ମୋବାଇଲ୍ ଚୋରି କଲା ବୋଲି ଟ୍ରକ ଆଗରେ ଝୁଲାଇ ଦେଲେ

Get real time updates directly on you device, subscribe now.

ପାରାଦୀପ,(ବି.ବି.ଆପ୍ର): ଯୁବକଙ୍କ ବେକରେ ପଡ଼ିଛି ଜୋତାମାଳ । ଦୁଇ ହାତ ଉପରକୁ ଉଠାଇ ବନ୍ଧା ଯାଇଛି । ସମ୍ପୂର୍ଣ୍ଣ ଭାବେ ଏପରି ଅବସ୍ଥାରେ ଏକ ଟ୍ରକର ଇଞ୍ଜିନ ସମ୍ମୁଖରେ ଯୁବକ ଜଣଙ୍କ ଝୁଲି ରହିଛନ୍ତି । ତାହା ପୁଣି ଟ୍ରକଟି ଚାଲୁଥିବା ଅବସ୍ଥାରେ ।
ପ୍ରାୟ ଦୁଇ ତିନି ଦିନ ତଳେ ଘଟିଥିବା ଏଭଳି ଏକ ନୃଶଂସ ଘଟଣାର ଭିଡିଓ ଆଜି ଭାଇରାଲ ହେବା ପରେ ପାରାଦୀପ ଅଞ୍ଚଳରେ ହଇଚଇ ଖେଳିଯାଇଛି । ଯୁବକ ଜଣଙ୍କ ଯେ କେବଳ ଟ୍ରକ ସମ୍ମୁଖରେ ଝୁଲି ରହିଛନ୍ତି ତାହା ନୁହେଁ, ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ କହୁଥିବାର ଶୁଣାଯାଉଛି ‘ଭାଇମାନେ ଦେଖ ଏ ଲୋକ ଗାଡ଼ିରୁ ମୋବାଇଲ ଫୋନ୍ ଚୋରି କରିଛି । ସେଥିପାଇଁ ତାକୁ ଏପରି ଦଣ୍ଡ ଦିଆଯାଇଛି । ଗାଡ଼ିଟି ଗଡ଼ୁଛି ପାରାଦୀପ ଭୂତମୁଣ୍ଡାଇ ବ୍ରିଜ୍ ଉପରେ । ଇଏ ଡ୍ରାଇଭର ନୁହେଁ । ଟିକରପଙ୍ଗାର ଲୋକ । ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟମାନଙ୍କୁ ହୁସିଆର ରହିବାକୁ ଅନୁରୋଧ । ଜୟ ଜଗନ୍ନାଥ’ ।
ଏଭଳି ନୃଶଂସ ଘଟଣା ସମ୍ପର୍କରେ କେତେକ ଡ୍ରାଇଭରଙ୍କୁ ପଚାରିବା ପରେ ଯାହା ଜଣାପଡ଼ିଛି: ଘଟଣାଟି ଦିନେ ଦୁଇ ଦିନ ତଳର । ଭୂତମୁଣ୍ଡାଇସ୍ଥିତ ମହାନଦୀ ପୋଲ ଉପରେ ଏହା ସୁଟିଂ କରାଯାଇଛି । ପାରାଦୀପକୁ ଲୁହାପଥର ନେଇ ଆସିଥିବା ଏକ ଟ୍ରକ୍ (ଯାହାର ଶେଷ ୪ଟି ନମ୍ବର ୦୧୯୨ ବୋଲି ଭିଡିଓରୁ ଜଣାପଡ଼ୁଛି)ରୁ କେନ୍ଦ୍ରାପଡ଼ା ଟିକରପଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି ପ୍ରକାରେ ଏକ ମୋବାଇଲ୍ ଫୋନ୍ ଚୋରି କରିନେଇ ଦୌଡ଼ି ପଳାଇଥିଲା । କିନ୍ତୁ କେତେକ ଟ୍ରକ ଡ୍ରାଇଭର ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଥିଲେ । ଏହା ପରେ ଦଣ୍ଡସ୍ୱରୂପ ଟ୍ରକ୍ ଆଗରେ ଉକ୍ତ ବ୍ୟକ୍ତିଙ୍କର ଦୁଇ ହାତ ବାନ୍ଧି ଝୁଲାଇ ଦିଆଯାଇଥିଲା । ଝୁଲାଇବା ପରେ ବ୍ୟକ୍ତି ଜଣଙ୍କ ଶୂନ୍ୟରେ ଓହଳି ରହିଥିଲେ । ଏଭଳି ଅବସ୍ଥାରେ ଟ୍ରକ୍କୁ ଚଳାଇଥିଲେ ଜଣେ ଚାଳକ । ଆଉ ଏହି ଘଟଣାର ଭିଡିଓ ସୁଟିଂ କରାଯାଇଥିଲା । ରେକର୍ଡିଂ ସମୟରେ ବନ୍ଧା ହୋଇଥିବା ବ୍ୟକ୍ତି ଚୋରି କରୁଥିବା ଓ ସେଥିପାଇଁ ତାଙ୍କୁ ଏଭଳି ଦଣ୍ଡ ମିଳିଥିବା ଜଣେ କହୁଥିବା ଶୁଣିବାକୁ ମିଳୁଛି ।
ତେବେ ଯଦି ବା ଜଣେ ଚୋରି କଲା ତାକୁ ପୁଲିସ ଜିମା ନଦେଇ ଟ୍ରକ୍ ଆଗରେ ଦୁଇ ହାତକୁ ବାନ୍ଧି ଝୁଲାଇ, ବେକରେ ଜୋତାମାଳ ପକାଇ ଟ୍ରକ୍କୁ ଚଳାଇବା ସହ ଉକ୍ତ ବ୍ୟକ୍ତିଙ୍କ ଜୀବନକୁ ବିପଦରେ ପକାଇବା ଓ ମାନବାଧିକାର ଉଲ୍ଲଂଘନ କରି ତାଙ୍କର ଭିଡିଓ କରିବା ପରେ ଏହାକୁ ପୁଣି ଭାଇରାଲ୍ କରିବାକୁ ନେଇ ପ୍ରଶ୍ନ ଉଠିଛି । ଆଇନକୁ ହାତକୁ ନେଇ ଏଭଳି ଅମାନୁଷିକ କାମ କରିଥିବା ବ୍ୟକ୍ତିମାନଙ୍କୁ ପୁଲିସ ଠାବ କରିବା ଜରୁରି ବୋଲି ଦାବି ଉଠିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons