ବଡ଼ଦେଉଳରେ ରାଧାଦାମୋଦର ବେଶ,ବାଳଭୋଗ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ରାଧାଦାମୋଦର ବେଶ ଆରମ୍ଭ ହୋଇଛି । ଏଥିସହ ବଡ଼ଦେଉଳରେ ଠାକୁରଙ୍କୁ ବାଳଭୋଗ ଅର୍ପଣ କରାଯାଉଛି । ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବଡ଼ଦେଉଳରେ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ଚାଲିବ ।
ରାଧାଦାମୋଦର ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ପରିଧାନ କରି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉଛନ୍ତି । ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭା ପାଉଛି । ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ, ଚିତା, କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରୁଛନ୍ତି । ବାରଲାଗି ପାଟ ଓ ପୁଷ୍ପ ଅଳଙ୍କାର ପରିଧାନ କରି ଉଭା ହେଉଛନ୍ତି । ଠାକୁରଙ୍କ ଦାମୋଦର ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଅନୁÂିତ ହେବ । କାର୍ତ୍ତିକର ଶେଷ ୫ ଦିନ ଅର୍ଥାତ୍ ପଞ୍ଚୁକର ପ୍ରଥମ ଦିନ ନଭେମ୍ବର ୧୫ରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ, ୧୬ରେ ବାଙ୍କଚୁଡ଼ ବେଶ, ୧୭ରେ ତ୍ରିବିକ୍ରମ ବେଶ, ୧୮ରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣମୀ ୧୯ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁÂିତ ହେବ ।
କେବଳ କାର୍ତ୍ତିକ ମାସରେ ହିଁ ମିଳେ ବାଳଭୋଗ । ସକାଳଧୂପ ପରେ ବାଳଭୋଗ ଲଗାଯାଏ । ରାଧା ଦାମୋଦର ବେଶରେ ଥାଇ ଶ୍ରୀବିଗ୍ରହଙ୍କୁ ସ୍ୱତନ୍ତ୍ର ବାଳଧୂପ ଅର୍ପଣ କରାଯାଉଛି । ଠାକୁରଙ୍କୁ ପାଚିଲା କଦଳୀ, ସେଓ, ଚାଉଳିଆ, ନଡ଼ିଆ ଆଦି ଫଳମୂଳ ସହ ଲିଆ, ଛତୁଆ ଓ ସୋଲା ଆଦି ଭୋଗ ଲଗାଯାଉଛି । ହବିଷ୍ୟାଳିମାନେ ମଧ୍ୟ ଠାକୁରଙ୍କ ବାଳଭୋଗରେ ଭୋଗ ଲଗାନ୍ତି । ସକାଳେ ଠାକୁରଙ୍କ ଏହି ଭୋଗ ଲାଗୁଥିବା ବେଳେ ଦିନ ତମାମ୍ ଶ୍ରୀମନ୍ଦିରରେ ମିଳେ ବାଳଭୋଗ ।
ଆନନ୍ଦବଜାରକୁ ପ୍ରବେଶ ପଥ ବାଇଶି ପାହାଚରେ ବିକ୍ରୟ ହୁଏ ବାଳଭୋଗ । ମସଲା ପାଗ କରି ଲିଆରେ ଭଲଘିଅ ଛୁଙ୍କ ହୋଇ ଅଦା ନଡ଼ିଆ କଟା ହୋଇ ପଡ଼ିଥାଏ । ବାଳଭୋଗ ପ୍ରସ୍ତୁତ କରିବାର ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । ପ୍ରଥମେ ଧାନକୁ ଭଜାଯାଏ । ପରେ ବଛାଯାଇ ଲିଆ ପ୍ରସ୍ତୁତ କରାଯାଏ । ଜିରା, ଧନିଆ, ଗୋଲମରିଚ, ଡାଲଚିନି ମସଲା ଗୁଣ୍ଡ ହୋଇ ପାଗ ହୁଏ । ଲୁଣ, ଅଦା ଛେଦା ହୋଇ ଗୋଳେଇ ଦିଆଯାଏ । ଶେଷରେ ଭଲଘିଅରେ ଭାଜି ଦିଆଯାଏ । ଏହି ବାଳଭୋଗ ଥରେ ଯିଏ ପାଇଛି, ସିଏ ପ୍ରତିବର୍ଷ ସେହି ଭୋଗକୁ ଖୋଜେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons