ବାଲି ଚୋରାଚାଲାଣ ବେଳେ ଚଢ଼ଉ:ଅତିରିକ୍ତ ତହସିଲଦାର, ୩ ଆରଆଇଙ୍କୁ ପିଟିଲେ ମାଫିଆ

Get real time updates directly on you device, subscribe now.

ଗଞ୍ଜାମ, (ବି.ବି.ଆପ୍ର): ଚୋରାଚାଲାଣ ଉପରେ ଚଢ଼ଉ ପାଇଁ ଯାଇଥିବା ଅତିରିକ୍ତ ତହସିଲଦାରଙ୍କ ସମେତ ୩ ଆର୍ଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ବାଲି ମାଫିଆ । ଗାଡ଼ି ଭଙ୍ଗାରୁଜା କରିବା ସହ ପିସ୍ତଲ ଦେଖାଇ ସେମାନେ ପିନ୍ଧିଥିବା ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ଗଞ୍ଜାମ ଥାନା ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀତଟରେ ଏହି ଘଟଣା ଘଟିଛି । ଆକ୍ରମଣରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ହୁମ୍ମା ଆର୍ଆଇ ଭାସ୍କର ସାହୁ, ବୁରୁଡ଼ି ଆର୍ଆଇ ସୀତାରାମ ସାହୁ ଏବଂ ବଡ଼ରାମଚନ୍ଦ୍ରପୁର ଆର୍ଆଇ ସୁରେନ୍ଦ୍ର କୁମାର ବେହେରା ଆହତ ହୋଇଛନ୍ତି । ସେମାନେ ପିନ୍ଧିଥିବା ସୁନା ଚେନ୍, ସୁନା ମୁଦି ଓ ମନିପର୍ସ ଲୁଟି ନେଇଛନ୍ତି ମାଫିଆ । ସୂଚନା ପାଇ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଗଞ୍ଜାମ ଆଇଆଇସି ଡି. ସ୍ୱରୂପ କିଶନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଚାରି ଅଧିକାରୀ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସେଠାରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ଅତିରିକ୍ତ ତହସିଲଦାର ମସ୍ତିଷ୍କ ଆଘାତର ସ୍କାନିଂ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଯାଇଥିଲେ । ରବିବାର ସନ୍ଧ୍ୟାରେ ସେ ଥାନାରେ ଏତଲା ଦେଇଛନ୍ତି । କେସ୍ ନମ୍ବର ୬୯/୨୦୨୨ ରୁଜୁ କରାଯାଇଛି । ପୁଲିସ ୨ ଜଣଙ୍କୁ ଅଟକ ରଖିଛି ଓ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର । ଅଜୟ ପରିଡ଼ା ଘଟଣାର ତଦନ୍ତ କରୁଛନ୍ତି ।
ଅଭିଯୋଗ ହୋଇଛି ଯେ, ଶନିବାର ରାତି ୨ଟା ବେଳେ ବାଲି ଚୋରାଚାଲାଣ ଖବର ପାଇ ଅତିରିକ୍ତ ତହସିଲଦାର ଏବଂ ୩ ଜଣ ଆର୍ଆଇ ଗାଡ଼ିରେ ଘଟଣାସ୍ଥଳକୁ ଯାଇଥିଲେ । ସେତେବେଳେ ସେଠି କୌଣସି ବାଲି ଗାଡ଼ି ନଥିଲା । ତେବେ ୨ ଜଣ ଯୁବକ ଏକ ବାଇକ୍ରେ ଆସିଥିଲେ । ରାତିରେ କୁଆଡେ ବୁଲୁଛ ବୋଲି ଅତିରିକ୍ତ ତହସିଲଦାର ପଚାରିବାରୁ ଶୌଚ ପାଇଁ ଆସିଛୁ କହି ଯୁକ୍ତିତର୍କ କରିବା ସହ ଆଉ ୨ ଜଣ ଯୁବକଙ୍କୁ ଡାକି ଆଣିଥିଲେ । ନିକଟସ୍ଥ ଝାଉଁ ବୁଦାରୁ ହଠାତ୍ କିଛି ମାଫିଆ ଓ ତାଙ୍କ ସହଯୋଗୀ ବାହାରି ସରକାରୀ ଅଧିକାରୀଙ୍କୁ ଲୁହା ରଡ୍, କାଠ ଓ ଗଛ ଡାଳରେ ପିଟିବା ଆରମ୍ଭ କରିଥିଲେ । ଆହତ ଅବସ୍ଥାରେ ଅତିରିକ୍ତ ତହସିଲଦାର ଏବଂ ଆର୍ଆଇ କୌଣସିମତେ ସେଠାରୁ ପଳାଇଥିଲେ । ସେମାନେ ଆସିଥିବା ଗାଡ଼ିର କାଚକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ । କିଛି ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଶୀଘ୍ର ସେମାନଙ୍କୁ ଧରାଯାଇ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ ବୋଲି ଗଞ୍ଜାମ ଥାନା ଆଇଆଇସି କହିଛନ୍ତି । ଅତିରିକ୍ତ ତହସିଲଦାର ଆକ୍ରମଣକାରୀଙ୍କ ନାମ ତହସିଲଦାରଙ୍କୁ ଜଣାଇଥିବା କହିଛନ୍ତି । ଲୁଟ ଗହଣା ଓ ପର୍ସ ମଧ୍ୟ ଫେରାଇ ଦେଇଥିବା କୁହାଯାଉଛି । ଗଞ୍ଜାମ ନିକଟ ରାଜପଥ ପାଶ୍ୱର୍ରେ ଏକ ପେଟ୍ରୋଲ୍ ଟାଙ୍କି ଜମିରେ ଚୋରା ବାଲି ଗଚ୍ଛିତ କରାଯାଉଥିବା ପ୍ରାଥମିକ ଭାବେ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ମାସ ୨୩ ତାରିଖରେ ପୁରୁଷୋତ୍ତମପୁର ଥାନା ଓ ହିଞ୍ଜିଳି ତହସିଲ ଅଧୀନ ଧୋବାଡ଼ି ପାଟପୁର ଗ୍ରାମରେ ନନ୍ଦିକ ଓ ବୁରୁପଡ଼ା ଆର୍ଆଇଙ୍କୁ ମାଫିଆମାନେ ଟ୍ରାକ୍ଟର୍ ମଡାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଉଠିଥିଲା । ସେମାନେ ମଧ୍ୟ ବାଲି ଚୋରାଚାଲାଣ ଧରପଗଡ଼ ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ସେହିପରି ଗତ ମାର୍ଚ୍ଚ ୧୭ରେ ଗୋବିନ୍ଦପୁର ଛକରେ ଜଣେ ଟ୍ରାକ୍ଟର୍ ଡ୍ରାଇଭର୍ କନିଷି ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons