ପୁରୀ କାଳିଆ ହତ୍ୟା ମାମଲା:ଅନ୍ୟ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ବରିÂ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢିଆରୀଙ୍କ ହତ୍ୟା ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୁଲିସ । କାଳିଆଙ୍କ ହତ୍ୟାରେ ହରିହର ପଣ୍ଡା (୩୩) ଓ ଆଶିଷ ମହାପାତ୍ର ଓରଫ ବାବାର କିଭଳି ସମ୍ପୃକ୍ତି ରହିଛି ତାହାର ଡେମୋ ଦେଖାଇଛନ୍ତି ଉଭୟ । ରବିବାର ପୂର୍ବାହ୍ନରେ ଏସ୍ଆଇଟି ମୁଖ୍ୟ ତଥା ଅତିରିକ୍ତ ଏସ୍ପି ମିହିର ପଣ୍ଡାଙ୍କ ଉପସ୍ଥିତିରେ ଦୁହେଁ ଡେମୋ ଦେଖାଇ ଅଧିକ ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ମୃତ କାଳିଆଙ୍କ ପରିବାରକୁ ଉଚିତ ନ୍ୟାୟ ମିଳି ପାରିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡା ।
୩ ଦିନିଆ ରିମାଣ୍ଡରେ ୪ ଜଣ ଅଭିଯୁକ୍ତ ଆସିବା ପରେ ଶନିବାର କୁନୁମୁନି ସୁଆର ଓ ପ୍ରଫୁଲ୍ଲ ମହାପାତ୍ର ଓରଫ ଟୁଟୁ ବାରବାଟୀ ଜାଗା ଚଉତରାରେ କାଳିଆଙ୍କୁ ହତ୍ୟାର ଡେମୋ ଦେଖାଇଥିଲେ । ଟୁଟୁ ପଛପଟୁ କାଳିଆଙ୍କ ମୁଣ୍ଡକୁ ଗୁଳି କରିଥିଲା । ପରେ କୁନୁମୁନି ତାଙ୍କ ଛାତିକୁ ଗୁଳି କରିଥିଲା । ହତ୍ୟା ପରେ ଓ ପୂର୍ବରୁ ବାବା ଓ ହରିର ସମ୍ପୃକ୍ତି ନେଇ ଦ୍ୱିତୀୟ ଦିନରେ ଡେମୋ ପ୍ରସ୍ତୁତ କରାଯାଇଥିଲା । ମିଳିଥିବା ତଥ୍ୟ ଅନୁସାରେ ବାରବାଟୀ ଜାଗା ସାମ୍ନାରେ ରହିଛି ନାଗାମଠ । ହତ୍ୟାକାଣ୍ଡ ପୂର୍ବରୁ ହରି ସେଠାରେ ପହଞ୍ଚିଥିଲା । ମଠରେ ଲୁଚି ରହିଥିଲା ହରି । ନିଜ ଘରେ କୁନୁମୁନି ଟୁଟୁ ସହ ଅପେକ୍ଷାରେ ଥିଲା । ସେପଟେ କାଳିଆ ଓ ବାବାର ଘର ପାଖାପାଖି । କାଳିଆ ବାରବାଟୀ ଜାଗାକୁ ଆସିବାକୁ ହେଲେ ବାବାର ଘର ଅତିକ୍ରମ କରିବାକୁ ପଡେ଼ । ତେଣୁ ବାବା ନିଜ ଘରେ ରହି କାଳିଆଙ୍କ ଗତିବିଧି ଉପରେ ନଜର ରଖିଥିଲା । କାଳିଆ ଯେତେବେଳେ ବାବା ଘର ଅତିକ୍ରମ କରିଥିଲା ସେତେବେଳେ ନାଗା ମଠରୁ ଥାଇ ଜାଣି ପାରିଥିଲା ହରି । କାରଣ ହରିକୁ ଫୋନ୍ କଲ୍ କରି ବାବା ଜଣାଇଥିଲା । ତତ୍କ୍ଷଣାତ୍ ମଠ ଛାତ ଉପରକୁ ଚାଲି ଯାଇଥିଲା ହରି । କାଳିଆ ବାରବାଟୀ ଜାଗାରେ ପହଞ୍ଚିବା କ୍ଷଣି କୁନୁମୁନି ଓ ଟୁଟୁକୁ ଖବର ଦେଇଥିଲା । ତେଣୁ ଉଭୟ ବାଇକ ଯୋଗେ ବାରବାଟୀ ଜାଗାକୁ ଆସିଥିଲେ । ଜାଗା ଚଉତରାରେ କାଳିଆଙ୍କୁ ହତ୍ୟାବେଳେ ନିକଟ ନାଗାମଠ ଛାତ ଉପରୁ ଦେଖୁଥିଲା ହରି । ହତ୍ୟା ପରେ ଦୁହେଁ ଜାଗା ଗେଟ୍ ଦେଇ ବାହାରକୁ ଆସିବା ମାତ୍ରେ ହରି ମଠ ଛାତରୁ ଓହ୍ଲାଇ ସେମାନଙ୍କ ବାଇକରେ ବସିଥିଲା । ୩ ଜଣ ବାଇକ ଯୋଗେ ଖସି ପଳାଇଥିଲେ । ପରେ ବାବା ଅନ୍ୟ ଏକ ବାଇକ ଯୋଗେ ଘରୁ ଚମ୍ପଟ ମାରିଥିଲା । ହରିକୁ ନେଇ ପୁଲିସ ନାଗାମଠ ଓ ବାବାକୁ ତା’ ଘର ପର୍ଯ୍ୟନ୍ତ ନେଇଥିଲା । ଉଭୟ ସେହି ସମୟର ଡେମୋ ଦେଖାଇଥିଲେ ।
୩ ଦିନ ଅର୍ଥାତ୍ ୭୨ ଘଣ୍ଟା ପାଇଁ ୪ ଜଣଙ୍କୁ ରିମାଣ୍ଡ ମିଳିଛି । ତେଣୁ ଶନିବାର ପୂର୍ବାହ୍ନ ୧୦ଟାରୁ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ ସମୟ ଅନୁସାରେ ମଙ୍ଗଳବାର ପୂର୍ବାହ୍ନ ୧୦ ପୂର୍ବରୁ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡା । ଏସ୍ପିଙ୍କ ନିଦେ୍ର୍ଧଶ କ୍ରମେ ଗଠିତ ଏସ୍ଆଇଟି (ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍) ତଦନ୍ତ ଜାରି ରଖିଥିବା ବେଳେ ଟାଉନ୍ ଥାନାରେ ୪ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ମାମଲାରେ ଜଡ଼ିତ ବାଇକ ଏଯାଏଁ ଜବତ କରିନି ପୁଲିସ । ବନ୍ଧୁକ ମିଳିଥିବା ବେଳେ ବାଇକ ମିଳିନି । ତେଣୁ ବାଇକ ପଛରେ ଆଉ କିଛି ରହସ୍ୟ ଲୁଚି ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ କାଳିଆଙ୍କୁ ଯୋଜନାବଦ୍ଧ ଭାବେ ବାରବାଟୀ ଜାଗା ଚଉତରାରେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ମାମଲାରେ ପ୍ରଥମେ ୬ ଜଣ ଓ ପରେ ୪ ଜଣଙ୍କୁ ବାନ୍ଧିଥିଲା ପୁଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons