ପଠାଣୀକୁ ଆଜୀବନ ସଶ୍ରମ କାରାଦଣ୍ଡ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): ଏକ ଡବଲ୍ ମର୍ଡର ମାମଲାର ଶୁଣାଣି କରି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ରାୟ ଦେଇଛନ୍ତି । ଟାଉନ ଥାନା ଅଞ୍ଚଳର ଏକ ଡବଲ ମର୍ଡର ମାମଲାର ସୋମବାର ବିଚାର କରି ଉକ୍ତ ରାୟ ପ୍ରକାଶ କରିଛନ୍ତି । ଟାଉନ ଥାନା ସରାଶଖୁଣ୍ଟା ଗ୍ରାମରେ ୨୦୧୭ ମସିହାରେ ଏହି ଲୋକହର୍ଷଣକାରୀ ହତ୍ୟାକାଣ୍ଡ ସେ ସମୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସମ୍ପର୍କୀୟ ଭଉଣୀ ଓ ଭିଣୋଇକୁ ଟାଙ୍ଗିଆରେ ହାଣି ଭାଲିଆଡାଳ ଗ୍ରାମର ପଠାଣୀ ପ୍ରଧାନ ହତ୍ୟା କରିବା ଅଭିଯୋଗରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୨ ବର୍ଷ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି ।
କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସରାଶଖୁଣ୍ଟା ଗ୍ରାମରେ ୨୦୧୭ ମସିହା ସେପ୍ଟେମ୍ବର ୨୫ ତାରିଖ ବିଳମ୍ବିତ ରାତ୍ରୀରେ ଏଭଳି ଅଭବନୀୟ ଘଟଣା ଘଟିଥିଲା । ନିକଟସ୍ଥ ଭାଲିଆଡାଳ ଗ୍ରାମର ପଠାଣୀ ପ୍ରଧାନ (୪୦) ଭିଣୋଇ ବିଦେଶୀ ଦେହୁରୀ ଘରକୁ ଆସିଥିଲା । ଦିନସାରା ରହିବା ପରେ ସନ୍ଧ୍ୟାରେ ଗ୍ରାମରେ ମିଳୁଥିବା ଚୋରାମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଭିଣୋଇ ଘରକୁ ଫେରିଥିଲା । ମଦପିଇ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରି ଗଣ୍ଡଗୋଳ କରିଥିଲା । ଏହାକୁ ନେଇ ସମ୍ପର୍କୀୟ ଭଉଣୀ ଜାଈ ଓ ତାଙ୍କ ଦିଅର ବୀର ଦେହୁରୀ ଏବଂ ଚୌକିଦାର ମହେଶ୍ୱର ପ୍ରଧାନ ଅଭିଯୁକ୍ତ ପଠାଣୀକୁ ବାରଣ କରିଥିଲେ । ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ଥିବା ପଠାଣୀ ରାଗରେ ପ୍ରତିଶୋଧ ନେବା ଉଦେ୍ଧଶ୍ୟରେ ଭିଣୋଇ ଘରେ ଏକ କୁରାଢ଼ୀ ରଖିଥିଲା । ରାତି ପ୍ରାୟ ୧୧ଟା ସମୟରେ କୁରାଢ଼ୀ ଧରି ପ୍ରଥମେ ସମ୍ପର୍କୀୟ ଭଉଣୀ ଜାଇ ଦେହୁରୀ(୭୦)ଙ୍କ ଘରେ ପହଞ୍ଚିଥିଲା । ଜାଇ ଶୋଇଥିବା ଅବସ୍ଥାରେ ତାଙ୍କୁ ହାଣି ହତ୍ୟା କରିଥିଲା । ପରେ ଶୋଇଥିବା ବୃଦ୍ଧ ବୀର ଦେହୁରୀ(୭୦)ଙ୍କୁ ଆକ୍ରମଣ କରିଥିଲା । ଘରର ଅନ୍ୟମାନେ ଉଠି ପ୍ରତିରୋଧ କରିଥିଲେ ହେଁ ବିଫଳ ହୋଇଥିଲେ । ପରେ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇ ଚୌକିଦାର ମହେଶ୍ୱରଙ୍କ ଘରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା । ପଠାଣୀ ଏଭଳି ରକ୍ତମୁଖା ହୋଇଯାଇଥିଲା ଯେ ସ୍ଥାନୀୟ ଲୋକେ ସାମ୍ନା କରିବାକୁ ଭୟ କରୁଥିଲେ । ଏହି ଘଟଣା ଘଟିବା ସମୟରେ ଆଖପାଖ ଲୋକ ପାଟିହୁରି କରିବାରୁ ପଠାଣୀ ଫେରାର ହୋଇଯାଇଥିଲା । ଗାଁ ଲୋକେ ଏକଜୁଟ୍ ହୋଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ରାତି ପ୍ରାୟ ୧ଟା ସମୟରେ ସେଠାରେ ପହଞ୍ଚିଥିଲା । ସେତେବେଳକୁ ଜାଇ ଓ ବୀରଙ୍କ ମୃତୁ୍ୟ ହୋଇଥିଲା । ଗୁରୁତର ଅବସ୍ଥାରେ ମହେଶ୍ୱରଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହତ୍ୟାକାଣ୍ଡ ପରେ ନିକଟସ୍ଥ ଆମ୍ବତୋଟାରେ ଲୁଚି ରହିଥିବା ପଠାଣୀ ଭୋର୍ରୁ ନିଶା ଛାଡ଼ିବା ପରେ ଭଉଣୀ ଘରକୁ ଫେରିଥିଲା । ଏହି ସମୟରେ ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିବାବେଳେ ଫେରାର୍ ହେବାକୁ ଉଦ୍ୟମ କରିଥିଲା । ପୁଲିସ ସହିତ ଅଭିଯୁକ୍ତର ଦୀର୍ଘସମୟ ଠେଲାପେଲା ହୋଇଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ଅଭିଯୁକ୍ତ ଧରାପଡ଼ିଥିଲା । ଏହି ଘଟଣାରେ ପଠାଣୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲା । ପୁଲିସ ତାକୁ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଅପରାହ୍ନରେ ସୁସ୍ଥ ହେବା ପରେ ଅଦାଲତକୁ ଚାଲାଣ କରିଥିଲା । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମୃତକ ଜାଇଙ୍କ ପୁଅ ଦଶୁରୀ ଦେହୁରୀଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ୩୧୪ା୧୭ ଦଫା ୩୦୨ ଓ ୩୦୭ରେ ମାମଲା ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ଟିକେଶ୍ୱର ବୁଡ଼ା ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ । ଅଦାଲତରେ ୧୫ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଜମାନବନ୍ଦୀ ଦେଇଥିଲେ । ସାକ୍ଷୀଙ୍କ ବୟାନ ଏବଂ ସରକାରୀ ପିପି ପ୍ରଦୀପ କୁମାର ଦାସଙ୍କ ବଳିÂ ପ୍ରମାଣପତ୍ର ଆଧାରରେ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons