ପାକିସ୍ତାନୀ ଆତଙ୍କୀର ଖୁଲାସା:ଦିଲ୍ଲୀ ହାଇକୋର୍ଟ ବାହାରେ ହୋଇଥିବା ବିସ୍ଫୋରଣରେ ସାମିଲ ଥିଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କୀ ମହମ୍ମଦ ଅସରଫ୍ ମାମଲାରେ ନୂଆ ନୂଆ ଖୁଲାସା ହେଉଛି । ସେ ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ସାମ୍ନାରେ ହୋଇଥିବା ବୋମା ବିସ୍ଫୋରଣରେ ସାମିଲ ଥିଲା । ବିସ୍ଫୋରଣ ପୂର୍ବରୁ ଅନେକ ଥର ହାଇକୋର୍ଟ ପରିଦର୍ଶନ କରି ଗୁଇନ୍ଦାଗିରି କରିଥିବା ପୁଲିସର ଜେରାବେଳେ ସ୍ୱୀକାର କରିଛି । ଅସରଫ୍ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଓ ଆଇଏସ୍ବିଟିର ମଧ୍ୟ ଗୁଇନ୍ଦାଗିରି କରିଥିଲା । କେବଳ ସେତିକି ନୁହେଁ, ଜମ୍ମୁ-କାଶ୍ମୀରରେ ଆତଙ୍କୀମାନେ ତା’ ସାମ୍ନାରେ ଅନେକ ଥର ସେନା ଯବାନଙ୍କୁ ଅପହରଣ କରିଥିଲେ । କିଛି ଦିନ ବନ୍ଧକ ରଖି ପରେ ହତ୍ୟା କରିଥିବା ସେ ପ୍ରକାଶ କରିଛି । ସେ ୨୦୦୫-୦୬ରେ ରାଜସ୍ଥାନର ଅଜମେରରେ ବି ରହିଥିଲା । ସେଠାରେ ଝଡ଼ାଫୁଙ୍କା କରି ସମୟ ଅତିବାହିତ କରୁଥିଲା । ଫକିର ବେଶଧାରଣ କରି ବହୁ ଅଞ୍ଚଳ ବୁଲି ଗୁଇନ୍ଦାଗିରି କରିଥିଲା । ଏହା ମାଧ୍ୟମରେ ଏକତ୍ରିତ ତଥ୍ୟକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇକୁ ପଠାଉଥିଲା । ତା’ର ହ୍ୟାଣ୍ଡଲରଙ୍କ କୋଡ୍ ନାମ ନାସିର ବୋଲି ଜଣାପଡ଼ିଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ର ଡିସିପି ପ୍ରମୋଦ କୁଶୱାହାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୦୧ରେ ସେ ଆଇଏସ୍ଆଇ ସଂପର୍କରେ ଆସିଥିଲା । ୨୦୦୩ରେ ତା’ର ତାଲିମ ଆରମ୍ଭ ହୋଇଥିଲା । ବର୍ଷକ ପରେ ତାଲିମ ଶେଷ ହେବା ପରେ ତାକୁ ଢାକା ପଠାଇ ଦିଆଯାଇଥିିଲା । ସେଠାରୁ ପଶ୍ଚିମବଙ୍ଗର ସିଲିଗୁଡ଼ି ଦେଇ ସେ ଭାରତ ଆସିଥିଲା । ସେହି ସମୟରେ ତାକୁ ଅସ୍ତ୍ରଶସ୍ତ୍ର ଦିଆଯାଇନଥିଲା । ଶାନ୍ତ ରହିବାକୁ ନିଦେ୍ର୍ଧଶ ମିଳିଥିଲା । କିଛି ଦିନ ଧରି କୋଲକାତାରେ ରହିବା ପରେ ସେ ଅଜମେର ଯାଇଥିଲା । ଆତଙ୍କୀ ମହମ୍ମଦ ଅସରଫ ପାଖରୁ ବହୁ ନକଲି ପରିଚୟପତ୍ର ମଧ୍ୟ ମିଳିଛି । ସେଥିମଧ୍ୟରୁ ଗୋଟିଏ ପରିଚୟପତ୍ରରେ ତା’ର ନାମ ଅହମ୍ମଦ ନୁରି ରହିଛି । ଭାରତୀୟ ପାସ୍ପୋର୍ଟରେ ସେ ଥାଇଲ୍ୟାଣ୍ଡ ଓ ସାଉଦି ଆରବ ଯାତ୍ରା ବି କରିଥିଲା । ପରିଚୟପତ୍ର ତିଆରି କରିବା ଲାଗି ସେ ଗାଜିଆବାଦର ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲା । ସୂଚନାଥାଉକି, ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ପକ୍ଷରୁ ମହମ୍ମଦ ଅସରଫ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା । ସେହି ସମୟରେ ତା’ ନିକଟରୁ ଗୋଟିଏ ଏକେ ୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି, ୨ଟି ପିସ୍ତଲ ଓ ୫୯ ରାଉଣ୍ଡ ଗୁଳି ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons