ରକ୍ତ ବିକୁଥିବା ଦଲାଲ୍ ଏସସିବିରୁ ଗିରଫ

Get real time updates directly on you device, subscribe now.

କଟକ, (ବି.ବି.ବୁ୍ୟରୋ): ଖରା ଦିନ, ରକ୍ତ ସଂଗ୍ରହ କମ୍ ହେଉଛି । ତେଣୁ ବ୍ଲଡ୍ ବ୍ୟାଙ୍କ୍ରେ ରକ୍ତର ଘୋର ଅଭାବ । ଏହାର ସୁଯୋଗ ନେଉଛନ୍ତି ଦଲାଲ୍ମାନେ । ରକ୍ତ ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର ପାଇଁ ଚଲାଇଛନ୍ତି ଏକ ର୍ୟାକେଟ୍ । ଏନେଇ ପୁଲିସ ପାଖରେ ଅଭିଯୋଗ ହେବାରୁ ପୁଲିସ ଆଜି ଜଣେ ପେସାଦାର ଦଲାଲ୍କୁ ଏସ୍ସିବି ବ୍ଲଡ୍ବ୍ୟାଙ୍କ୍ ପରିସରରୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟୀ ତଅଁରପା ଅଞ୍ଚଳର ସୌଭାଗ୍ୟ ରଂଜନ ପତି(୨୮) । ଅଭିଯୁକ୍ତଠାରୁ ୫ ହଜାର ଟଙ୍କା ନଗଦ ଜବତ ହୋଇଛି ।
ଫେବ୍ରୁଆରୀ ମାସ ଆରମ୍ଭରୁ ଏସ୍ସିବି ବ୍ଲଡ୍ ବ୍ୟାଙ୍କ୍ ଓ ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ୍ରେ ରକ୍ତର ଅଭାବ ଦେଖାଦେଇଛି । ସାଧାରଣତଃ ଏହି ସମୟରେ ପ୍ରତିବର୍ଷ ଏଭଳି ଅସୁବିଧା ହୁଏ । ମାତ୍ର ଏବର୍ଷ ସବୁଠୁ ଅଧିକ ହେଉଛି । ଏଭଳି ସ୍ଥିତିରେ ରୋଗୀ ସମ୍ପର୍କୀୟମାନେ ରକ୍ତ ପାଇବା ପାଇଁ ନାନାଦି ଯନ୍ତ୍ରଣା ଭୋଗ କରୁଛନ୍ତି । ମାଳମାଳ ରୋଗୀ ସମ୍ପର୍କୀୟ ଗୋଟିଏ ୟୁନିଟ୍ ରକ୍ତ ପାଇଁ ଦୁଇ ବ୍ଲଡ୍ ବ୍ୟାଙ୍କ୍ର ଚକ୍କର କାଟୁଛନ୍ତି । ଏଭଳି ସ୍ଥିତିରେ କିଛି ଦଲାଲ୍ ଏବେ ସକ୍ରିୟ ହୋଇଛନ୍ତି । ଏହି କ୍ରମରେ ପେସାଦାର ରକ୍ତ ଦଲାଲ୍ ସୌଭାଗ୍ୟ ଗତ କିଛି ଦିନ ହେବ ଏସ୍ସିବିରେ ଏହି ବେପାର ଜୋରସୋର୍ରେ ଚଲାଇଛି । ସେ ଆଜି ଭଦ୍ରକ ଜିଲ୍ଲା ନହକାଣ୍ଡିଡିହି ଥାନା ଅନ୍ତର୍ଗତ ବାଳିମୁଣ୍ଡ ଗ୍ରାମର ରାସବିହାରୀ ମଣ୍ଡଳଙ୍କୁ ରକ୍ତ ପାଇଁ ଅସହାୟ ଅବସ୍ଥାରେ ପାଇଥିଲା । ରାସବିହାରୀ ତାଙ୍କର ଜଣେ ସମ୍ପର୍କୀୟ ନୁ୍ୟରୋସର୍ଜରୀ ବିଭାଗରେ ପଡ଼ିଥିବା ଓ ଏଥିପାଇଁ ଏକ୍ତ ୟୁନିଟ୍ ଦରକାର ବୋଲି ସୌଭାଗ୍ୟକୁ କହିଥିଲେ । ଏହା ଜାଣି ସୌଭାଗ୍ୟ ୫ ହଜାର ଟଙ୍କା ଦେଲେ ୧ ୟୁନିଟ୍ ରକ୍ତ ମିଳିଯିବ କହିଲା । ତେଣୁ ରାସବିହାରୀ ତୁରନ୍ତ ୫ ହଜାର ଟଙ୍କା ସୌଭାଗ୍ୟକୁ ଦେଇଦେଲେ । ମାତ୍ର ଟଙ୍କା ଦେବାର ଦୀର୍ଘ ସମୟ ପରେ ବି ରକ୍ତ ନମିଳିବାରୁ ରାସବିହାରୀ ଏସ୍ସିବି ବ୍ଲଡ୍ ବ୍ୟାଙ୍କ୍ ପରିସରରେ ଧାଁଦୌଡ଼ କରିବାକୁ ଲାଗିଲେ । ସେଠାରେ ସାଦା ପୋଷାକରେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କର ଏନେଇ ସଂଦେହ ହୋଇଥିଲା । ସେ ରାସବିହାରୀଙ୍କୁ ପଚାରିବାରୁ ସେ ସବୁ କଥା କହିଥିଲେ । ଏହା ପରେ ପୁଲିସ ସୌଭାଗ୍ୟକୁ ଧରିନେଇ ପଚରାଉଚରା କରିବାରୁ ଅଭିଯୁକ୍ତ ସବୁ କଥା ମାନିବା ସହିତ ୫ ହଜାର ଟଙ୍କା ତା’ନିକଟରୁ ଜବତ ହେଲା । ତେବେ ଅଭିଯୁକ୍ତ ଦଲାଲ ସୌଭାଗ୍ୟ କରୋନା ପୂର୍ବରୁ ମଧ୍ୟ ଥରେ ରକ୍ତ ବିକ୍ରି ଅଭିଯୋଗରେ ଗିରଫ ହୋଇସାରିଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons