ମାଟିରେ ମିଶିଲା ଘର, ଆଡେ଼ଇଦେଲେ ଆପଣାର ମଣିଷ

Get real time updates directly on you device, subscribe now.

ପାପଡ଼ାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ଦୀର୍ଘ ଦିନ ହେଲା ମାଟିରେ ମିଶିଯାଇଛି ଘର । ମୁଣ୍ଡ ଗୁଞ୍ଜିବା ଲାଗି ଘର ଖଣ୍ଡିଏ ନାହିଁ । ୨୦ ବର୍ଷ ତଳୁ ଆରପାରିକୁ ଚାଲି ଯାଇଛନ୍ତି ସ୍ୱାମୀ । ପର କରି ଦେଇଛନ୍ତି ପରିବାର । ଭାତ ଗଣ୍ଡାଏ ଫୁଟାଇ ଖାଇବା ପାଇଁ ମୁଣ୍ଡ ଉପରେ ଛାତ ନାହିଁ । ଏବେ ପର ବାରଣ୍ଡା ତାଙ୍କ ଆଶ୍ରୟସ୍ଥଳ ପାଲଟିଛି । ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ସଦର ମହକୁମାର ମହାମହି ସାହିର ଗୋରୀ ଭତ୍ରା(୬୫) । ଆବାସ ଯୋଜନାରେ ଘର ଖଣ୍ଡିଏ ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।
ଗୋରୀଙ୍କ କହିବାନୁଯାୟୀ, ସ୍ୱାମୀ ଓ ସନ୍ତାନଙ୍କୁ ନେଇ ଚାଲିଥିଲା ତାଙ୍କ ହସଖୁସିର ସଂସାର । ଉଭୟ ସ୍ୱାମୀ-ସ୍ତ୍ରୀ କୁଲି ମଜୁରି ଲାଗି ପରିବାର ଚଳାଉଥିଲେ । ୨୦ ବର୍ଷ ତଳେ ହଠାତ୍ ସ୍ୱାମୀଙ୍କ ମୃତୁ୍ୟ ହୋଇଥିଲା । ତା’ପରଠୁ ପରିବାରର ସବୁ ବୋଝ ତାଙ୍କ ଉପରେ ପଡ଼ିଥିଲା । ବହୁ କଷ୍ଟରେ ସନ୍ତାନଙ୍କୁ ବାହାସାହା କରିଥିଲେ । ବିବାହ ପରେ ପର କରିଦେଲେ ସେମାନେ । ଏଭଳି ସ୍ଥିତିରେ ଦିନ କାଟୁଥିବା ବେଳେ ଦଇବ ଦାଉ ସାଧିଲା । କିଛି ଦିନ ତଳେ ମାଟି କାନ୍ଥରେ ତିଆରି ଘରଟି ମଧ୍ୟ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା । ବୟସର ଅପରାହ୍ଣରେ ସେ ଆଗଭଳି ଆଉ କାମଧନ୍ଦା କରିପାରୁନାହାନ୍ତି । ମୁଣ୍ଡ ଉପରୁ ଛାତ ନଥିବାରୁ ଖୋଲା ଆକାଶ ତଳେ ରନ୍ଧାବଢା କରୁଛନ୍ତି । ପଡେ଼ାଶୀଙ୍କ ବାରଣ୍ଡାରେ ରାତ୍ରୀଯାପନ କରୁଛନ୍ତି । ସରକାରୀ ସହାୟତା କହିଲେ, ମାସକୁ ୩୫ କେଜି ଚାଉଳ ଓ ଭତ୍ତା ବାବଦରେ ତାଙ୍କୁ ୫୦୦ ଟଙ୍କା ମିଳୁଛି । ଜିଲ୍ଲା ପ୍ରଶାସନ ଗୋରୀଙ୍କ ଦୟନୀୟ ଅବସ୍ଥାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଘର ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons