ପିତ୍ତଳ ୪ ଭାଇଙ୍କୁ ହତ୍ୟା ଘଟଣା:ଫେରାର ଅଭିଯୁକ୍ତ ମିଲନ୍ ଗିରଫ

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ଶେରଗଡ ବ୍ଲକ୍ ତଥା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ୪ ଭାଇଙ୍କୁ ହତ୍ୟା ଘଟଣାରେ ଫେରାର ଥିବା ଅଭିଯୁକ୍ତ ମିଲନ କୁମାର ସ୍ୱାଇଁକୁ ଗିରଫ କରିଛି ପୁଲିସ । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ମିଲନ (୨୫)କୁ ଶୁକ୍ରବାର ତାକୁ କୋର୍ଟଚାଲାଣ କରାଯାଇଛି । କେସ୍ ନମ୍ବର ୧୪୧/୨୩.୩.୨୦୨୨ରେ ଏହା ହେଉଛି ଷÂ ଗିରଫଦାରୀ । ପୂର୍ବରୁ ଗତ ୨୯ ତାରିଖରେ ମୁଖ୍ୟ ଅଭିଯୁକ୍ତ ତଥା ହିଞ୍ଜିଳିକାଟୁ ଥାନା ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ୍ ଅମିୟ କୁମାର ସ୍ୱାଇଁ (୩୬), ବାହାନପତି ଓରଫ୍ ବାହାନ ବେହେରା (୨୮), ବଳିଆ ଓରଫ୍ ଦିପୁ ସେଠି (୧୯), ଚିତ୍ର ଓରଫ୍ ଚିତ୍ରସେନ ସେଠି (୧୯) ଓ ସନ୍ତ ଓରଫ୍ ସନ୍ତୋଷ ସ୍ୱାଇଁ (୨୩)ଙ୍କୁ ଗିରଫ କରାଯାଇଥିଲା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ଆଜି ଠାରୁ ପିତ୍ତଳ ବଜାର ଛକରେ ଦୋକାନ ଖୋଲିଛି । ହେଲେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରିନି । ବ୍ୟବସାୟ ଆରମ୍ଭ ହୋଇଥିଲେ ହେଁ ବଜାର ଛକ ଖାଁ ଖାଁ ଲାଗୁଛି ।
ଗତ ମାସ ୨୨ ତାରିଖ ରାତିରେ ୪ ଭାଇଙ୍କୁ ସଂଘବଦ୍ଧ ଭାବେ ଉପରୋକ୍ତ ୬ ଜଣ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୨), ଶମ୍ଭୁ ସ୍ୱାଇଁ (୧୯) ଓ ସେମାନଙ୍କ ମାଉସୀ ପୁଅ ଭାଇ ଚନ୍ଦନ ସ୍ୱାଇଁ (୧୬)ଙ୍କ ମୃତୁ୍ୟ ଘଟିଥିଲା । ଭାଇମାନେ ଛକରେ କରିଥିବା ଦୋକାନ ଆଗରେ ଦୁର୍ଘଟଣା ପରେ ଏକ ଦମ୍ପତିଙ୍କୁ ଭାଇମାନଙ୍କ କମେଣ୍ଟ୍ ମରାକୁ କେନ୍ଦ୍ର କରି ଶମ୍ଭୁ ଓ ରାଜାଙ୍କ ସହ ଅଭିଯୁକ୍ତମାନଙ୍କ ବଚସା ହୋଇଥିଲା । ୨ ଭାଇଙ୍କୁ ହତ୍ୟା ଧମକ ଦେଇ ସାଧୁ ଓ ବାହନପତି ଚାଲି ଯାଇଥିଲେ । ପରେ ରାତିରେ ଦୋକାନ ବନ୍ଦ କରିବା ସମୟରେ ସମସ୍ତ ଅଭିଯୁକ୍ତ ସଂଘବଦ୍ଧ ଆକ୍ରମଣ କରି ୪ ଭାଇଙ୍କୁ ପିଟି ପିଟି ହତ୍ୟା କରିଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ପ୍ରକାଶ କରିଥିଲେ । ମଙ୍ଗୁଳୁ ସ୍ୱାଇଁଙ୍କ ଅଭିଯୋଗକ୍ରମେ ଥାନାରେ କେସ୍ ନମ୍ବର ୧୪୧/୨୦୨୨ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ମିଲନ ସ୍ୱାଇଁ ଘଟଣା ପରେ ଫେରାର ଥିଲା । ସେ ରାଜ୍ୟ ବାହାରକୁ ଚାଲିଯାଇଥିବା ସନେ୍ଦହ କରି ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା । ଏବେ ତାକୁ କାବୁ କରାଯାଇଛି ।
ଘଟଣା ପରେ ଏଯାବତ୍ ଶାନ୍ତି କମିଟି ବୈଠକ ବସିନାହି । ଘଟଣାର ପ୍ରାୟ ୧୬ ଦିନ ପରେ ଦୋକାନ ବଜାର ଖୋଲିଛି । ମୃତ ଚାରି ଭାଇ କରିଥିବା ଫାଷ୍ଟ ଫୁଡ୍ ଦୋକାନରେ ତାଲା ଝୁଲୁଛି ଯାହା ଉକ୍ତ ଘଟଣାକୁ ମନେ ପକାଇ ଦେଉଛି । ଶମ୍ଭୁ ଓ ଚନ୍ଦନଙ୍କ ଫାଷ୍ଟ ଫୁଡ୍ ଦୋକାନ ସବୁଦିନ ପାଇଁ ବନ୍ଦ ହୋଇଯାଇଛି ବୋଲି ଦୁଃଖରେ କହିଛନ୍ତି ପାଖ ପଡିଶା ଦୋକାନ ମାଲିକ । ତେଣେ ବଜାର ଖୋଲିଲା ପରେ ଶୁକ୍ରବାର ପୁଣି ମୃତକଙ୍କ ମାଆ ବିଷ୍ଣୁପ୍ରିୟା ଦୁଃଖରେ ମ୍ରିୟମାଣ ହୋଇ ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଦିନ ତଳେ ହତ୍ୟାକାଣ୍ଡ ଘଟାଇଥିବା ୫ ଜଣଙ୍କୁ ରିମାଣ୍ଡ୍ରେ ଆଣି ପଚରାଉଚରା ଜାରି ରଖିଥିଲା ପୁଲିସ । ସେମାନଙ୍କ ରିମାଣ୍ଡ ଅବଧି ସରିଯିବା ପରେ ଶୁକ୍ରବାର ପୁଣି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ପରିବାର ଓ ସମ୍ପର୍କୀୟମାନେ କୋର୍ଟ ଶୁଣାଣିକୁ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons