ପାଞ୍ଚ ଗଡ଼ କରି ଅଖାରେ ପୂରାଇ କେନାଲକୁ ଫିଙ୍ଗି ଦେଇଥିଲେ!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ବୁ୍ୟରୋ): ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୁ(୨୫)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । କଟୁରିରେ ଗଣ୍ଡି, ମୁଣ୍ଡକୁ ଅଲଗା କରି, ଶରୀରକୁ ପାଞ୍ଚ ଗଡ଼ କରି ଅଖାରେ ପୂରାଇ ମାଛଗାଁ କେନାଲ୍ରେ ଭସାଇ ଦିଆଯାଇଛି । ଥାନାରେ ଅଟକ ଥିବା ଏହି ଗ୍ରାମର ଏକ ଦମ୍ପତି ଓ ଅନ୍ୟ ଜଣେ ଯୁବକ ପୁଲିସ ନିକଟରେ ଏ ପ୍ରକାର ସ୍ୱୀକାରୋକ୍ତି ବାଢିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ତେବେ ମାଛଗାଁ କେନାଲ୍ରେ ଏବେ ଅକାତକାତ ପାଣି । ତେଣୁ କରି ଖଣ୍ଡ ବିଖଣ୍ଡିତ ମୃତଦେହ ନମିଳିବା ପର୍ଯ୍ୟନ୍ତ ଏ ବିଷୟରେ କିଛି କୁହାଯାଇ ପାରିବ ନାହିଁ ବୋଲି ଜଗତସିଂହପୁର ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଗତ ଦୁଇ ଦିନ ତଳେ ଏପ୍ରକାର ଲୋମଟାଙ୍କୁରା ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା । ବର୍ଷା ଭିଜା ରାତିରେ ହିଁ ବଡ଼ବାଗସ୍ଥିତ ଅମରପୁର ଗ୍ରାମର ସଂପୃକ୍ତ ଦମ୍ପତିଙ୍କ ଘର ଭିତରେ ହିଁ ଟିକ୍ ଟିକ୍ କରି ହାଣି ରାମଚନ୍ଦ୍ରଙ୍କୁ ଶେଷ କରି ଦିଆଯାଇଥିଲା । ରାତି ୯ଟା ଭିତରେ ରାମଚନ୍ଦ୍ରଙ୍କୁ ହତ୍ୟା କରି ଘର ଭିତରେ ଶବକୁ ଲୁଚାଇ ରଖି ଦିଆଯାଇଥିଲା । ରାତି ୧ଟା ପରେ ହିଁ କଟୁରିରେ ମୃତଦେହକୁ ପାଞ୍ଚ ଗଡ଼ କରି ଦିଆଯାଇଥିଲା । ଦୁଇ ହାତ, ଦୁଇ ଗୋଡ଼, ମୁଣ୍ଡକୁ ଅଖାରେ ଭର୍ତ୍ତି କରାଯାଇ ମାଛଗାଁ କେନାଲ୍ରେ ଭସାଇ ଦିଆଯାଇଥିଲା । ପରେ ଗଣ୍ଡିକୁ ଅନ୍ୟ ଏକ ଅଖାରେ ପୂରାଇ କେନାଲ୍ରେ ଫିଙ୍ଗି ଦିଆଯାଇଥିଲା । ଏପଟେ ଫିନାଇଲ୍ ଢାଳି ଘରକୁ ଭଲ ଭାବେ ସଫା କରି ଦିଆଯାଇଥିଲା । ହେଲେ ଆଜି ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳ ପରଖିବା ପରେ ରକ୍ତର ଗନ୍ଧ ବାରିଥିଲେ । ସେଥିନେଇ ଅଟକ ଦମ୍ପତି ଓ ଅନ୍ୟ ଯୁବକଙ୍କୁ ଜେରା କରାଯିବା ପରେ ସବୁ ସତ ପଦାକୁ ବାହାରି ଆସିଥିଲା ।
ସଂପ୍ରତି କେନାଲ୍ରେ ପ୍ରବଳ ପାଣି ଚାଲିଛି । ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶ ମିଳିବା ନେଇ ସନେ୍ଦହ ପ୍ରକାଶ ପାଇଛି । ପୁଲିସ ବି ଏନେଇ ଚିନ୍ତିତ ରହିଛି । ତଥାପି ଜଣେ ଅଟକଙ୍କୁ ଆଜି ରାତିରେ ତେଲି ସାହି ଗଡ଼ା ପାଖକୁ ନେଇ ଡେମୋ କରାଇଛନ୍ତି ପୁଲିସ ଟିମ୍ । ବିଶେଷକରି କେଉଁ ଜାଗାରେ ଛିଡ଼ା ହୋଇ ମୃତ ଦେହର ଖଣ୍ଡ ବିଖଣ୍ଡିତ ଅଂଶକୁ କେନାଲ ଭିତରକୁ ଫିଙ୍ଗା ଯାଇଛି ତାହା ଅଭିଯୁକ୍ତର ଡେମୋ କରାଇ ପୁଲିସ ଜାଣିବାକୁ ଚେଷ୍ଟା କରିଛି । ପୂର୍ବ ଶତ୍ରୁତାକୁ ନେଇ ରାମଚନ୍ଦ୍ରଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ନିକଟ ଅତୀତରେ ବଡ଼ବାଗ ଗ୍ରାମର ଶୁଣ୍ଢି ସାହି ଗଡ଼ା ପାଖରେ ରାମଚନ୍ଦ୍ରଙ୍କ ସହ ଅଟକ ମହିଳାଙ୍କ ସ୍ୱାମୀଙ୍କର ଗଣ୍ଡଗୋଳ ହୋଇଥିଲା । ସେହିପରି ରାମଚନ୍ଦ୍ର ଏହି ମହିଳାଙ୍କ ପରିବାର ପ୍ରତି କିଛି କଟୁ ମନ୍ତବ୍ୟ ଦେଇଥିଲେ । ଏହାକୁ କେନ୍ଦ୍ର କରି ସଂପୃକ୍ତ ଦମ୍ପତି ରାଗ ଜର୍ଜରିତ ହୋଇ ରହିଥିଲେ ଏବଂ ଏମାନଙ୍କ ସହ ହାତ ମିଳାଇଥିଲେ ଏହି ଗ୍ରାମର ଅନ୍ୟ ଜଣେ ଯୁବକ । ଅର୍ଥାତ ଯୋଜନାବଦ୍ଧ ଭାବେ ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ତେବେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ଅଟକ ଦମ୍ପତି ଓ ସଂପୃକ୍ତ ଯୁବକ ସ୍ୱୀକାର କରୁଥିବା ନେଇ ପୁଲିସ ଆଭାସ ଦେଉଥିଲେ ସୁଦ୍ଧା ଖଣ୍ଡ ବିଖଣ୍ଡିତ ମୃତଦେହ କିଭଳି ମିଳିବ ସେ ଚିନ୍ତାରେ ଘାରି ହେଉଥିବାରୁ ସ୍ପଷ୍ଟ ଭାବେ ଏନେଇ କିଛି କହିନାହିଁ । ହତ୍ୟା ଘଟଣାକୁ କିନ୍ତୁ ପରୋକ୍ଷରେ ପୁଲିସ ସ୍ୱୀକାର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons