ବଡ଼ବିଲ ପୌରପାଳିକା ଆକାଉଣ୍ଟରୁ ୨.୪୫ କୋଟି ହଡ଼ପ:୨ ଠକଙ୍କୁ ବାନ୍ଧିଲା ଇଓଡବ୍ଲୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଆକାଉଣ୍ଟ୍ରୁ ୨ କୋଟି ୪୫ ଲକ୍ଷ ଟଙ୍କା ହଡ଼ପ ମାମଲାରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୨ ଠକଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ପୁଲିସ ସହାୟତରେ ଇଓଡବ୍ଲୁ ସୁବାସ ଘିସିଙ୍ଗ୍ ଗିରିଙ୍କୁ ପଶ୍ଚିମବଙ୍ଗ ବାରାକପୁରରୁ ଗିରଫ କରିଥିବା ବେଳେ କେନ୍ଦୁଝର ପୁଲିସ ସହାୟତାରେ ସୟଦ ଶାହାବାଜ ନାକଭିଙ୍କୁ ଛତିଶଗଡ଼ରୁ ଗିରଫ କରିଛି ।
ଇଓଡବ୍ଲୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲ ପୌରପାଳିକାର ଡିଏମ୍ଏଫ୍ ଆକାଉଣ୍ଟ୍ ବଡ଼ବିଲ ବ୍ୟାଙ୍କ ଅଫ୍ ବରୋଦାରେ ରହିଛି । ଉକ୍ତ ଆକାଉଣ୍ଟ୍ରୁ ଗତ ୧୬ ତାରିଖ ଓ ୨୧ ତାରିଖରେ ସମୁଦାୟ ୨ କୋଟି ୪୫ ଲକ୍ଷ ୬୦ ହଜାର ଟଙ୍କା ଅନ୍ୟ ଆକାଉଣ୍ଟ୍କୁ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା । ଏନ୍ଇଏଫ୍ଟି, ଆର୍ଟିଜିଏସ୍ ମାଧ୍ୟମରେ ଓଡ଼ିଶା ବାହାରର ବିଭିନ୍ନ ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର ହୋଇଥିିଲା । ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ୪ ଜଣଙ୍କୁ ପ୍ରଦାନ କରାଯାଇଥିବା ଚେକ୍ର ଅବିକଳ ଏହି ଠକାମୀ ପାଇଁ ବ୍ୟବହାର ହୋଇଥିଲା । ଏହା ଜଣାପଡ଼ିବା ପରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଗତ ୨୩ ତାରିଖରେ ଏନେଇ ବଡ଼ବିଲ ଥାନା ଓ ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ ।
ତଦନ୍ତ ବେଳେ ଏହି ଟଙ୍କା ହଡ଼ପ ମାମଲାରେ ଏକ ର୍ୟାକେଟ୍ କାମ କରୁଥିବା ଇଓଡବ୍ଲୁ ଜାଣିବାକୁ ପାଇଥିଲା । ଏକ ଟିମ୍ ଗତ ୨୪ ତାରିଖରେ ପଶ୍ଚିମବଙ୍ଗ ପୁଲିସ ସହାୟତାରେ ବାରାକପୁରରେ ଚଢ଼ଉ କରି ସୁବାସ ଘିସିଙ୍ଗ ଗିରିଙ୍କୁ ଗିରଫ କରିଥିଲା । ତାଙ୍କୁ ୨୫ ତାରିଖରେ ବାରାକପୁର କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା । ତାଙ୍କୁ ବଡ଼ବିଲ ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରିଥିଲା । ସେହିପରି ଗତକାଲି କେନ୍ଦୁଝର ପୁଲିସ ସହାୟତାରେ ଇଓଡବ୍ଲୁ ଛତିଶଗଡ଼ ରାୟପୁରରେ ଚଢ଼ଉ କରି ସୟଦ ଶାହାବାଜ ନାକଭିଙ୍କୁ ଗିରଫ କରି ଆଜି ବଡ଼ବିଲ ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ହଡ଼ପ ହୋଇଥିବା ଟଙ୍କାରୁ ୧ କୋଟି ୧୫ ଲକ୍ଷ ଟଙ୍କା ଥିବା ଆକାଉଣ୍ଟ୍କୁ ଫ୍ରିଜ କରି ଦିଆଯାଇଛି । ଏହି ଠକେଇରେ ଏକ ବଡ଼ ର୍ୟାକେଟ୍ କାମ କରୁଛି । ଏମାନେ ବିଶେଷକରି ସରକାରୀ ଅଫିସର ଆକାଉଣ୍ଟ୍ରୁ ଟଙ୍କା ଆତ୍ମସାତ କରି ଚାଲିଛନ୍ତି । ର୍ୟାକେଟର ମାଷ୍ଟରମାଇଣ୍ଡ୍ ବିଷୟରେ ଇଓଡବ୍ଲୁ ହାତରେ ସୁରାକ୍ ଲାଗିଛି । ତାକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଇଓଡବ୍ଲୁର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons