ମହାକାଳପଡ଼ାରେ ସଶସ୍ତ୍ର ଡକାୟତି:ଡକାୟତଙ୍କ ଭୁଜାଲି ଚୋଟରେ ୪ ଆହତ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ବଡ଼ିହ ପଞ୍ଚାୟତ କାକଟପୁର ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ଗୃହକର୍ତ୍ତା କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶି ୧୫ ଲକ୍ଷ ଟଙ୍କାର ସୁନା ଗହଣା ସମେତ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଡକାୟତଙ୍କୁ ପ୍ରତିରୋଧ କରିବାରୁ ସେମାନଙ୍କ ଆକ୍ରମଣରେ ଗୃହକର୍ତ୍ତା କାର୍ତ୍ତିକ, ତାଙ୍କ ପତ୍ନୀ ତୁଳସୀ ସ୍ୱାଇଁ, ତାଙ୍କ ଭାଇ ସୁବାସଙ୍କ ସମେତ ୪ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ୬ଜଣ ଡକାୟତଙ୍କ ମଧ୍ୟରୁ ୨ଜଣଙ୍କୁ ଗୃହକର୍ତ୍ତାଙ୍କ ପରିବାର ସମେତ ଗ୍ରାମବାସୀ କାବୁ କରିନେଇଥିଲେ । ପ୍ରାୟ ଘଣ୍ଟାଏ କାଳ ଦୁର୍ବୃତ୍ତମାନେ ବନ୍ଧୁକ, ଭୁଜାଲି, ଛୁରି ଆଦି ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଖବର ପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ, ବରିÂ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।
ପୁଲିସ ଓ ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ୬ ଜଣ ଦୁର୍ବୃତ୍ତ କାର୍ତ୍ତିକଙ୍କ ଘର ପଛପଟ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଶବ୍ଦ ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ । ପରିବାର ଲୋକେ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ, ଭୁଜାଲି, ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଆଦି ଦେଖାଇ ଭୟଭୀତ କରିଥିଲେ । ପରେ ଭୁଜାଲି ଓ ଛୁରିରେ ଆକ୍ରମଣ କରିଥିଲେ । ଆକ୍ରମଣରେ କାର୍ତ୍ତିକଙ୍କ ମୁଣ୍ଡ, ହାତ, ଛାତି ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । କାର୍ତ୍ତିକଙ୍କ ସାନଭାଇ ସୁବାସଙ୍କ ମୁଣ୍ଡରେ ଭୁଜାଲି ଚୋଟ ବାଜିଛି । ଦୁର୍ବୃତ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାର୍ତ୍ତିକଙ୍କ ପରିବାର ଲୋକ କାବୁ କରିନେଇଥିଲେ । ଅନ୍ୟ ଜଣେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଯିବାରୁ ସହଜରେ ଖସି ଯାଇପାରିନଥିଲା । ଗ୍ରାମବାସୀ ତାକୁ କାବୁ କରିନେଇଥିଲେ । ଅନ୍ୟ ୪ଜଣ ଲୁଟ୍ ଗହଣା ଓ ନଗଦ ଟଙ୍କା ନେଇ ଫେରାଇ ହୋଇଯାଇଥିଲେ । କାର୍ତ୍ତିକଙ୍କ ମଝିଆ ବୋହୂ ପଡେ଼ାଶୀଙ୍କୁ ଫୋନ୍ କରି କହିବାରୁ ଗ୍ରାମବାସୀ ଏକଜୁଟ୍ ହୋଇଯାଇଥିଲେ । ସେମାନେ ଆଣିଥିବା ୨ଟି ବାଇକ୍, ଗୋଟିଏ ବନ୍ଧୁକ ସହ ୪ଟି ଗୁଳି, ୨ଟି ମୋବାଇଲ ଫୋନ୍, ଲୁହାଛଡ଼, ପେଚ୍କସ୍, ହାତୁଡ଼ି, ସ୍କୃ ଡାଇଭର, ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଅଟକ ଦୁଇ ଅଭିଯୁକ୍ତ କେନ୍ଦ୍ରାପଡ଼ା ସହର ନସଡ଼ିପୁର ଗ୍ରାମର ସେକ୍ ଲତିଫ୍ ଓ କଟକର ସେକ୍ ଫିରୋଜ ବୋଲି ଜଣାପଡ଼ିଛି ।
ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ୪ ରାଉଣ୍ଡ୍ ଗୁଳି ଫୁଟାଇଥିଲେ ସୁଦ୍ଧା ଗ୍ରାମବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗ୍ରାମବାସୀ ଡକାୟତଙ୍କୁ ଧରି ବାନ୍ଧିବା ସହ ନିସ୍ତୁକ ପିଟିଥିଲେ । ପରେ ପୁଲିସ ଜିମା ଦେଇଥିଲେ । କେନ୍ଦ୍ରାପଡ଼ା ଏସ୍ପି ମଦକର ସନ୍ଦୀପ ସମ୍ପଦ, ଅତିରିକ୍ତ ଏସ୍ପି ହରିଶ ଚନ୍ଦ୍ର ପାଣ୍ଡେ, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ତନ୍ତିଆପାଳ ଥାନାଧିକାରୀ ମହେଶ୍ୱର ସେଠୀ, ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଟିମ୍ ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି । ଗ୍ରାମବାସୀ ଓ ପରିବାର ଲୋକଙ୍କ ସହିତ ଆଲେଚନା କରିବା ସହିତ ମେଡିକାଲରେ ଆହତ ପରିବାର ଲୋକ ଓ ଅଭିଯୁକ୍ତଙ୍କୁ ଭେଟି ପଚରାଉଚରା କରିଛନ୍ତି । କାର୍ତ୍ତିକଙ୍କ ବଡ଼ଭାଇ ଗଣେଶ ସ୍ୱାଇଁ ଏନେଇ ତନ୍ତିଆପାଳ ଥାନାରେ ଏକ ଏତଲା ଦାଏର କରିଥିବା ଜଣାପଡ଼ିଛି । ଡକାୟତମାନେ ଶୋଇବା ଘରେ ପଶି ଆଲମିରା ଓ ବାକ୍ସ ଭାଙ୍ଗି ନଗଦ ଲକ୍ଷେ ୬୦ ହଜାର ଟଙ୍କା, ୨ଟି ସୁନା ହାର, ୨ ଟି ସୁନା ଚେନ୍, ୮ହଳ ଶାଙ୍ଖି, ୧୨ଟି ସୁନାମୁଦି, ଗୋଟିଏ ମଥାମଣି, ୨ଟି ବ୍ରେସ୍ଲେଟ୍, ୨ହଳ କାନଫୁଲ, ୨ ହଳ ପେଣ୍ଡି, ୮ହଳ ରୁପା ପାଉଞ୍ଜି ଓ ଅନ୍ୟାନ୍ୟ ଅଳଙ୍କାର ଲୁଟି ନେଇଥିବା ଏତଲାରେ ଦର୍ଶାଯାଇଛି । କାର୍ତ୍ତିକ ସ୍ୱାଇଁଙ୍କ ୩ ପୁଅ ପ୍ରବାସରେ ରହି କାମ କରୁଛନ୍ତିି । ବଡ଼ପୁଅ ପ୍ରମୋଦ ବେଙ୍ଗାଲୁରୁ, ମଝିଆଁ ପୁଅ ପ୍ରକାଶ ଦୁବାଇ ଓ ସାନପୁଅ ଆଲୋକ ମୁମ୍ବାଇରେ କାମ କରୁଥିବାରୁ ଏହି ପରିବାରକୁ ଡକାୟତମାନେ ଟାର୍ଗେଟ୍ କରିଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons