ମାଲକାନଗିରି: ପୁଲିସ୍ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ଦମ୍ପତି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ମାଓକ୍ୟାମ୍ପ୍ରେ କରୋନା ସଂକ୍ରମଣ ଭୟ ଏବଂ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କ ପାଇଁ ଥଇଥାନ ଯୋଜନାରେ ପ୍ରଭାବିତ ହୋଇ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଏହି ମାଓ ଦମ୍ପତି ହେଉଛନ୍ତି ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗଲୁର ମାଓବାଦୀ ଏରିଆ କମିଟି ପ୍ଲାଟୁନ୍ କମାଣ୍ଡର କରୋସା ଲାଚୁ(୩୫), କରୋସା ଅନିତା(୨୯) ।
ବିଜାପୁର ଏସ୍ପି କମଳଲୋଚନ କାଶ୍ୟପ, ଅତିରିକ୍ତ ଏସ୍ପି ଡକ୍ଟର ପଙ୍କଜ ଶୁକ୍ଲା, ଡିଏସ୍ପି ଆଶିଷ କୁଞ୍ଜାମୀଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓଦମ୍ପତି ବିଭିନ୍ନ ଅଞ୍ଚଳରେ ହତ୍ୟା, ଲୁଟ୍, ପୋଡ଼ାଜଳା ଆଦି ହିଂସାକାଣ୍ଡରେ ଜଡ଼ିତ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ ନୀତି ଅନୁସାରେ ସହାୟତା ଯୋଗାଇଦେବା ସହ ସେମାନଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ଏସ୍ପି ଶ୍ରୀ କାଶ୍ୟପ କହିଛନ୍ତି । ଏହି ମାଓଦମ୍ପତିଙ୍କ ଆତ୍ମସମର୍ପଣ ପରେ ଛତିଶଗଡ଼ ଗାଙ୍ଗୁଲୁର ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି । ଆତ୍ମସମର୍ପଣ କରିଥିବା ମାଓଦମ୍ପତିଙ୍କୁ ପୁଲିସ ପକ୍ଷରୁ ନଗଦ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩ ଦିନ ତଳେ ସୀମାନ୍ତ ଛତିଶଗଡ଼ରେ ୮ ଜଣ କ୍ୟାଡର୍ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ରିପୋର୍ଟ : ସତ୍ୟ ପ୍ରକାଶ ସାମଲ
Comments are closed, but trackbacks and pingbacks are open.