ପରିତ୍ୟକ୍ତ ଘରୁ ବନ୍ଧୁକ କାରଖାନା ଠାବ

Get real time updates directly on you device, subscribe now.

ଖୋର୍ଦ୍ଧା, (ବି.ବି.ଆପ୍ର): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଡମଣମୁହିଁ କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ ଘରୁ ବୁଧବାର ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସେଠାରୁ ୨ ଅଭିଯୁକ୍ତ ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଦିଲ୍ଲୀପ କୁମାର ଦାସ ଓରଫ ବିଦେଶୀ (୨୭) ଓ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ତ୍ରିଲୋଚନ ବେହେରା ଓରଫ ଟୁଲୁ(୩୬)ଙ୍କୁ ଜଙ୍କିଆ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ୩ ଦେଶୀ ବନ୍ଧୁକ, ୬ ରାଉଣ୍ଡ ଗୁଳି, ଗୋଟିଏ ଖାଲି କ୍ୟାଟ୍ରିଜ୍, ୨ ଶହ ଗ୍ରାମ ଗନ୍ ପାଉଡର, ଗୋଟିଏ ବାଇକ୍, ଦୁଇ ଲୁହାରଡ୍ ସମେତ ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ବୁଧବାର ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଲେଖ ପହି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏସ୍ପି ଶ୍ରୀ ପହି କହିଥିଲେ ଯେ ବିଶେଷ ସୂତ୍ରରୁ ଡମଣମୁହିଁ ଜଙ୍ଗଲରେ ଦେଶୀ ବନ୍ଧୁକ ତିଆରି ହେବା ଖବର ପୁଲିସକୁ ମିଳିଥିଲା । ପରେ ଜଙ୍କିଆ ଥାନାଧିକାରୀ ଦିଗ୍ବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଡମଣମୁହିଁ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲର ଏହି ପରିତ୍ୟକ୍ତ ଘରେ ଚଢାଉ କରିଥିଲେ । ପଚରାଉଚରା କରିବାରୁ ୨୦୨୦ରେ ବାଘମାରୀ ଥାନା ଅଞ୍ଚଳର ୨ ଡକାୟତି ଘଟଣାରେ ଜଣେ ଅଭିଯୁକ୍ତ ଦିଲ୍ଲୀପ ସମ୍ପୃକ୍ତ ଥିବା ଜଙ୍କିଆ ପୁଲିସ ଜାଣିବାକୁ ପାଇଛି । ଏହା ସହ ଦିଲ୍ଲୀପ ନାମରେ ବାଙ୍କୀ, ବାଘମାରୀ, ବାଣପୁର, ଜଙ୍କିଆ ଥାନାରେ ୧୩ ଅପରାଧିକ ମାମଲା ଥିବା ଏସ୍ପି କହିଥିଲେ । ଦିଲ୍ଲୀପ ଜାମିନରେ ଦୁଇ ମାସ ପୂର୍ବରୁ ଜେଲ୍ରୁ ମୁକୁଳିବା ପରେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିଲା । ସେହିପରି ତି୍ରଲୋଚନ ନାମରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍, ଛତ୍ରପୁର, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର, ଜଙ୍କିଆ ଥାନାରେ ମୋଟ୍ ୨୬ ଡକାୟତି, ରାହାଜାନୀ, ଲୁଟ୍, ନିଶାକାରବାର ଭଳି ମାମଲା ରହିଛି । ୨ ଜଣଙ୍କ ନାମରେ ଜଙ୍କିଆ ଥାନାରେ (୧୫୩/୨୨) ଏକ ମାମଲା ରୁଜୁହେବା ସହ ୨୯୪, ୫୦୬, ୩୫୩ ଆଇପିସି ଏବଂ ୨୭ ଆମର୍୍ସ ଆକ୍ଟରେ ଦଫା ଲଗାଇଛି । ବେଆଇନ ବନ୍ଧୁକ ପ୍ରସ୍ତୁତ, ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି କହିଛନ୍ତି । ଅଧିକ ତଦନ୍ତ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ କୋର୍ଟରେ ଆବେଦନ କରିବ ବୋଲି କହିଛନ୍ତି ।
ଦିଲ୍ଲୀପ ଓ ତ୍ରିଲୋଚନ ବାରମ୍ବାର ଜେଲରେ ଭେଟ ହେବାରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଜାମିନରେ ବାହାରିବା ପରେ ଏ ଭଳି ଅସାମାଜିକ କାର୍ଯ୍ୟକଳାପ କରୁଥିବା ତଦନ୍ତ ସମୟରେ ଜଣାପଡ଼ିଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ସୁଶୀଲ ମିଶ୍ର, ଜଙ୍କିଆ ଥାନା ଅଧିକାରୀ ଦିଗ୍ବିଜୟ ବିଶ୍ୱାଳ, ସଦରଥାନା ଅଧିକାରୀ ଅନୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons