ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ:ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଝିଅର ମୃତୁ୍ୟ ଖବର ପାଇବା ପରେ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ୍ ସ୍କୁଲର ପ୍ରଧାନ ଶିକ୍ଷକ, ହଷ୍ଟେଲ ୱାର୍ଡେନ ଓ ସହକାରୀ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ ଝିଅର ମୃତୁ୍ୟ ହୋଇଥିବା ଜାଣିବା ପରେ ମାଆ ଅଚେତ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଭଷ୍ମା ଥାନା ଅନ୍ତର୍ଗତ ଭାଲୁଗାଡ଼ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀ ଲେଫି୍ରପଡ଼ା ପଟୁଆଡ଼ିହି ପଞ୍ଚାୟତ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେ ସେହି ସ୍କୁଲ ପରିସରରେ ଥିବା ହଷ୍ଟେଲରେ ରହୁଥିଲେ । ତେବେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଛାତ୍ରୀମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଛାତ୍ରୀମାନେ ଅଭିଯୋଗ କରି ଆସୁଥିଲେ । ଲେଫ୍ରିପଡ଼ା ଥାନା ପୁଲିସ୍ ନିକଟରେ ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଥିଲା । ତଦନ୍ତ ପାଇଁ ଗତକାଲି ପୁଲିସ୍ ଉକ୍ତ ସ୍କୁଲକୁ ଯାଇଥିଲା । ପୁଲିସ୍ ସ୍କୁଲରୁ ଆସିବା ପରେ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନାର ଆହୁରି ବଢ଼ି ଯାଇଥିଲା । ଆଜି ଉକ୍ରଳ ଦିବସ ଥିବାରୁ ସ୍କୁଲ ଛୁଟି ଥିଲା । ଅପରାହ୍ନ ୧.୩୦ ମିନିଟ୍ ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟାହ୍ନ ଭୋଜନ ପରେ ହଷ୍ଟେଲର ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଲେଫ୍ରିପଡ଼ା ପୁଲିସ୍ ଓ ଡିଇଓ ଏବଂ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ଦେହକୁ ପୁଲିସ୍ ଜବତ କରି ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ରଖିଛି । ଅପରପକ୍ଷରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରାଯାଇଛି । ଝିଅର ମୃତୁ୍ୟ ଖବର ଶୁଣିବା ପରେ ମା’ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons