ମରାମତି ହେଉନି, ରାସ୍ତା ଶୋଚନୀୟ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ୧୦ ବର୍ଷ ତଳେ ନିର୍ମାଣ ହୋଇଥିଲା ରାସ୍ତା । ତା ପରଠୁ ଆଉ ମରାମତି କରାଯାଇନି କି ନୂଆକରି ନିର୍ମାଣ ହୋଇନି । ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଡି ଓ ମେଟାଲ ବାହାରି ମାଟି ରାସ୍ତାରେ ପରିଣତ ହୋଇଯାଇଛି । ଏମିତି ଦେଖିବାକୁ ମିଳିଛି ବାରିଣୀପୁଟ ପଞ୍ଚାୟତର ବରିଗୁଡା ରାସ୍ତାରେ । ଏହି ରାସ୍ତା ଉପରେ ୭ ଖଣ୍ଡ ଗାଁ ଲୋକେ ନିର୍ଭର କରୁଥିବାରୁ ତୁରନ୍ତ ଏହାକୁ ନିର୍ମାଣ କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ ।
ପଞ୍ଚାୟତବାସୀ ବାବୁଲି ପାଙ୍ଗି, ଦୈତାରି ମାଳି, ବସନ୍ତ ମାଳି, ସତ୍ୟ ଖିଲ, କବିରାଜ ସ୍ୱାଇଁ, ଜଗନ୍ନାଥ ପାଙ୍ଗୀ ପ୍ରମୁଖ କହିଛନ୍ତି, ୨୦୦୧ରେ ବାରିଣିପୁଟରୁ ବରିଗୁଡ଼ା ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ହୋଇଥିଲା । ଏହା ଉପରେ ନିର୍ଭର କରୁଥିବା ଡଙ୍ଗରବେଡା, ଲାଠିଗୁଡା, ଛଡାପଦର, ଜିରୁ ପଦର, ଲାଛିଗୁଡା,ନୂଆଗୁଡା, ନାଡୁଗୁଡା ବାସିନ୍ଦା ଉପକୃତ ହେଉଥିଲେ । ପରବର୍ତ୍ତି ସମୟରେ ଏହାର ରକ୍ଷଣାବେକ୍ଷଣ ଦିଗରେ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଆସ୍ତେ ଆସ୍ତେ ଏହି ରାସ୍ତା ନଷ୍ଟ ହୋଇଗଲା । ପ୍ରଥମେ ପିଚୁ ବାହାରି ପଡିଲା । ଏହା ପରେ ଏବେ ମେଟାଲ ବାହାରି ରାସ୍ତା ନଷ୍ଟ ହୋଇଗଲାଣି । ରାସ୍ତା ନଷ୍ଟ ହୋଇଯାଇଥିବାରୁ ଗ୍ରାମବାସୀ ହଇରାଣ ହଉଛନ୍ତି । ନୂଆଗୁଡା ନିକଟରେ ନିର୍ମାଣ ହୋଇଥିବା ସିସିରୋଡ୍ ମଧ୍ୟ ନଷ୍ଟ ହୋଇଯାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀତିଶଚନ୍ଦ୍ର ଦାସ କହିଛନ୍ତି, ଏହି ରାସ୍ତାକୁ ଗତ ଅଗଷ୍ଟ ମାସରେ ଆର୍ଡି ବିଭାଗକୁ ହସ୍ତାନ୍ତର କରାଯାଇଛି । ସେହି ବିଭାଗ ଏହି ରାସ୍ତା ନିର୍ମାଣ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons