ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ବେଳେ ୨ ଗିରଫ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଇଁଲାପାଲିରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ ପହଞ୍ଚି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଜବତ ବଜ୍ରକାପ୍ତାର ଓଜନ ସାଢେ଼ ୧୧କେଜି ରହିଛି । ଏସଟିଏଫ୍ ଓ ବଲାଙ୍ଗିର ବନବିଭାଗର ମିଳିତ ଚଢ଼ଉରେ ଦୁଇଜଣ ବଜ୍ରକାପ୍ତା ତସ୍କରଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଟାଉନ ଥାନା ଖଲିଆପାଲିର ହେମସାଗର ମହାନନ୍ଦ ଓ ତୁଷୁରା ଥାନା ଅଇଁଲାପାଲି ଗାଁର ଲକ୍ଷ୍ମୀଧର ନାୟକ । ଗତକାଲି ବିଳମ୍ବିତ ରାତିରେ ଏହି ଅପରେସନ ହୋଇଥିବା ବେଳେ ଜବତ ବଜ୍ରକାପ୍ତା ଏବଂ ଗିରଫ ଅଭିଯୁକ୍ତଙ୍କୁ ଏସଟିଏଫ ବଲାଙ୍ଗିର ଡିଏଫଓଙ୍କୁ ହସ୍ତାନ୍ତର କରିଛି ।
ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ଅଇଁଲାପାଲି ଛକ ନିକଟରେ ବାଜ୍ରକାପ୍ତା ଧରି ବିକ୍ରି କରିବା ପାଇଁ ମୂଲଚାଲ ବେଳେ ଏସଟିଏଫ ଏବଂ ସଦର ଓ ଦେଓଗାଁ ରେଞ୍ଜ୍ ଅଧିକାରୀ ମିଳିତ ଭାବେ ଚଢ଼ଉ କରିଥିଲେ । ପୂର୍ବରୁ ଗତ ଜାନୁଆରୀ ମାସରେ ଦେଓଗାଁ ଅଞ୍ଚଳରୁ ଏସଟିଏଫ ଏକ ବଜ୍ରକାପ୍ତା ଉଦ୍ଧାର କରିଥିଲା । ଏଥିସହ ଚୋରାଚାଲାଣରେ ସମ୍ପୃକ୍ତ ପୂର୍ବତନ ବନବିଭାଗ କର୍ମଚାରୀ ତଥା ରାଜସ୍ୱ ବିଭାଗ କର୍ମଚାରୀ ଲରମ୍ଭା ଥାନା ଅଞ୍ଚଳର ଅଜିତ ବୁଡେକକୁ ଗିରଫ କରିଥିଲା । ପ୍ରକାଶ ଯେ, ବାଜ୍ରାକାପ୍ତା ଚୋରାଚାଲାଣରେ ବନବିଭାଗ ପୂର୍ବଥର ଭଳି ଏଥର ମଧ୍ୟ ରାକେଟର ତୃଣମୂଳ ସ୍ତରରେ ଥିବା ଅଭିଯୁକ୍ତଙ୍କୁ ଧରିଛି । ତେବେ ଏହି ରାକେଟରେ ବିର୍ଲା ସିମେଣ୍ଟ କମ୍ପାନିରେ କାମ କରୁଥିବା ବିଦ୍ୟାଧର ସ୍ୱାଇଁ ରହିିଥିବା ଗିରଫ ଅଭିଯୁକ୍ତ ଦ୍ୱୟ କହିଛନ୍ତି । ଉଭୟ ହେମସାଗର ଏବଂ ଲକ୍ଷ୍ମୀଧର ଦିନମଜୁରିଆ ହୋଇଥିବା ବେଳେ ବିଦ୍ୟାଧରଙ୍କ ସହ ଏକ ହୋଟେଲରୁ ସେମାନଙ୍କ ଚିହ୍ନା ପରିଚୟ ହୋଇଥିଲା । ଜଣେ ସମ୍ପର୍କିୟଙ୍କ ବାହାଘର ପାଇଁ ଟଙ୍କା ଆବଶ୍ୟକ ଥିବାରୁ ସେମାନେ ବିଦ୍ୟାଧରଙ୍କୁ ମାଗିଥିଲେ । ବିଦ୍ୟାଧର ସେମାନଙ୍କୁ ଏକ ବ୍ୟାଗ ଧରାଇ ଚାଲିଯାଇଥିଲା । ଯାହା ବନ ବିଭାଗର ଯାଞ୍ଚ ବେଳେ ବଜ୍ରକାପ୍ତା ବାହାରିଥିଲା ବୋଲି ସେମାନେ କହିଛନ୍ତି । ତେବେ ସେମାନଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଗିରଫ ହେମସାଗର ଓ ଲକ୍ଷ୍ମୀଧରଙ୍କୁ ବଲାଙ୍ଗୀର ବନବିଭାଗ କୋର୍ଟଚାଲାଣ କରିଛି ।
ସୂଚନା ଥାଉକି, ୨୦୨୦ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଏସ୍ଟିଏଫ୍ ୧୨ଟି ଜୀବନ୍ତ ବଜ୍ରକାପ୍ତା ଜବତ କଲାଣି । ଏଥିସହ ୨୩.୫ କିଲୋ ବଜ୍ରକାପ୍ତା କାତି, ୨୬ଟି ବାଘ ଛାଲ, ୧୫ଟି ହାତୀ ଦାନ୍ତ ଓ ୭ଟି ହରିଣ ଚମଡ଼ା ଜବତ କରିଛି । ୬୩ ଜଣ ବନ୍ୟଜନ୍ତୁ ମାଫିଆଙ୍କୁ ଗିରଫ କରିଥିବା ଏସଟିଏଫ ପ୍ରକାଶ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons