ବସ୍- ହାଇୱା ଧକ୍କା, ଡ୍ରାଇଭର୍ ସହ ୮ ଆହତ

Get real time updates directly on you device, subscribe now.

ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ): ରବିବାର ମଧ୍ୟାହ୍ନରେ ତାରାତାରିଣୀ ମନ୍ଦିର ପାହାଡ଼ ରାସ୍ତାରେ ଯାତ୍ରାବାହୀ ବସ୍ ସହ ବାଲି ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ହାଇୱା ଡ୍ରାଇଭର ବୁଗୁଡା ଥାନା ଅଞ୍ଚଳର ବଳରାମ ସ୍ୱାଇଁ ଗୁରୁତର ହୋଇଛନ୍ତି ଓ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବସ୍ରେ ଥିବା ୨ ଛୁଆଙ୍କ ସହ ମୋଟ ୭ ଜଣ ଯାତ୍ରୀ ଆହତ ହୋଇଥିଲେ ହେଁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି । ସେମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ଦମୟନ୍ତୀ ପ୍ରଧାନ (୫୦), ଭାରତୀ ସାହୁ (୩୦), ଜୟନ୍ତୀ ସାହୁ (୪୦), ଶିବ ପ୍ରଧାନ (୧୪), ତୁଳସୀ ସାହୁ (୧୨), ସୁଦର୍ଶନ ପ୍ରଧାନ (୬୦) ଓ ଲିଲି ପ୍ରଧାନ (୩୭) ।
ବସ୍ (ଓଡି୦୭ଡବ୍ଲ୍ୟୁ -୯୫୧୪) ତାରାତାରିଣୀ ଦର୍ଶନ ପରେ ଭକ୍ତଙ୍କୁ ନେଇ ଘାଟି ତଳକୁ ଫେରୁଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବାଲି ବୋଝେଇ କରି ହାଇୱା (ଓଡି୦୭ଏବି-୫୬୩୩) ପାହାଡ ଉପର ମନ୍ଦିର ନିକଟକୁ ଯାଉଥିବା ବେଳେ ବସ୍ ସହ ସମ୍ମୁଖ ପଟୁ ଧକ୍କା ହୋଇଥିଲା । ମନ୍ଦିରକୁ ଲମ୍ବିଥିବା ଘାଟି ରାସ୍ତାର ପ୍ରଥମ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଖବର ପାଇ ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଦମକଳ ବାହିନୀ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ଯାତ୍ରୀମାନଙ୍କୁ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଦ୍ୱାରା ଉଦ୍ଧାର କରି ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ଥିଲା । ପୁଲିସ ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ରିପୋର୍ଟ ଲେଖାଯିବା ସୁଦ୍ଧା ମକଦ୍ଧମା ରୁଜୁ ହୋଇନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons