦ ପରିଚାଳନା, ଫାର୍ମ ପୋଖରୀ, ବୃକ୍ଷରୋପଣ ଉପରେ ଅଧିକ ଧ୍ୟାନ ଦେବାକୁ ମାର୍ଗଦର୍ଶନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ପଦକ୍ଷେପ ନେଇ ବ୍ୟାପକ ଜନ ସହଯୋଗ ଯୋଗାଇ ଦେବାକୁ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ସମ୍ମିଳନୀରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ‘୫-ଟି’ ଓ ‘ମୋ ସରକାର’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ପଞ୍ଚାୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତି ବ୍ଲକ୍ରେ ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ଇଣ୍ଟରନେଟ୍ ଓ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନୀ କୌଣସି ଅଯୋଗ୍ୟ ପରିବାରକୁ ଗୃହ ମଞ୍ଜୁର କରାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଉ ୪୧ ହଜାର ନିର୍ମାଣଧୀନ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଉପସ୍ଥିତ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୃହ ନିର୍ମାଣ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ହିତାଧିକାରୀଙ୍କ ଆଧାର ସଂଯୋଗ ବାଧ୍ୟତାମୂଳକ । ଆଗାମୀ ମାସକ ମଧ୍ୟରେ ଆଧାର ସଂଯୋଗ ହୋଇନଥିବା ୩ଲକ୍ଷ ହିତାଧିକାରୀଙ୍କ ଆଧାର ସଂଯୋଗ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଦିନରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ମହାତ୍ମା ଗାନ୍ଧି ନରେଗା, ପାନୀୟ ଜଳ ଓ ପରିମଳ ଯୋଜନା, ଡିଡିୟୁ-ଜିକେୱାଇ, ଓରମାସ ଆଦିର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons