ପୁଲିସ ଘରେ ନକଲି ମଦ କାରଖାନା :କନେଷ୍ଟବଳଙ୍କ ସହ ୩ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଖାକିରେ ଦାଗ! ପୁଲିସ କନେଷ୍ଟବଳଙ୍କ କୁକୁଡ଼ାଫାର୍ମରେ ନକଲି ମଦ କାରଖାନା । ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମ ନିକଟ ହନୁମାନ ନଗରରେ କନେଷ୍ଟବଳ ଚିନିମିନି ବାରିକଙ୍କ ଫାର୍ମରେ ଚାଲିଥିଲା ଏହି ର୍ୟାକେଟ୍ । ବଡ଼ ବଜାର ଥାନା ପୁଲିସ ଶୁକ୍ରବାର ନକଲି ମଦ କାରଖାନାକୁ ଠାବ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ର୍ୟାକେଟ୍ର ମୁଖ୍ୟ ପୁଲିସ କନେଷ୍ଟବଳ ତଥା ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମର ଚିନିମିନି ବାରିକ, ବଡ଼ବଜାର ଥାନା ଗେଲାଦୁଲା ସାହିର ବାବୁ ସାହୁ(୩୬) ଓ ସୁକୁଣ୍ଡାର ରନୋଜ ଦାସ(୨୨) ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି । ଅଭିଯୁକ୍ତଙ୍କ ଠାରୁ ୪୦୪ ବୋତଲ ଅପମିଶ୍ରିତ ବିଭିନ୍ନ କମ୍ପାନି ନାମରେ ପ୍ରସ୍ତୁତ ହୋଇଥିବା ନକଲି ମଦ, ୨ଲିଟର ସ୍ପିରିଟ୍, ଗୋଟିଏ ଲିଟର କାରାମେଲ୍ କଲର, ଶହେଟି ବିଭିନ୍ନ ମଦ କମ୍ପାନିର ଠିପି, ୧୫୦ଟି ଖାଲି ବୋତଲ, ୬୦ ସିଟ୍ ଅବକାରୀ ଲେବଲ୍ ଓ ଗୋଟିଏ ଅଟୋ ଜବତ କରାଯାଇଥିବା ଏସ୍ଡିପିଓ ପତି କହିଛନ୍ତି ।
ଏସ୍ଡିପିଓ ପତିଙ୍କ ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ନ ୧ଟାରେ ଏସ୍ଆଇ ରଞ୍ଜିତ କୁମାର ଦାଶ ଓ ଟିମ୍ ଭୈରବୀ ମାର୍କେଟ୍ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଟୋ(ଓଡି୦୭ଏଏ-୦୫୨୮)କୁ ଅଟକାଇ ଯାଞ୍ଚ କରିଥିଲେ । ସେଥିରୁ ଏକ ବିଦେଶୀ କମ୍ପାନର ୮କାର୍ଟୁନ୍ ମଦ ଜବତ ହୋଇଥିଲା । ଗାଡ଼ି ଚଳାଉଥିବା ବାବୁ ସାହୁକୁ ପୁଲିସ ଜେରା କରିବା ପରେ ସେ ନକଲି ମଦ ବୋଲି ମାନିଥିଲା ଏବଂ ଲଙ୍ଗଳଦେଇରେ ପ୍ରସ୍ତୁତ ହେଉଥିବା କହିଥିଲା । ବଡ଼ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଟିମ୍ ସହ ସେଠାରେ ଚଢ଼ାଉ କରିଥିଲେ । ଲଙ୍ଗଳଦେଇ ହନୁମାନ ନଗରରେ କନେଷ୍ଟବଳ ଚିନିମିନି ବାରିକଙ୍କ କୁକୁଡ଼ାଫାର୍ମରେ ଥିବା ଏକ ରୁମ୍ରେ ମଦ ପ୍ରସ୍ତୁତ କରାଯାଉଥିଲା । ଏଠାରେ ମଦ ପ୍ରସ୍ତୁତ ହେବା ପରେ ବଡ଼ ବଜାରରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଚିନିମିନି ମୁଖ୍ୟ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଏଠାରେ କାମ କରୁଥିଲେ । ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଚିନିମିନିକୁ ଗିରଫ କରିଥିଲା ।
ଚିନିମିନି ବ୍ରହ୍ମପୁର ପୁଲିସ ଜିଲ୍ଲା ବୋମା ନିଷ୍କ୍ରିୟ ସ୍କ୍ୱାଡ୍ରେ କାମ କରୁଥିବା ବେଳେ ଶୁକ୍ରବାର ସେ ମେସେଞ୍ଜର ନେଇ କଟକ ଯାଇଥିଲେ । ବଡ଼ ବଜାର ଥାନା ପୁଲିସ କଟକ ପୁଲିସ ସହ ଯୋଗାଯୋଗ କରି ଚିନିମିନିକୁ ଅଟକ ରଖିବାକୁ କହିଥିଲା । ସେଠାରୁ ଚିନିମିନିକୁ ବ୍ରହ୍ମପୁରର ଏକ ଟିମ୍ ଯାଇ ଆଣିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍କୁ ପଠାଇ ଦିଆଯାଇଛି ବୋଲି ଏସ୍ଡିପିଓ କହିଛନ୍ତି ।
ପୁଲିସ ଖାକିରେ ଏକା ଏକ ଦାଗ ଭଳି । ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ରେଡକ୍ରସ୍ ରସିଦ ବହି ନକଲ କରି ଜଣେ କନେଷ୍ଟବଳ ଗିରଫ ହୋଇଥିଲେ । ନକଲି ଗୁଟଖା କାରବାରରେ ସଂପୃକ୍ତି ନେଇ ଜଣେ କନେଷ୍ଟବଳଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । କିଛି କନେଷ୍ଟବଳ ଓ ହୋମଗାର୍ଡଙ୍କୁ ନେଇ ବହୁ ପିଟିସନ୍ ଆସିଥିବା ବେଳେ ତାହାର ତଦନ୍ତ ଚାଲିଛି । ବ୍ରହ୍ମପୁର ପୁଲିସ ଜିଲ୍ଲା ଏଏସ୍ପି ଅସୀମ କୁମାର ପଣ୍ଡା କହିଛନ୍ତି, କୋର୍ଟ ଚାଲାଣ ହୋଇଥିବା କନେଷ୍ଟବଳ ଚିନିମିନି ବାରିକଙ୍କ ବିରୋଧରେ ଆଇନଗତ ଶୃଙ୍ଖଳା କାର୍ଯ୍ୟାନୁÂାନ ଗ୍ରହଣ ହେବ ଏବଂ ତାଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ପ୍ରକ୍ରି୍ରୟା ଆରମ୍ଭ ହୋଇଛି । ଏହି ମାମଲାରେ ଯେଉଁ ମାନେ ବି ସଂପୃକ୍ତ ରହିଛନ୍ତି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons