ପିଡିଏସ ଚାଉଳ ନେଇ ଫେରୁଥିବା ବାଟରେ ଟଳିପଡ଼ିଲେ ବୃଦ୍ଧ

Get real time updates directly on you device, subscribe now.

କଣ୍ଟାବାଞ୍ଜି,(ବି.ବି.ଆପ୍ର): ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚାୟତ କୁମୁଡକାନି ଗାଁର ବଳରାମ ସଗରିଆ ପିଡିଏସ ଚାଉଳ ନେଇ ଘରକୁ ଫେରୁଥିବା ବେଳେ ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ବଡ଼ବାଙ୍କୀ ପଞ୍ଚାୟତରେ ଆଜି ପିଡିଏସ ଚାଉଳ ବଣ୍ଟନ ହେଉଥିଲା । ଏଣୁ କୁମୁଡକାନି ଗାଁର ବଳରାମ ସଗରିଆ ପଞ୍ଚାୟତକୁ ଚାଉଳ ନେବା ପାଇଁ ଯାଇଥିଲେ । ଚାଉଳ ନେଇ ସାଇକଲରେ ଫେରୁଥିବା ବେଳେ ଚାରପାଣି ଗାଁ ନିକଟରେ ହଠାତ ଟଳି ପଡ଼ିଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଦେଖିବାରୁ ବଳରାମଙ୍କ ମୃତୁ୍ୟ ହୋଇସାରିଥିଲା । ପ୍ରଶାସନ ତୁରନ୍ତ ଅଭିଯୋଗର ତଦନ୍ତ କରି ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ଏନେଇ ତୁରେକେଲା ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପ୍ରକାଶ ଯେ, ଗତକାଲି ମହରାଷ୍ଟ୍ର ନାଗପୁର ସହରର ଜଣେ ଗାଡି ଚାଳକ କଣ୍ଟାବାଞ୍ଜିକୁ ଆସିଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ନାଗପୁର ନେଇଥିବା ଜଣାପଡିଛି । ଦୁଇଦିନରେ ଦୁଇଜଣଙ୍କ ଅଂଶୁଘାତ ମୃତୁ୍ୟ ଅଭିଯୋଗ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଅଂଶୁଘାତର ମୁକାବିଲା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons