ମିନି ଷ୍ଟାଡିୟମରୁ ଦେହାବଶେଷ ଉଦ୍ଧାର

Get real time updates directly on you device, subscribe now.

ଗୋଲାମୁଣ୍ଡା,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ରହସ୍ୟମୟ ନିଖୋଜ ଘଟଣା ଏବେ ଏକ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ପରିବର୍ତ୍ତିତ ହୋଇଛି । ମହାଲିଙ୍ଗ ଠାରେ ନିର୍ମାଣାଧୀନ ମିନି ଷ୍ଟାଡିୟମର ମାଟିତଳୁ ଆଜି ଏକ ଦଗ୍ଧ ଗଳିତ ମୃତଦେହର ଦେହାବଶେଷ ଉଦ୍ଧାର ହେବାପରେ ଏହା ନିଖୋଜ ମମିତାଙ୍କ ଶବ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି । ମାତ୍ର ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିବା ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସର ମିଳିତ ଟିମ୍ ପକ୍ଷରୁ କୌଣସି ପ୍ରକାର ସ୍ପଷ୍ଟ କରାଯାଇନାହିଁ । ଘଟଣାସ୍ଥଳରୁ ଉଦ୍ଧାର ଦେହାବଶେଷ ସହ ଏକ ସୁନାଚେନ, ବ୍ରାସ୍ଲେଟ୍ ଓ ଭ୍ୟାନିଟି ବ୍ୟାଗ ମଧ୍ୟ ମିଳିଛି । ମାଟିତଳୁ ପୋଡ଼ାକାଠ ଏବଂ ପଲିଥିନ ଉଦ୍ଧାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ଅନ୍ୟତ୍ର ହତ୍ୟା କରାଯିବା ପରେ ଉକ୍ତ ସ୍ଥାନରେ ପୋଡ଼ି ପୋତା ଯାଇଥିବା ପାରିପାଶ୍ୱର୍ିକ ସ୍ଥିତିରୁ ଅନୁମାନ କରାଯାଉଛି । ମାତ୍ର ମୃତଦେହଟି କାହାର ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳରୁ ମିଳିଥିବା ସୁନାଚେନ, ବ୍ରାସ୍ଲେଟ, ପାଉଁଜି ଓ ଭ୍ୟାନିଟି ବ୍ୟାଗକୁ ମୃତ ମମିତାଙ୍କ ପରିବାର ବର୍ଗ ଚିହ୍ନଟ କରିଛନ୍ତି । ଜବତ ଦେହାବଶେଷର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଯେ, ମମିତା ମେହେରଙ୍କ ରହସ୍ୟମୟ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗତ ୧୭ତାରିଖ ବଲାଙ୍ଗୀର ପୁଲିସ୍ ହେପାଜତରୁ ଫେରାର୍ ମାରିବା ପରେ ଘଟଣାର ତଦନ୍ତ କରୁଥିବା ଦୁଇ ଜିଲ୍ଲା ବଲାଙ୍ଗିର ଓ କଳାହାଣ୍ଡି ପୁଲିସ୍ ୧୮ତାରିଖ ରାତି ମହାଲିଙ୍ଗ୍ ପହଞ୍ଚିଥିଲେ । ଘଟଣାର ତଦନ୍ତ ପ୍ରକ୍ରିୟା ଅଧିକ ତ୍ୱରାନ୍ୱ୍ୱିତ ହୋଇଥିଲା । କଳାହାଣ୍ଡି ଏସପି ଡା.ଶ୍ରବଣା ବିବେକ ଏମ୍ ଷ୍ଟାଡିୟମ୍ କାର୍ଯ୍ୟରେ ନିୟୋଜିତ ଜେସିବି ଅପରେଟର୍ ଜଗୁଆଳି ଗୁପ୍ତେ ତାଣ୍ଡି ସମେତ ବିଜ୍ଞାନ କଲେଜ ଅଧ୍ୟକ୍ଷ ରିତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ବୋଡର଼୍ା ଫାଣ୍ଡିରେ ମାରାଥନ ଜେରା କରିଥିଲେ । ଯୁକ୍ତତିନି କଲେଜର କିରାଣୀ ପୂର୍ଣ୍ଣ ବାଗ, ଅଧ୍ୟାପକ ବାସୁଦେବ ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ପରେ ମହାଲିଙ୍ଗ ଗାଁରେ ଗୋବିନ୍ଦ ସାହୁଙ୍କ ଘର ଖାନତଲାସ କରାଯାଇଥିଲା । ପରଦିନ ମଙ୍ଗଳବାର ସକାଳେ ନିର୍ମାଣାଧିନ ମିନି ଷ୍ଟାଡିୟମ୍ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ସିଲ୍ କରାଯାଇଥିଲା । ଷ୍ଟାଡିୟମ୍ ଭିତରେ ଚିହ୍ନଟ ସ୍ଥାନରେ ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇ ଜେସିବିରେ ମାଟିଖୋଳା ଯାଇଥିଲା । ପ୍ରାୟ ୭ରୁ ୮ଫୁଟ ମାଟିତଳୁ ଦଗ୍ଧ ଦେହାବଶେଷ, ସୁନାଚେନ୍, ବ୍ରାସଲେଟ୍, ପାଉଁଜି, ଭ୍ୟାନିଟି ବ୍ୟାଗ, ପୋଡ଼ାକାଠ ସବୁ ପୁଲିସ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ତାର ଯାଞ୍ଚ କରିଥିବା ବେଳେ ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ଘଟଣାସ୍ଥଳର ଛାନ୍ବିନ୍ କରାଯାଇଥିଲା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଉପସ୍ଥିତ କଳାହାଣ୍ଡି ଅତିରିକ୍ତ ଏସପି ସମେତ ଅନ୍ୟ ଅଧିକାରୀ, ମାଜିଷ୍ଟେଟ୍ କେହି ବି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅପରପକ୍ଷେ ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ବିଭିନ୍ନ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରି କଂଗ୍ରେସ ଏବଂ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ପକ୍ଷରୁ ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons