ରଥଯାତ୍ରା ସମନ୍ୱୟ ବୈଠକ:ଭକ୍ତ ଗହଣରେ ଗଡ଼ିବ ରଥ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ୨ ବର୍ଷ ପରେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ୨ ବର୍ଷ ଧରି ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋଭିଡ ପ୍ରାଚୀର ସାଜିିଥିଲା । ଏବର୍ଷ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ତଥାପି କୋଭିଡ୍ କଳା ବାଦଲ ରଥଯାତ୍ରା ଉପରେ ଘୂରି ବୁଲୁଛି । କୋଭିଡ ମୁକ୍ତ ଏବଂ କୋଭିଡ ଯୁକ୍ତ ରଥଯାତ୍ରା ୨୦୨୨ ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି । ଏଥିପାଇଁ ଦୁଇଟି ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଶୀଘ୍ର ରଥଯାତ୍ରାର ରୂପରେଖ ଉପରେ ନିଷ୍ପତ୍ତି ନେବାକୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ । ପ୍ରଶାସନ ଆକଳନ କରିଛି ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ତିନି ରଥ ଗଡ଼ିଲେ ୧୫ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବ । ଏହା ଏକ ସର୍ବକାଳୀନ ରେକର୍ଡ ହେବ । ଏହି ଉତ୍ସବକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମିଳିତ ଜାତିସଂଘକୁ ପ୍ରଶାସନ ଆବେଦନ କରିବ ବୋଲି ରଥଯାତ୍ରା ୨୦୨୨ର ପ୍ରଥମ ସମନ୍ୱୟ ବୈଠକରେ ସହମତି ମିଳିଛି । ଏହା ସହ ବିଭିନ୍ନ ବିଭାଗର ପ୍ରସ୍ତୁତି ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଛି ।
ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଆମେ ସମସ୍ତ ପରିସ୍ଥିତିକୁ ନଜର ରଖି ରଥଯାତ୍ରା ପ୍ରସ୍ତୁତି ଚଳାଇଛୁ । କୋଭିଡ୍ ସ୍ଥିତି ଉପୁଜିଲେ ପୂର୍ବ ଦୁଇ ବର୍ଷ ଭଳି କୋଭିଡ୍ ରଥଯାତ୍ରା ବ୍ଳୁ-ପ୍ରିଣ୍ଟରେ ଯାତ୍ରା କରିବାକୁ ଏଜେଣ୍ଡା ହୋଇଛି ।
କୋଭିଡ୍ମୁକ୍ତ ରଥଯାତ୍ରା ହେଲେ ବଡ଼ ଧରଣର ପ୍ରସ୍ତୁତି ଜରୁରି । କାରଣ ଦୁଇ ବର୍ଷ ହେବ ଭକ୍ତମାନେ ରଥ ଟାଣି ନାହାନ୍ତି । ତାକୁ ଧରି ଚଳିତ ରଥଯାତ୍ରା ପ୍ରସ୍ତୁତିର ଆଉ ଏକ ଆକ୍ସନ ପ୍ଳାନ୍ ମଧ୍ୟ ପ୍ରଶାସନ ପ୍ରସ୍ତୁତ କରିଛି । ରଥଯାତ୍ରା ସୁପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲାର ବରିÂ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।
ସଂକ୍ଷେପରେ ଦୁଇଟି ଆକ୍ସନ ପ୍ଳାନ ସହ ପ୍ରଶାସନ ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କରିଛି । ବୈଠକ ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି ଚଳିତ ରଥଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ଆକଳନ କରାଯାଇଛି । ଏହି ଗଣସମାବେଶକୁ ବିଶ୍ୱର ଏକମାତ୍ର ସର୍ବବୃହତ ଭକ୍ତ ସମାବେଶର ମାନ୍ୟତା ଦେବାକୁ ମିଳିତ ଜାତିସଂଘକୁ ଆବେଦନ କରାଯିବ ବୋଲି ଆଜି ବୈଠକରେ ସହମତି ମିଳିଥିବା ଶ୍ରୀ ତିଆଡ଼ି କହିଛନ୍ତି ।
ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁÂିତ ସମନ୍ୱୟ ବୈଠକରେ ରଥ କାଠ ଯୋଗାଣ, ରଥ ନିର୍ମାଣ, ରଥଯାତ୍ରା ସାମଗ୍ରୀ ସଂଗ୍ରହ, ଯାତ୍ରାକାଳୀନ ପରିମଳ ଓ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ,ରାସ୍ତାଘାଟ ସଜାଡ଼ିବା, ନିରନ୍ତର ବିଜୁଳି ଯୋଗାଣ, ରଥଯାତ୍ରା ଆରକ୍ଷୀ ସୁରକ୍ଷା, ଯୋଗାଣ ସାମଗ୍ରୀ ଯୋଗାଣ, ସୁରକ୍ଷିତ ସମୁଦ୍ର ସ୍ନାନ, ଗହଳି ନିୟନ୍ତ୍ରଣ, ଟୁରିଷ୍ଟ ସେବା ଓ ସୁରକ୍ଷା, ଭକ୍ତ ସୁରକ୍ଷା, ସାରସ ମେଳା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଦାଖଲ କରିଛନ୍ତି । ପ୍ରତ୍ୟେକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଜଣେ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଆଗାମୀ ଦିନର ପରିସ୍ଥିତିକୁ ଦେଖି ଏହି ଆକ୍ସନ ପ୍ଳାନରେ କିଛି ପରିବର୍ତ୍ତନ ହେବାର ମଧ୍ୟ ଆଭାସ ମିଳିଛି । ବୈଠକରେ ୨୦ରୁ ଅଧିକ ଲାଇନ ଡିପାର୍ଟମେଣ୍ଟ ମୁଖ୍ୟମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons