ବନ୍ଧୁକ ଦେଖାଇ ବସ୍ ଯାତ୍ରୀଙ୍କୁ ଲୁଟିଲେ

Get real time updates directly on you device, subscribe now.

ବସ୍ତା,(ବି.ବି.ଆ.ପ୍ର): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଗାନ୍ଧିଛକ ଠାରେ ବନ୍ଧୁକ ଦେଖାଇ ଏକ ଯାତ୍ରୀବାହୀ ବସ୍ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଥାନାକୁ ଅଭିଯୋଗ ଆସିଛି । ଡକାୟତି ଅଭିଯୋଗ ପାଇ ବସ୍ତା ଥାନା ପୁଲିସ ଘଟଣାର ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଘଟଣାରୁ ପ୍ରକାଶ, ଶନିବାର ରାତି ୮ଟା ୩୦ରୁ ୯ଟା ମଧ୍ୟରେ ଭୋଗରାଇ ବ୍ଲକ କମର୍ଦ୍ଧା ଅଞ୍ଚଳରୁ ଏକ ଯାତ୍ରୀବାହୀ ବସ୍ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ୍ ଯାଉଥିଲା । ଏହି ବସ୍ରେ ଶ୍ରମିକ ଠିକାଦାର କମର୍ଦ୍ଧା ଅଞ୍ଚଳର ଚନ୍ଦନ ପାଲ ଲୁଟ୍ର ଶିକାର ହୋଇଥିବା ବେଳେ ଶ୍ରମିକମାନଙ୍କଠାରୁ ଦୁର୍ବୃତ୍ତ କିଛି ନେଇନଥିଲେ । ବସ୍ତା ଥାନା ଗାନ୍ଧିଛକ ଠାରେ ଉକ୍ତ ବସ୍କୁ ଜଳେଶ୍ୱର ଥାନା ବାଇଗଣବାଡ଼ିଆ ଅଞ୍ଚଳର ଜଣେ ଯୁବକ ଅଟକାଇ ଉକ୍ତ ଠିକାଦାରଙ୍କୁ ତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ ।
ଫଳରେ ବସ୍ରୁ ଠିକାଦାର ଓହ୍ଲାଇ ଆସିଥିଲେ । ଉଭୟ କଥାବାର୍ତ୍ତା ହେବା ମଧ୍ୟରେ ବାଇଗଣବାଡ଼ିଆ ଅଞ୍ଚଳର ଯୁବକ ଆଉ ଜଣେ ଶ୍ରମିକ ତାଙ୍କ ନିକଟରେ ଥିବା ଦର୍ଶାଇ ବସ୍ ପଛକୁ ଡାକିଥିଲେ । ଠିକାଦାର ବସ୍ ପଛକୁ ନେବାକୁ କହି ପଛେପଛେ ଯିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ୪ଜଣ ଯୁବକ ଠିକାଦାର ଚନ୍ଦନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିଜ ବାଇକ୍ରେ ବସିବାକୁ କହିଥିଲେ । ଚନ୍ଦନ ଜୀବନ ଭୟରେ ଡକାୟତଙ୍କ ଗାଡ଼ିରେ ବସିଯାଇଥିଲେ ।
ତାଙ୍କୁ ସେମାନେ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ନିକଟରେ ଥିବା ସୁନା ଚେନ୍, ୫ଟି ମୁଦି ଓ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ । ଏନେଇ ଚନ୍ଦନ ବସ୍ତା ଥାନାକୁ ମୋବାଇଲ ଫୋନ୍ ଦ୍ୱାରା ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ଚନ୍ଦନଙ୍କ କିଛି ବନ୍ଧୁ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons