ମହିଳାଙ୍କୁ ପଥରରେ ଛେଚି ହତ୍ୟା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ସୋମବାର ବିଳମ୍ୱିତ ରାତିରେ ସଦର ଥାନା ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରିଲୋ ଗ୍ରାମରେ ଜଣେ ମହିଳାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମହିଳାଜଣକ ହେଉଛନ୍ତି ଅରିଲୋ ଗ୍ରାମର ଭୀମସେନ ପାଣିଗ୍ରାହୀଙ୍କ ପତ୍ନୀ ହେମଲତା ପାଣିଗ୍ରାହୀ (୫୫) ।
ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ହେମଲତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତାଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ଦୋକାନ କଡ଼ରେ ଦୁର୍ବୃତ୍ତମାନେ ହେମଲତାଙ୍କ ରକ୍ତାକ୍ତ ମୃତଦେହକୁ ଫିଙ୍ଗି ଦେଇଥିଲେ । ହତ୍ୟା ସଂପର୍କରେ ସୂଚନା ପାଇ ଜୋନ-୪ ଏସିପି ଚନ୍ଦନ ଘଡେ଼ଇ, ସଦର ଥାନା ଆଇଆଇସି ସୁଧାଂଶୁଭୂଷଣ ଜେନା ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍ସିବି ପଠାଇଥିଲେ । ଭୀମସେନଙ୍କ ଅଭିଯୋଗ ଆଧାରରେ ପୁଲିସ ଦକ୍ଷିଣ ଉଷୁମା ଗ୍ରାମର ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ହତ୍ୟାର ସ୍ପଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ପୁଲିସ ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି ।
ମିଳିଥିବା ସୂଚନା ଅନୁସାରେ, ଅରିଲୋ ଗ୍ରାମର ଭୀମସେନ ପାଣିଗ୍ରାହୀ ଜଣେ ପରିବା ବ୍ୟବସାୟୀ । ସେ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କଠାରୁ ପରିବା ସଂଗ୍ରହ କରି ଭୁବନେଶ୍ୱରରେ ବିକ୍ରି କରନ୍ତି । ପ୍ରତିଦିନ ସକାଳ ବେଳା ପରିବା ସଂଗ୍ରହ କରିବା ପରେ ମଧ୍ୟାହ୍ନ ଗୋଟାଏ ବେଳେ ଭୀମସେନ ଓ ତାଙ୍କ ସାନପୁଅ ବିକାଶ ନିଜର ଟାଟା ଏସ୍ ଗାଡ଼ିରେ ବିକ୍ରି ପାଇଁ ଭୁବନେଶ୍ୱର ଯାଆନ୍ତି । ସେଠାରେ ପରିବା ବିକ୍ରି କରି ରାତି ପ୍ରାୟ ୧୨ଟା ଗୋଟାଏ ବେଳେ ଘରକୁ ଫେରନ୍ତି । ପ୍ରତିଦିନ ଭଳି ସୋମବାର ମଧ୍ୟ ଭୀମସେନ ଏବଂ ତାଙ୍କ ପୁଅ ଗାଡ଼ିରେ ପରିବା ନେଇ ଭୁବନେଶ୍ୱର ବିକିବାକୁ ଯାଇଥିଲେ । ପରିବା ବିକି ସାରି ପ୍ରାୟ ରାତି ୧ଟା ବେଳକୁ ଘରକୁ ଫେରିବା ବେଳକୁ କବାଟ ମେଲା ପଡିଥିବା ଦେଖିବାକୁ ପାଇଥିଲେ । ଖଟ ବିଛଣା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ହେମଲତା ନଥିଲେ । ହେମଲତାଙ୍କୁ ଘର ଭିତରେ ନପାଇ ଭୀମସେନ ଓ ତାଙ୍କ ପୁଅ ଘର ଚାରିପଟ ଖୋଜିଥିଲେ । ପରେ ଘର ସାମ୍ନା ମେଲଣ ପଡ଼ିଆ ନିକଟ ଏକ ଜଳଖିଆ ଦୋକାନ କଡ଼ରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ସଦର ପୋଲିସ ରାତିରେ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରିବା ସହ ମାମଲାର ତଦନ୍ତ କରିଥିଲେ ।
ତଦନ୍ତ ଅବସରରେ ଭୀମସେନଙ୍କ ସହ ପୂର୍ବରୁ ଶତ୍ରୁତା ଥିବା ଦକ୍ଷିଣ ଉଷୁମାର ୩ଜଣଙ୍କୁ ପୁଲିସ ଅଟକ ରଖିଛି । ଭୀମସେନଙ୍କ ବଡ଼ ପୁଅ ଜଣେ ବ୍ୟକ୍ତିଙ୍କ ଝିଅକୁ ପ୍ରେମ ବିବାହ କରି ଅନ୍ୟତ୍ର ରହୁଥିବାବେଳେ ଏହାକୁ ନେଇ ବିବାଦ ଥିବା କୁହାଯାଉଛି । ତେବେ ହତ୍ୟାକାଣ୍ଡ ପଛରେ ଅଟକ ଥିବା ବ୍ୟକ୍ତିମାନେ ଦାୟୀ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଖୁବ ଶୀଘ୍ର ହତ୍ୟା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons