ବ୍ରାହ୍ମଣୀରେ ଭାସିଗଲେ ୩ ଛାତ୍ର:୨ ଉଦ୍ଧାର, ଜଣେ ନିଖୋଜ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ଆପ୍ର): ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ରବିବାର ୩ ଜଣ ଛାତ୍ର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଜଣେ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣକ ନୂଆପଡ଼ା ଗ୍ରାମର ଭରତ ବେହେରାଙ୍କର ପୁଅ ସୁଧାବିନ୍ଦୁ (୧୪) ବୋଲି ଜଣାପଡ଼ିଛି । ରାତି ୮ଟା ଯାଏ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ୍ ଛାତ୍ରଙ୍କ ସନ୍ଧାନ ପାଇପାରିନଥିଲେ । ସୋମବାର ସକାଳୁ ପୁଣି ସର୍ଚ୍ଚ ଅପରେସନ୍ ଆରମ୍ଭ ହେବ ବୋଲି ଜଣାଯାଇଛି । ଢେଙ୍କାନାଳ ସଦର ବ୍ଲକ୍ ଗଁଦିଆ ଥାନା ଅନ୍ତର୍ଗତ ରାଧାଦେଈପୁର ଗ୍ରାମପଞ୍ଚାୟତ ନୂଆପଡ଼ା ଗ୍ରାମର ବ୍ରାହ୍ମଣୀ ନଦୀଘାଟରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ, ରବିବାର ଛୁଟି ଥିବାରୁ ଦିନ ୧୧ଟା ବେଳେ ସୁଧାବିନ୍ଦୁଙ୍କ ସମେତ ଅନ୍ୟ ସାଙ୍ଗସାଥୀମାନେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ନୂଆପଡ଼ା-ବାଲିପଡ଼ା ବ୍ରାହ୍ମଣୀ ନଦୀଘାଟରେ ଗାଧୋଉଥିବା ବେଳେ ସୁଧାବିନ୍ଦୁଙ୍କ ସମେତ ମୁନା ସାହୁ (୧୪) ଏବଂ ଶୁଭମ୍ ଜେନା (୧୪) ୩ ଜଣ ଭାସି ଯାଇଥିଲେ । ଘାଟରେ ଗାଧୋଉଥିବା କେତେକ ଲୋକ ଏହା ଦେଖିପାରି ପହଁରି ପହଁରି ୨ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ସୁଧାବିନ୍ଦୁ ଗଣ୍ଡ ଭିତରକୁ ଚାଲି ଯାଇ ଭଉଁରି ଭିତରେ ସେ ନିଖୋଜ ହୋଇଯାଇଥିଲେ । ଖବରପାଇ ଯୋରନ୍ଦା ଫାଣ୍ଡି ପୁଲିସ୍ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ । ରାତି ୮ଟା ପର୍ଯ୍ୟନ୍ତ ନିଖୋଜ ସୁଧାବିନ୍ଦୁଙ୍କର କୌଣସି ପତ୍ତା ମିଳିପାରିନଥିଲା । ଅନ୍ଧାରରେ ଖୋଜିବା ସମ୍ଭବ ନହେବାରୁ ସୋମବାର ସକାଳୁ ପୁଣି ଖୋଜାଖୋଜି କରାଯିବ ବୋଲି ଜଣାଯାଇଛି । ସୁଧାବିନ୍ଦୁ ପୂର୍ବରୁ ଯୋରନ୍ଦା ସରସ୍ୱତୀ ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ । ଚଳିତବର୍ଷ ସେ ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ୯ମ ଶ୍ରେଣୀରେ ନାମ ଲେଖାଇଛନ୍ତି । ମୁନା ଏବଂ ଶୁଭମ୍ ତାଙ୍କର ସହପାଠୀ ଅଟନ୍ତି । ସୁଧାବିନ୍ଦୁ ନିଖୋଜ ହେବା ପରେ ପରିବାର ଲୋକେ ନାନା ଆଶାଆଶଙ୍କାରେ ରହିଛନ୍ତି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons