ବେଆଇନ ସିମ୍ କାର୍ଡ ବିକ୍ରି ର୍ୟାକେଟର ପର୍ଦ୍ଧାଫାସ୍ :୧୯୮୨ ସିମ୍ କାର୍ଡ ଜବତ,୩ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ସାଇବର ଏବଂ ଇଓ (ଇକୋନୋମିକ ଅଫେନ୍ସ) ଥାନାକୁ ଶନିବାର ବଡ଼ ସଫଳତା ମିଳିଛି । ବେଆଇନ ସିମ୍ କାର୍ଡ ଆକ୍ଟିଭ କରି ବ୍ୟାଙ୍କ୍ ଜମାଖାତାରୁ ଟଙ୍କା ହଡ଼ପ୍ କରୁଥିବା ଏକ ର୍ୟାକେଟ୍ର ପର୍ଦ୍ଧାଫାସ କରିଛି । ଏହି ର୍ୟାକେଟ୍ରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଲିପୁ ଓରଫ ସୁମିତସାଗର ପାତ୍ର (୨୭), ସିଂଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାପି ଓରଫ ଗୁରୁପଦ ବେହେରା(୨୭), ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ଗ୍ରାମର ଦୀପୁ ଓରଫ ଦୀପକ କୁମାର ଜେନା (୩୪) । ଦୀର୍ଘ ବର୍ଷ ହେଲା ଜିଲ୍ଲାରେ ଏହି ବେଆଇନ କାରବାର ଚାଲୁଥିବାବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଶନିବାର ସାଇବର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ସୂଚନା ଦେଇଛି ।
ପୁଲିସ୍ର କହିବା କଥା³ ଚଳିତ ବର୍ଷ ନୀଳଗିରି ଅଞ୍ଚଳରୁ ଏକ ସାଇବର ଅଭିଯୋଗ ବାଲେଶ୍ୱର ସାଇବର ଥାନାକୁ ଆସିଥିଲା । ସାଇବର ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିଲେ । ଏହି ମାମଲାର ତଦନ୍ତ କରିବା ପରେ ବାଲେଶ୍ୱର ସାଇବର ଥାନା ପୁଲିସ୍ କିଛି ଲୋକଙ୍କ ନମ୍ବର ଟ୍ରାକିଂ କରିଥିଲା । ତେବେ ଯେଉଁମାନଙ୍କ ନମ୍ବର ଟ୍ରାକିଂ କରିଥିଲା³ ସେମାନେ ଜାଲ୍ ପ୍ରମାଣପତ୍ର ଦେଇ ସିମ୍ ଚଳାଉଥିବା ଜଣାପଡ଼ିଥିଲା । ଏନେଇ ବାଲେଶ୍ୱର ସାଇବର ପୁଲିସ୍ ଖୋଳତାଡ଼ କରୁଥିବା ବେଳେ ସମାନ ଅଭିଯୋଗରେ କଟକ ପୁଲିସ୍ ଅଙ୍ଗାରଗଡ଼ିଆ ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲା । ଏହା ପରେ ବାଲେଶ୍ୱର ପୁଲିସ୍ ବେଆଇନ ସିମ୍କାର୍ଡ ବିକ୍ରି କରୁଥିବା ର୍ୟାକେଟ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ନୀଳଗିରି ମାମଲାର ଟ୍ରାକିଂ ବେଳେ ଯେଉଁମାନେ ଜାଲ୍ ପ୍ରମାଣପତ୍ର ଦେଇ ସିମ୍ ଚଳାଉଥିବା ଜଣାପଡ଼ିଥିଲା, ସେମାନଙ୍କ ସହ ଆଲୋଚନା କରିଥିଲା । ସେମାନେ କେଉଁଠୁ ସିମ୍ କାର୍ଡ ଆଣିଥିଲେ ତାହା ପଚାରି ବୁଝିଥିଲା । ପରେ ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନି, ସିମ୍ କାର୍ଡ ଦେଉଥିବା ରିଟେଲର, ଡିଲରଙ୍କ ସହ ଯୋଗାଯୋଗ କରିଥିଲା । ଏହି ସମୟରେ ପୁଲିସ୍ ଦୀପକ ବିଷୟରେ ଜାଣିବାକୁ ପାଇଥିଲା । ପରେ ପୁଲିସ୍ ଦୀପକକୁ ଉଠାଇ ଆଣିବା ସହ ଜେରା ଆରମ୍ଭ କରିଥିଲା । ଜେରା ବେଳେ ଦୀପକ ସବୁ ସତ ଓଗାଳିଥିଲା । ଏହି କାମରେ ତାକୁ ସୁମିତ ସାଗର, ଗୁରୁପଦ ସହଯୋଗ କରୁଥିବା ସ୍ୱୀକାର କରିଥିଲା । ତିନିଜଣକୁ ପୁଲିସ୍ ଏକାଠି କରି ପଚରାଉଚୁରା କରିବା ବେଳେ ସବୁ କଥା ଜଣା ପଡ଼ିଥିଲା ।
ପୁଲିସ୍ ସୂଚନା ମୁତାବକ³ ଦୀପକ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡିଆକ୍ଟିଭ ସିମ୍ କାର୍ଡ ସଂଗ୍ରହ କରେ । ସିମ୍କାର୍ଡ ପାଇଁ ଆବେଦନ କରାଯାଇଥିବା ଆଧାରକାର୍ଡ ସହ ଅନ୍ୟ ପ୍ରମାଣପତ୍ର ମଧ୍ୟ ସଂଗ୍ରହ କରେ । ଏଥିପାଇଁ ପ୍ରତ୍ୟେକ ସିମ୍କୁ ୧୨୦ ଟଙ୍କାରେ କିଣେ । ପରେ ସେହି ସିମ୍ କାର୍ଡକୁ ସୁମିତ, ଗୁରୁପଦକୁ ଦିଏ । ସୁମିତି, ଗୁରୁପଦ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛନ୍ତି । ଏହି ଗ୍ରୁପ୍ରେ ର୍ୟାକେଟ୍ର ଅନ୍ୟ ସଦସ୍ୟମାନେ ରହିଛନ୍ତି । ସୁମିତ, ଗୁରୁପଦ ପ୍ରଥମେ ଏହି ସିମ୍ କାର୍ଡଗୁଡ଼ିକୁ କି-ପେଡ୍ ମୋବାଇଲରେ ପକାନ୍ତି । ହ୍ୱାଟ୍ସଅପ୍ ଗ୍ରୁପରେ ସିମ୍ କାର୍ଡ ନମ୍ବର ପଠାନ୍ତି । ଗ୍ରୁପ୍ରେ ଥିବା ଅନ୍ୟ ସଦସ୍ୟମାନେ ସେହି ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରନ୍ତି । ଆକାଉଣ୍ଟ ଖୋଲିବା ବେଳେ ଭେରିଫିକେସନ ପାଇଁ କି-ପେଡ୍ ମୋବାଇଲରେ ପକାଯାଇଥିବା ନମ୍ବରକୁ ଓଟିପି ଆସେ । ଏହି ଓଟିପିକୁ ସୁମିତ, ଗୁରୁପଦ ପଠାଇଲେ ଅନ୍ୟମାନେ ସେହି ଓଟିପି ଦେଇ ଆକାଉଣ୍ଟ ଆକ୍ଟିଭ କରନ୍ତି । ପରେ ଜମାଖାତାରୁ ଅଭିଯୁକ୍ତମାନେ ଟଙ୍କା ଅନଲାଇନରେ ଟ୍ରାନ୍ସଫର କରନ୍ତି ବୋଲି ପୁଲିସ କହିଛି । ଆକାଉଣ୍ଟ ଖୋଲିବା ବେଳେ ସେମାନେ ଜାଲ୍ ପ୍ରମାଣପତ୍ର ଦିଅନ୍ତି । ପରେ ଏହି ସିମ୍ କାର୍ଡକୁ ସେମାନେ ୪୦ରୁ ୪୫ ଟଙ୍କାରେ ଅନ୍ୟମାନଙ୍କୁ ବିକ୍ରି କରନ୍ତି । ବିଶେଷ କରି ସେମାନେ ରାଜ୍ୟ ବାହାର ଲୋକଙ୍କୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ନିଅନ୍ତି ବୋଲି ପୁଲିସ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।
ବିଶେଷ କରି ଏହି ସିମ୍ କାର୍ଡଗୁଡ଼ିକ ଅସାମାଜିକ ବ୍ୟକ୍ତି ବ୍ୟବହାର କରୁଥିବାରୁ ବିନା ଦୋଷରେ ନିଦେ୍ର୍ଧାଷ ଲୋକଙ୍କୁ ହରଡ଼ଘଣାରେ ପଶିବାକୁ ପଡେ଼ ବୋଲି ପୁଲିସ୍ କହିଛି । ଗିରଫ ୩ ଜଣଙ୍କ ନିକଟରୁ ପୁଲିସ୍ ୧୯୮୨ ଭୋଡାଫୋନ୍ ସିମ୍, ୨ ଲାପଟପ୍, ୯ ମୋବାଇଲ ଜବତ କରିଛି । ସାଇବର ଥାନା ଏସ୍ଆଇ ମାନସରଞ୍ଜନ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ କେସ ନଂ ୫/୨୨ରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଥିବା ଉପଆରକ୍ଷୀ ଅଧୀକ୍ଷକ କ୍ଷୀତିଶ କୁମାର ଜେନା, ଡିଆଇବି ଡିଏସ୍ପି ବ୍ରଜେଶ୍ୱରୀ ବଳ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଇବର ଥାନା ଆଇଆଇସି ମୀନା ବିନ୍ଧାଣୀ, ଏସ୍ଆଇ ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons