ମହିଳା ସଶକ୍ତିକରଣରେ ଓଡ଼ିଶାକୁ ପ୍ରଶଂସା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେବଳ ଶିକ୍ଷା ନୁହେଁ ବୈଷୟିକ ଶିକ୍ଷାରେ ଅଧିକରୁ ଅଧିକ ଝିଅଙ୍କ ନାମଲେଖାକୁ ରାଜ୍ୟ ସରକାର ଉତ୍ସାହିତ କରୁଛନ୍ତି । ସରକାର ଲକ୍ଷ୍ୟ ରଖିଛନ୍ତି, ରାଜ୍ୟରେ ବୈଷୟିକ ଶିକ୍ଷାରେ ଆଗକୁ ଏକ ତୃତୀୟାଂଶ ଝିଅ ହିଁ ଗ୍ରାଜୁଏଟ୍ ହୋଇ ବାହାରିବେ । ବୈଷୟିକ ଶିକ୍ଷା ସହ ଶିଳ୍ପରେ ଅଧିକରୁ ଅଧିକ ଝିଅଙ୍କ ନିଯୁକ୍ତିକୁ ସରକାର ସର୍ବାଧିକ ଫୋକସ୍ କରୁଛନ୍ତି । ମିଳିତ ଜାତିସଂଘର ଭାରତ ପାଇଁ ନିଯୁକ୍ତ ମହିଳା ପ୍ରତିନିଧି ସୁସାନ ଜାନେ ଫର୍ଗୁସନଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ନିବାସଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଫର୍ଗୁସନ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ମହିଳା ସଶକ୍ତିକରଣ ନେଇ ବହୁ ଆଲୋଚନା ହୋଇଥିଲା । ଫର୍ଗୁସନ କହିଲେ, ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନେ ବେଶ ସଶକ୍ତ ହୋଇପାରିଛନ୍ତି । ମହିଳା ସଶକ୍ତିକରଣରେ ମିଶନଶକ୍ତିର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ଓଡ଼ିଶା ବହୁ ପଦକ୍ଷେପ ନେଇ ଅନେକାଂଶରେ ଦାରିଦ୍ର୍ୟ ଦୂରୀକରଣ କରିବା କ୍ଷେତ୍ରରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ‘ସୁଦକ୍ଷା’ ଯୋଜନା ସଫଳ ହୋଇଛି । ବହୁ ସଂଖ୍ୟାରେ ଝିଅମାନେ ଆଇଟିଆଇରେ ନାମ ଲେଖାଉଛନ୍ତି । ୫ ବର୍ଷ ତଳେ ଏହି ହାର ୬ ପ୍ରତିଶତ ଥିଲା ବେଳେ ଏବେ ଏହା ୧୮ ପ୍ରତିଶତ ଛୁଇଁଛି । ବିନିର୍ମାଣ ଶିଳ୍ପରେ ଦିନକୁ ଦିନ ମହିଳାଙ୍କ ନିଯୁକ୍ତି ବଢ଼ି ଚାଲିଛି । ତେଣୁ କର୍ମଜୀବୀ ମହିଳାମାନଙ୍କ ପାଇଁ ଉନ୍ନତମାନର ରହଣି ବ୍ୟବସ୍ଥା ସହ କ୍ରେଚ୍ ସୁବିଧା କରିବାକୁ ଜାତିସଂଘ ଆଗେଇ ଆସିବା ଦରକାର । ଯେଉଁ ମହିଳାମାନେ ପରିସ୍ଥିତିର ଚାପରେ ନିଜ ଶିକ୍ଷା ସମ୍ପୂର୍ଣ୍ଣ କରିପାରି ନାହାନ୍ତି ସେମାନଙ୍କୁ ତାଲିମ ଦେଇ ଅଧିକ ଦକ୍ଷ କରି ଚାକିରି ପାଇବାକୁ ଯୋଗ୍ୟ କରିବାକୁ ହେବ । ଏଥିପାଇଁ ଜାତିସଂଘର ମହିଳା ବିଭାଗ ରାଜ୍ୟ ସରକାରଙ୍କ ସହ ସହଭାଗିତାରେ କାମ କରିବାର ସମୟ ଆସିଛି ।
ନବୀନ କହିଲେ, ୱାର୍ଲ୍ଡ ସ୍କିଲ୍ ସେଣ୍ଟର ରାଜ୍ୟରେ ବିଶ୍ୱସ୍ତରୀୟ ଦକ୍ଷ ମାନବସମ୍ବଳ ଗଢ଼ିବାରେ ବେଶ୍ ସହାୟକ ହେଉଛି । ଜାତିସଂଘ ଏ ସେଣ୍ଟର ସହ ପାର୍ଟନର ରହି ମହିଳାମାନଙ୍କୁ ଦକ୍ଷ କରିବା ଓ କର୍ମନିଯୁକ୍ତି ଯୋଗାଇବା ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons