ପିକଅପ ଭ୍ୟାନ ଧକ୍କାରେ ଯୁବକ ଯୁବତୀ ମୃତ

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ସାଲେପାଲି ଛକର ଅନତି ଦୂରରେ ଏକ ପିକଅପ ଭ୍ୟାନ ଧକ୍କାରେ ଦୁଇ ଯୁବକ ଯୁବତୀଙ୍କ ଜୀବନ ଯାଇଛି । ମୃତକ ଦ୍ୱୟ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ ହତୀବନ୍ଧା ଗାଁର କ୍ଷୀରସିନ୍ଧୁ କାଣ୍ଡ ଓ ଠକପାଲି ଗାଁର ଝିଅ ବୈଶାଳୀ ଭୋଇ । ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ବାହାଘର ଆଗରୁ ଦୁର୍ଘଟଣାରେ ସେମାନଙ୍କ ଜୀବନ ଦୀପ ଲିଭି ଯାଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ କରୁଛି ।
ସୂଚନାଅନୁସାରେ, ହତୀବନ୍ଧା ଗାଁର କ୍ଷୀରସିନ୍ଧୁ ଓ ଠକପାଲିର ଝିଅ ବୈଶାଳୀଙ୍କର କିଛି ଦିନ ପୂର୍ବରୁ ନିର୍ବନ୍ଧ ସରିଥିଲା । ଆଉ କିଛିଦିନ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ଆଜି ଦୁହେଁ କୌଣସି ଏକ କାମରେ ଗାଁରୁ ଏକ ବାଇକ ଯୋଗେ ବଲାଙ୍ଗିର ଯାଇଥିଲେ । ସେଠାରୁ କାମ ସାରି ପାଟଣାଗଡ ଦେଇ ଘରକୁ ଫେରୁଥିଲେ । ଥାନା ଅନ୍ତର୍ଗତ ସାଲେପାଲି ଛକର ନିକଟରେ କଣ୍ଟାବାଞ୍ଜି ପଟୁ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ(ଓଡି୦୩ ୩୪୯୬) ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ପିକଅପ୍ ଧକ୍କାରେ ଉଭୟେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ପୁଅଝିଅକୁ ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲା । ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ଶବ ଡାକ୍ତରଖାନାର ଶବଗୃହରେ ରଖାଯାଇ ଥିବାବେଳେ ପୁଲିସ ମୃତକଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons