ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲାକ

Get real time updates directly on you device, subscribe now.

ବରପାଲି,(ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ବରପାଲିର ଟାଣୁଆ କଂଗ୍ରେସ ନେତା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ୬୪ ବର୍ଷ ବୟସରେ ପରଲୋକ ଘଟିଛି । ଆଜି ସେ ତାଙ୍କ ବରପାଲି ନୂଆପଡ଼ା ବାସଭବନରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବରପାଲିର ଏକ ଘରାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ସେ ଚିକିତ୍ସିତ ଅବସ୍ଥାରେ ହିଁ ସକାଳ ୧୧.୨୦ ମିନିଟରେ ମୃତୁ୍ୟବରଣ କରିଥିଲେ । ହୃଦ୍ଘାତରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ରିପୁନାଥ ସେଠଙ୍କ ଜନ୍ମ ୨୭ ଅକ୍ଟୋବର ୧୯୫୮ରେ ବରପାଲିରେ ହୋଇଥିଲା । ସେ ୧୯୮୩ରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କିଛି ଦିନ ପାଇଁ ଦିଲ୍ଲୀରେ ରହିଥିଲେ । ସେଠାରୁ ଫେରି ବରପାଲିରେ ହିଁ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୧୯୯୧ରେ ବରପାଲି ଏନ୍ଏସିର ଚେୟାରମେନ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟ ପାଇ ସେ ୧୯୯୫ରେ ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସେ ଗଣଶିକ୍ଷା ମନ୍ତ୍ରୀ ଓ ପରେ ଶକ୍ତି ବିଭାଗ ଦାୟିତ୍ୱ ଗ୍ରହଣ କରିଥିଲେ । ବିଜେପୁର ନିର୍ବାଚନ ମଣ୍ଡଳୀର ସେ ପ୍ରଥମ କରି ମନ୍ତ୍ରୀମଣ୍ଡଳରେ ସ୍ଥାନୀତ ହୋଇଥିଲେ ।
ଏହି ଆକସ୍ମିକ ଘଟଣାର ଖବର ପାଇ ବିଜେପୁର ବିଧାୟିକା ରୀତା ସାହୁ, ନବ ନିର୍ବାଚିତ ନଗରପାଳ ଦିନେଶ ଗହୀର, ପ୍ରଭାତ ଆଦିତ୍ୟ ମିଶ୍ର, ପୂର୍ବତନ ଚେୟାରମେନ୍ କିଶୋର ଦଫାଦାର, ଅଚୁ୍ୟତାନନ୍ଦ ଦାଶ, ସୁରେଶ ଶତପଥୀ, ଅଶୋକ ପାଣିଗ୍ରାହୀ, ଟିକାୟତ ମହତ୍ତମ, ଗୌରହରି ମିଶ୍ର, ନନ୍ଦଲାଲ ସାହୁ, ଅରୁଣ ଶର୍ମା, ହରଦୀପ ସିଂ, ନିହାର ମହାନନ୍ଦ, ନିପନ ଦାଶ ତଥା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ତାଙ୍କ ଶେଷଦର୍ଶନ କରିଥିଲେ । ବାରଖଣ୍ଡିଆରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବଡ଼ପୁଅ ଅନିମେଶ ମୁଖାଗ୍ନି ଦେଇଥିଲେ । ମଝିଆ ପୁଅ ଅଭିଷେକ ଓ ସାନ ପୁଅ ଅଂଶୁମାନ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons