ମାହାଙ୍ଗା କୁସୁପୁର ଗଣହତ୍ୟା:ସରିଲା ରିମାଣ୍ଡ, ଜେଲ୍ ଗଲା ଶିବ

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ନୁ୍ୟଜ): ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଅଭିଯୁକ୍ତ ଶିବ ପ୍ରସାଦ ସାହୁର ୩ ଦିନିଆ ରିିମାଣ୍ଡ ସରିଯିବା ପରେ ଆଜି ତାକୁ ସାଲେପୁର କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାକୁ ସାଲେପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ରିମାଣ୍ଡ ସରିବା ପରେ ମାହାଙ୍ଗା ଡାକ୍ତରଖାନାରେ ଆଜି ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରବିବାର କୋର୍ଟ ଛୁଟି ଥିବାରୁ ଶିବକୁ ସାଲେପୁର ଜେଏମ୍ଏଫ୍ସି ଅଙ୍କିତା ଗୁରୁଙ୍କ ବାସଭବନରେ ଦିନ ପ୍ରାୟ ୧୦ଟା ୩୦ରେ ହାଜର କରାଯାଇଥିଲା । ସରକାରଙ୍କ ପକ୍ଷରୁ ଓକିଲ ମାନସ ଦାଶ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ ଶିବର ରିମାଣ୍ଡ ଅବଧି ବୃଦ୍ଧି ପାଇଁ କୋର୍ଟରେ ଆବେଦନ କରାନଯିବାରୁ କୋର୍ଟ ତାକୁ ସାଲେପୁର ଉପକାରାଗାରକୁ ପଠାଇ ଦେଇଥିଲେ ।
ସାଲେପୁର ଉପକାରାଗାରର ଜେଲର୍ କୋଶଳା ପଦ୍ମିନୀ ଦଳବେହେରାଙ୍କ କହିବାନୁଯାୟୀ, ଶିବ ଜେଲ୍ରେ ପହଞ୍ଚିବା ପରେ ତାକୁ ଜେଲ୍ର ୱାର୍ଡ ନମ୍ବର ୧ରେ ରଖାଯାଇଛି । ଏହି ୱାର୍ଡରେ ପୂର୍ବରୁ ୬ ଜଣ କଏଦୀ ଅଛନ୍ତି । ଏମାନଙ୍କ ସହ ମିଶି ଶିବ ରହିଛି । ରବିବାର ଜେଲ୍ରେ ଅନ୍ୟ କଏଦୀମାନଙ୍କ ଭଳି ଶିବକୁ ଭାତ, ଡାଲି ଆଉ ମାଛ ଖାଇବାକୁ ଦିଆଯାଇଥିଲା । ସେ ପେଟପୂରା ଖାଇଥିଲା । ଏହାପରେ ଅନ୍ୟ କଏଦୀମାନଙ୍କ ସହ ସେ ସାଧାରଣ ଭାବେ କଥାବାର୍ତ୍ତା କରିଥିଲା । କଥାବାର୍ତ୍ତା ବେଳେ ନିଜ ରକ୍ତ ସଂପର୍କର ୫ ଜଣଙ୍କୁ ହତ୍ୟା କରିବା ନେଇ ତା ମନରେ କୌଣସି ପ୍ରକାରର ଅନୁତାପର ଚିହ୍ନ ନଥିବା ଜେଲରୁ ସୂଚନା ମିଳିଛି । ରାତିରେ ମଧ୍ୟ ଶିବ ଭାତ, ଡାଲି ଆଉ ମାଛ ଖାଇବାକୁ ନେଇଛି ବୋଲି ଜେଲର୍ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons