ବଡ଼ଭାଇ ପରିବାରକୁ ମୂଳପୋଛ କରିଦେଲା ସାନଭାଇ

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ବୁ୍ୟରୋ): ‘ମୁଁ ଶିବପ୍ରସାଦ ସାହୁ କହୁଛି । ପାରିବାରିକ କଳହ ସକାଶେ ଭାଇ ଓ ମୋ ଭିତରେ ତିକ୍ତତା ଲାଗି ରହୁଥିଲା । ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । କାଲି ରାତିରେ ଭାଇ, ଭାଉଜ ଓ ପିଲାଛୁଆ ମିଶି ମୋତେ ମାଡ଼ ମାରିଲେ । ମୁଁ ମାନସିକ ସ୍ଥିତି ହରାଇ ବସିଲି । ରାଗି ସେମାନଙ୍କୁ ଜୀବନରୁ ମାରି ଦେଇଛି । ଏବେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି । ମାହାଙ୍ଗା ଯିବାକୁ ମୋ ପାଖରେ ସାଧନ ନାହିଁ । ଆଇନ ଯାହା ଦଣ୍ଡ ଦେବ ତାକୁ ଗ୍ରହଣ କରିବି ।’

  • ପ୍ରଥମେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା, ହତ୍ୟାକାରୀର ଏଭଳି ବୟାନ୍ ସମ୍ବଳିତ ଭିଡିଓ । ଯାହା ଏକରକମ ଚାଞ୍ଚଲ୍ୟ ଖେଳାଇଦେଲା ସାରା ରାଜ୍ୟରେ । ପରେ ପରେ, ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କଲା ଖୋଦ୍ ହତ୍ୟାକାରୀ । ପୁଲିସ ଆଗରେ ଦେଲା ଲୋମଟାଙ୍କୁରା ଜମାନବନ୍ଦୀ । ତା’ପରେ ଯାଇ ଜଣାପଡ଼ିଲା ଘଟଣା କେତେ ନାରକୀୟ ଓ ବୀଭତ୍ସ ।
    ମଙ୍ଗଳବାର ଭୋର୍ରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ନରସଂହାର । ଜମିଜମା ବିବାଦକୁ କେନ୍ଦ୍ର କରି ବଡ଼ଭାଇଙ୍କ ପୂରା ପରିବାରକୁ ମୂଳପୋଛ କରିଦେଇଛି ହତ୍ୟାକାରୀ ସାନଭାଇ । ଭୋର୍ ୪ଟାରେ ଘରେ ପଶି, ଶୋଇଥିବା ଅବସ୍ଥାରେ ବଡ଼ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁରିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ ସାନଭାଇ । ହତ୍ୟା ପରେ ଭିଡିଓ ରେକର୍ଡିଂ କରି ଦୋଷ ସ୍ୱୀକାର କରିବା ସହ ନିକଟସ୍ଥ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ ସାହୁ (୪୨) । ମୃତକମାନେ ହେଲେ କୁସୁପୁର ଗ୍ରାମର ଅଲେଖ ପ୍ରସାଦ ସାହୁ(୪୬), ପତ୍ନୀ ରଶ୍ମିରେଖା ସାହୁ(୩୮), ଝିଅ ସ୍ମୃତିସନ୍ଧ୍ୟା ସାହୁ(ପାୟଲ୍, ୧୮ ବର୍ଷ), ବଡ଼ପୁଅ ସ୍ମୃତିସାହିଲ୍ ସାହୁ(ଗୁଡୁ, ୧୬ବର୍ଷ) ଓ ସାନପୁଅ ସ୍ମୃତିସୌରଭ ସାହୁ(ରିଷି, ୧୫ବର୍ଷ) ।
    ଗ୍ରାମବାସୀଙ୍କଠାରୁ ଖବର ପାଇ ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରେ ପଡ଼ିଥିବା ପାଞ୍ଚଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍କୁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳ ଯାଞ୍ଚ୍ କରିଛି । କେନ୍ଦ୍ରାଞ୍ଚଳ ଆଇ.ଜି. ନରସିଂହ ଭୋଳ, କଟକ ଗ୍ରାମାଞ୍ଚଳ ଏସ୍ପି ବି. ଯୁଗଳକିଶୋର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ୨୦ ବର୍ଷ ଧରି ଲାଗି ରହିଥିବା ବିବାଦର ଭୟାନକ ପରିଣତି ସ୍ୱରୂପ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅନ୍ୟପକ୍ଷରେ, ବାଲିଚନ୍ଦ୍ରପୁର ଥାନା ହେପାଜତରେ ଥିବା ହତ୍ୟାକାରୀ ସାନଭାଇ ଶିବକୁ ମାହାଙ୍ଗା ପୁଲିସ ନିଜ ଅକ୍ତିଆର୍କୁ ଆଣି ପଚରାଉଚରା କରୁଛି । ଏମିତିକି ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କେହି ଅଛନ୍ତି କି ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ ଚଳାଇଛି ।
    ମିଳିଥିବା ଖବର ମୁତାବକ, କୁସୁପୁର ଗ୍ରାମର ସ୍ୱର୍ଗତ ଶ୍ରୀଚରଣ ସାହୁଙ୍କର ଦୁଇ ପୁଅ ଅଲେଖ ସାହୁ ଓ ଶିବ ପ୍ରସାଦ ସାହୁ । ଅଲେଖ ଗ୍ରାମରେ ଏକ ଭେରାଇଟି ଷ୍ଟୋର୍ କରିଥିଲେ । ପତ୍ନୀ ରଶ୍ମିରେଖା, ଝିଅ ସ୍ମୃତିସନ୍ଧ୍ୟା, ଦୁଇ ପୁଅ ଗୁଡୁ ଓ ରିଷିଙ୍କୁ ନେଇ ତାଙ୍କ ପରିବାର । ସେହିପରି ସାନଭାଇ ଶିବଙ୍କ ପତ୍ନୀ ସହ ଏକ ୧୩ ବର୍ଷର ଝିଅ ରହିଛନ୍ତି । ଶିବ ପେସାରେ ଜଣେ ଡ୍ରାଇଭର । ବାପାଙ୍କ ମୃତୁ୍ୟ ପରେ ଅଲେଖ ଓ ଶିବଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ବିବାଦ ଏତେ ଆଗକୁ ବଢ଼ିଯାଇଥିଲା କି ଶିବ ତାଙ୍କ ପତ୍ନୀ ଓ ଝିଅଙ୍କୁ ନେଇ ସେହି ଗ୍ରାମର ଆଉ ଜଣଙ୍କ ଘରେ ଭଡ଼ାରେ ରହୁଥିଲେ । ତେବେ ତିନିମାସ ତଳେ ମା’ଙ୍କ ମୃତୁ୍ୟ ହେବା ଯୋଗୁଁ ଶୁଦ୍ଧିକ୍ରିୟା ପାଇଁ ଉଭୟ ପରିବାର ମିଶିଥିଲେ । କିନ୍ତୁ ଜମିଜମା ବିବାଦର ଅନ୍ତ ହୋଇନଥିଲା । ବରଂ ମା’ଙ୍କ ମୃତୁ୍ୟ ପରେ ବିବାଦ ଅଧିକ ତେଜିଥିଲା । ଶିବ ବଡ଼ଭାଇ ଅଲେଖଙ୍କଠାରୁ ନିଜ ହକ୍ର ଜମି ମାଗି ଆସୁଥିଲା । ତେବେ କୌଣସି କାରଣ ପାଇଁ ଜମି ଭାଗବାଣ୍ଟ ହୋଇପାରୁନଥିଲା । ଏମିତିକି ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ମୁରବିମାନେ ଉଭୟଙ୍କ ମଧ୍ୟରେ ବିବାଦର ଆପୋସ ସମାଧାନ କରିବାକୁ ଚାହିଁଥିଲେ ମଧ୍ୟ ଶିବ ଏଥିରେ ରାଜି ହୋଇନଥିଲା । ଧୀରେ ଧୀରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା ।
    ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । ଏମିତିକି ଘଟଣା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଶିବ ଭିତରେ ଭିତରେ ଜଳୁଥିବା ବେଳେ ସେ ଅଲେଖଙ୍କ ସମେତ ତାଙ୍କ ପରିବାରକୁ ସମୂଳେ ନାଶ କରିବାକୁ ନିଷ୍ପତ୍ତି ନେଇଥିଲା । ଯୋଜନାବଦ୍ଧ ଭାବେ ଆଜି ଭୋର୍ରୁ ଅଲେଖଙ୍କ ପରିବାର ଲୋକେ ଶୋଇଥିବା ବେଳେ କଟୁରି ଧରି ସେଠାରେ ପହଞ୍ଚିଥିଲା ଶିବ । ଜଣଙ୍କ ପରେ ଜଣଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା କରିବା ପରେ ଘର ବାହାର ପଟୁ ତାଲା ପକାଇ ସେଠାରୁ ଫେରାର ହୋଇଯାଇଥିଲା ।
    ତେବେ ଅଲେଖ ସକାଳୁ ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କ ଘର କବାଟ ବାଡେ଼ଇଥିଲେ । ଭିତରୁ କୌଣସି ଉତ୍ତର ନମିଳିବାରୁ ଲୋକଙ୍କ ମନରେ ସନେ୍ଦହ ହୋଇଥିଲା । ତୁରନ୍ତ ଗ୍ରାମବାସୀ ପୁଲିସ୍କୁ ଖବର ଦେଇଥିଲେ । ମାହାଙ୍ଗା ଥାନା ପୁଲିସ୍ ପହଞ୍ଚି କବାଟ ତାଲା ଭାଙ୍ଗି ଭିତରେ ପଶିବା ପରେ ୫ଜଣଙ୍କ ରକ୍ତରଞ୍ଜିତ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଏସ୍ଡିପିଓ ବିମଳ ବାରିକ ସ୍ଥିତି ଯାଞ୍ଚ୍ କରିବା ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମାଣ ସଂଗ୍ରହ କରିଥିଲେ ।
    ଅନ୍ୟପକ୍ଷରେ, ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଶିବପ୍ରସାଦ ସାହୁ ନିଜର ଏକ ଭିଡିଓ କରି ସୋସିଆଲ୍ ମିଡିଆରେ ସେୟାର୍ କରିଥିଲା । ଯେଉଁଥିରେ ସେ ବଡ଼ଭାଇ ଅଲେଖଙ୍କ ପରିବାରକୁ ହତ୍ୟା କରିଥିବା ସ୍ୱୀକାର କରିଛି । ଅତ୍ୟାଚାର ସହି ମାନସିକ ସ୍ଥିତି ହରାଇ ବସିବାରୁ ସମସ୍ତଙ୍କୁ କଟୁରିରେ ହାଣି ହତ୍ୟା କରିଥିବା କଥା କହିଛି । ପରେ ଘରଠାରୁ ପ୍ରାୟ ୨ କିଲୋମିଟର ଦୂର ବାଲିଚନ୍ଦ୍ରପୁର ଥାନାରେ ସେ ଆତ୍ମସମର୍ପଣ କରିଥିଲା । ହତ୍ୟା ଘଟଣାକୁ ନେଇ ମୃତ ଅଲେଖଙ୍କ ଶାଶୂ ରୀନା ପୃଷ୍ଟି ମାହାଙ୍ଗା ଥାନାରେ ଏତଲା ଦେଇଥିଲେ ।
    ଅନ୍ୟପକ୍ଷରେ ଭଡ଼ାଘରେ ରହୁଥିବା ଶିବଙ୍କ ପତ୍ନୀ ସୁନିତା ଓ ଝିଅକୁ ପୁଲିସ ଏ ସଂପର୍କରେ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି । ବଡ଼ଭାଇଙ୍କ ପରିବାରକୁ ଜୀବନରୁ ମାରି ଦେବା ପରେ ଘଟଣାସ୍ଥଳରୁ ହତ୍ୟାକାରୀ ଶିବ ଚମ୍ପଟ୍ ମାରିଥିଲା । ଯାଜପୁର ଜିଲ୍ଲା ସୀମାରେ ପଶି ଫେରାର୍ ହେବାକୁ ବି ଚାହିଁଥିଲା । କିନ୍ତୁ ତା’ ପାଖରେ ଫେରାର୍ ହେବାକୁ ଟଙ୍କା ନଥିବାରୁ ଶେଷରେ ଆତ୍ମସମର୍ପଣ କରିବା ଛଡ଼ା ଆଉ କିଛି ବାଟ ରହିନଥିଲା । ଏମିତିକି ସେ ମାହାଙ୍ଗା ଥାନାକୁ ଫେରିବାକୁ ସାହସ କରିନଥିଲା । ଶେଷକୁ ଏକ ଭିଡ଼ିଓ କରି ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲା । ଯେଉଁଥିରେ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ଏହି ଭିଡିଓଟି ଭାଇରାଲ୍ ହେବା ପରେ ହିଁ ଏ ନାରକୀୟ କାଣ୍ଡ କଥା ସମସ୍ତଙ୍କୁ ଚମକାଇ ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons