ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ଗିରଫ କରି ଘଟଣାର ପର୍ଦ୍ଧାଫାସ କରିଛି କେନ୍ଦୁଝର ପୁଲିସ । ଗିରଫ ୫ ଅଭିଯୁକ୍ତ ହେଲେ ପ୍ରତାପ ରାଉତ, ବିଦ୍ୟାଧର ପରିଡା ଓରଫ ବୁଟା, ମୁନା ଓରଫ ମନମୋହନ ଦାଶ, ମିଟୁଆ ଓରଫ ଶରତ ଚନ୍ଦ୍ର ଜେନା ଏବଂ ଶିଖୁଲ ଶେଖ ନାମକ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଘର କେନ୍ଦୁଝର ଜିଲ୍ଲାରେ । ସେମାନଙ୍କଠୁ ଗୋଟିଏ ମୋଟର ସାଇକେଲ୍, ୨ ଟି ଅଫୁଟା ବୋମା ଏବଂ ୪ଟି ମୋବାଇଲ ଫୋନ ଜବତ ହୋଇଛି ।
ଏନେଇ ଗୁରୁବାର ପ୍ରେସମିଟ୍ ଜରିଆରେ କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି । ଘଟଣାରେ କୌଣସି ରାଜନୈତିକ କାରଣ ନଥିବା ଏସ୍ପି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବାବେଳେ ବ୍ୟକ୍ତିଗତ ଓ ଅର୍ଥ ଜନିତ ଶତୃତାରୁ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିବା କହିଛନ୍ତି । ସିସିଟିଭି ଫୁଟେଜ୍ ତଥା ଟେକ୍ନିକାଲ ସର୍ଭେଲାନ୍ସକୁ ପାଥେୟ କରି ପୁଲିସ ଘଟଣା ଉପରୁ ପରଦା ହଟାଇବା ପାଇଁ ସକ୍ଷମ ହୋଇଛି । ତେବେ ଘଟଣାର ତଦନ୍ତ ଜାରି ରହିଛି । ଆଉ କିଛି ଦୁର୍ବୃତ୍ତ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି ।
ସୂଚନା ମୁତାବକ, ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମୁନା, ପ୍ରତାପ ଏବଂ ବୁଟାଙ୍କ ମଧ୍ୟରୁ ବିଧାୟକ ମୋହନ ମାଝୀଙ୍କ ସହିତ ବୁଟା ଏବଂ ମୁନାଙ୍କର (ଯିଏକି ପୂର୍ବରୁ ବିଧାୟକ ମୋହନ ମାଝୀଙ୍କ ଘନିÂ ଥିଲେ) ଅସନ୍ତୋଷ ବଢିଥିଲା । ଅସନ୍ତୋଷ କ୍ରମେ ତିକ୍ତତାରେ ପରିଣତ ହୋଇଥିଲା । ମୋହନ ମାଝୀଙ୍କୁ ଶିକ୍ଷା ଦେବା ପାଇଁ ଉଭୟେ ଚିନ୍ତା କରୁଥିବାବେଳେ ବୁଟା ପ୍ରତାପଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ପ୍ରତାପ ମାଷ୍ଟରମାଇଣ୍ଡ ଭାବେ ଏହି କାଣ୍ଡ ରଚିଥିଲେ । ପ୍ଲାନ ମୁତାବକ ପ୍ରତାପ ଏବଂ ମୁନା ହରିଚନ୍ଦନପୁର ଅଞ୍ଚଳର ମିଟୁଆ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫ଟି ସୁତୁଲି ବୋମା ଆଣିଥିଲେ । ଏଥିପାଇଁ ପ୍ରତାପ ରାଉତ ଟଙ୍କା ଖର୍ଚ୍ଚ କରିଥିଲେ । ବୋମା ଆଣିବା ପରେ କେନ୍ଦୁଝରର କ୍ଷୀରୋଦ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ରଖିଥିଲେ ।
ଘଟଣା ଦିନ ମୁନା ଦାସଙ୍କ ହିରୋ ଗ୍ଲାମର ଗାଡିକୁ ବ୍ୟବହାର କରିଥିଲେ । ପ୍ରତାପ ରାଉତ, ମୁନା ଦାଶ ଏବଂ ରାଘବ ପାଣ୍ଡେ ନାମକ ଆଉ ଜଣେ ବ୍ୟକ୍ତି କ୍ଷୀରୋଦଙ୍କ ଘରୁ ୩ ଟି ବୋମା ଆଣିଥିଲେ । ବିଧାୟକ ମୋହନ ମାଝୀଙ୍କ ଗତିବିଧି ଉପରେ ନଜର ରଖି ପ୍ରତାପ ରାଉତ ସଠିକ୍ ସମୟ ଜଣାଇଦେବା ପରେ ମୁନା ଏବଂ ରାଘବ ପାଣ୍ଡେ କେନ୍ଦୁଝର ଟାଉନ ଥାନା, ମଣ୍ଡୁଆ ନିକଟରେ ବିଧାୟକଙ୍କ ଗାଡି ଉପରକୁ ୨ ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରତାପ ରାଉତଙ୍କ ସିଡିଆର ଲୋକେସନରୁ ପୁଲିସ ଏହା ଜାଣିବାକୁ ପାଇଥିଲା । ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ସିସିଟିଭି ସର୍ଭେଲାନ୍ସ ଫଟୋ ଜାରି କରାଯାଇଥିଲା । ବୋମା ସପ୍ଲାଇ କରିଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ଲୋକେ ଏହି ଫଟୋ ଚିହ୍ନଟ କରିଥିଲେ । ଏହାପରେ ପୁଲିସ ମୁନା ଦାଶକୁ ଉଠାଇ ନେଇଥିଲା । ଏହାପରେ ପ୍ରତାପ ରାଉତ, ବୁଟା ପରିଡା, ମିଟୁଆ ଏବଂ ବୋମା ତିଆରି କରିଥିବା ଶିଖୁଲ ଶେଖ୍ଙ୍କୁ ଗିରଫ କରିଥିବାବେଳେ ରାଘବ ପାଣ୍ଡେ ଏବେବି ଫେରାର ଅଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ୧୦ ତାରିଖ ଦିନ ବିଧାୟକ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟ ନିକଟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗ ଦେଇ ଫେରିବା ସମୟରେ ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଫରଚ୍ୟୁନର କାର୍ ଉପରକୁ ବୋମା ମାଡ କରି ଫେରାର ହୋଇଯାଇଥିବା ବିଧାୟକ ଶ୍ରୀ ମାଝୀ ଟାଉନଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ବିଜେଡି ଯୁବ ଉପ ସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡଯନ୍ତ୍ର କରି ଥାଇପାରନ୍ତି ବୋଲି ବିଧାୟକ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଏହାକୁ ନେଇ ପୁଲିସ ପକ୍ଷରୁ ଟାଉନ ଥାନାରେ ମାମଲା ରୁଜୁ କରାଯାଇଥିବାବେଳେ ସ୍ୱତନ୍ତ୍ର ଟିମ୍ ଜରିଆରେ ତଦନ୍ତ ଜାରି ରହିଥିଲା । ଏହି ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ବିଜେପିର ଏକ ୯ ଜଣିଆ ବିଧାୟକଙ୍କ ଡେଲିଗେସନ ଟିମ୍ ଏସପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କର ଗିରଫ ଦାବି କରିଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ପରଖିବା ସହ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ତେବେ ତଦନ୍ତ ପ୍ରକ୍ରିୟାକୁ ନେଇ ସଦର ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୋ ଅଭିଯୋଗ ଆଧାରରେ ମାଷ୍ଟର ମାଇଣ୍ଡର ମୋବାଇଲ ଜବତ କରାଯାଇନାହିଁ । ଯେଉଁ ୫ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ କି ୩ଥର ବିଧାୟକ ହେବା ଭିତରେ କୌଣସି ଶତୃତା ବି ନାହିଁ । ତଦନ୍ତ ସମୟରେ ମୋତେ କିମ୍ବା ଘଟଣା ସମୟରେ ଉପସ୍ଥିତ ମୋ ପିଏସଓ ଏବଂ ଡ୍ରାଇଭରଙ୍କୁ ସାମିଲ କରାଯାଇ ନାହିଁ । ମୁଁ ବିରୋଧୀ ଦଳ ଦାୟିତ୍ୱରେ ରହିଛି ଏବଂ ବିଧାନ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଉଛି । ତେଣୁ ରାଜନୈତିକ ଶତୃତା କାରଣରୁ ମୋ ଉପରକୁ ଆକ୍ରମଣ ହୋଇଥାଇପାରେ । ଟିଆଇ ପରେଡ, ଲାୟ ଡିଟେକ୍ସନ କରାଯାଇ ପାରିଥାଆନ୍ତା ବୋଲି ବିଧାୟକ ମୋହନ ମାଝୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏହା ସମ୍ପୂର୍ଣ୍ଣ କୋପଳକଳ୍ପିତ ବୋଲି କହିଛନ୍ତି । ଏହା ଦ୍ୱାରା ପ୍ରକୃତ ଦୋଷୀକୁ ଖସାଇ ଦେବା ପାଇଁ ଉଦ୍ୟମ କରାଯାଉଛି । ପ୍ରକୃତ ସତ୍ୟାସତ୍ୟ ବାହାର କରିବା ପାଇଁ ସିବିଆଇ ତଦନ୍ତ ସୁପାରିଶ କରାଯାଉ ବୋଲି ସେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons