ରାଜଧାନୀରୁ ୨୫ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଲିସ ଓ ଅବକାରୀ ବିଭାଗକୁ ଚକ୍ମା ଦେବା ପାଇଁ ନିଶା ବେପାରୀମାନେ ନୂଆ ନୂଆ ତରିକାରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଆମ୍ବୁଲାନ୍ସ, ପଇଡ଼, କଦଳୀ ଓ କୋଇଲା ବୋଝେଇ ଟ୍ରକ୍ ଠାରୁ ଆରମ୍ଭ କରି ବିଭିନ୍ନ ଗାଡ଼ିରେ ସିକ୍ରେଟ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ତେବେ ଏଭଳି ଅଭିନବ ଉପାୟରେ ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜାତୀୟ ଅପରାଧ ନିୟନ୍ତ୍ରଣ ଶାଖା(ଏନ୍ସିବି) ହାତରେ ଧରାପଡ଼ିଛି । କୋରାପୁଟରୁ ବିହାର ଚାଲାଣ ବେଳେ ରସୁଲଗଡ଼ ଛକରେ ଏନ୍ସିବି ଟିମ୍ ଚଢ଼ଉ କରି ଗଞ୍ଜେଇ ଭର୍ତ୍ତି ତେଲ ଟ୍ୟାଙ୍କର ଜବତ କରିଛି । ଟ୍ୟାଙ୍କରରୁ ୨୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ୨ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବିହାର ଭୋଜପୁରର ସୁନୀଲ ରାୟ ଓ ଅଗିନେ୍ଦଓ ବିନ । ୨ ଜଣଙ୍କୁ ପଚରାଉଚରା ବେଳେ ସେମାନେ କୋରାପୁଟରୁ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ମାନିଛନ୍ତି ।
ଏନ୍ସିବି ଭୁବନେଶ୍ୱର ସବ୍ ଜୋନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ତେଲ ଟ୍ୟାଙ୍କର (ଡବ୍ଲୁ୍ୟବି ୨୯ବି-୨୫୦୧)ରେ କୋରାପୁଟରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ଆଜି ସକାଳେ ଏନ୍ସିବିର ଏକ ଟିମ୍ ରସୁଲଗଡ଼ ଛକରେ ଅପେକ୍ଷା କରିଥିବା ବେଳେ ଅନ୍ୟ ଏକ ଟିମ୍ ଖଣ୍ଡଗିରି ଛକରେ ଅପେକ୍ଷା କରିଥିଲେ । ଟ୍ୟାଙ୍କରଟି ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ସେଠାରେ ଅପେକ୍ଷା କରିଥିବା ଟିମ୍ ତାକୁ ପିଛା କରିଥିଲା । ଟ୍ୟାଙ୍କର ରସୁଲଗଡ଼ ଛକରେ ପହଞ୍ଚିବାକ୍ଷଣି ୨ ଟିମ୍ ଗାଡ଼ିକୁ ଅଟକାଇଥିଲେ । ଟ୍ୟାଙ୍କର ଛାଡ଼ି ୨ ଚାଲାଣକାରୀ ଦୌଡ଼ି ପଳାଉଥିବା ବେଳେ ଏନ୍ସିବି ଟିମ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଟ୍ୟାଙ୍କର ଟାଙ୍କି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣା ପଡ଼ିଥିଲା । ଟ୍ୟାଙ୍କର ସହ ୨ ଚାଲାଣକାରୀଙ୍କୁ ଏନ୍ସିବି ଟିମ୍ ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ତେଲଟାଙ୍କି ଭିତରେ ୨୫୦ କେଜି ଗଞ୍ଜେଇ ପ୍ୟାକେଟ୍ କରି ଖଞ୍ଜା ହୋଇ ରହିଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଞ୍ଜେଇ ଚାଲାଣ ର୍ୟାକେଟ୍ର ମୁଖ୍ୟ କିଏ ସେ ବିଷୟରେ ୨ ଚାଲାଣକାରୀ କିଛି ବି ସୂଚନା ଦେଇ ନାହାନ୍ତି । ଆସନ୍ତାକାଲି ଏହି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ର୍ୟାକେଟ୍ ମୁଖ୍ୟକୁ ଧରିବା ପାଇଁ ଖୋଳତାଡ଼ ଜାରି ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଗତ ଅଗଷ୍ଟ ୩୦ ତାରିଖରେ ଏନ୍ସିବି ଭୁବନେଶ୍ୱର ସବ୍ ଜୋନ୍ ପକ୍ଷରୁ ସମ୍ବଲପୁର ଅଇଁଠାପାଲ୍ଲୀରେ ଚଢ଼ଉ କରାଯାଇ ଏକ ତେଲ ଟ୍ୟାଙ୍କର ଭର୍ତ୍ତି ଗଞ୍ଜେଇ ଜବତ କରା ଯାଇଥିଲା । ତେଲ ଟ୍ୟାଙ୍କରରୁ ୮.୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଉକ୍ତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ରୁ ରାଉରକେଲାକୁ ଚାଲାଣ ହେଉଥିଲା । ସେହିପରି ସେପ୍ଟେମ୍ବର ୧୧ ତାରିଖରେ କଟକ ମଙ୍ଗୁଳିରେ ଚଢ଼ଉ କରାଯାଇ ଏକ କଣ୍ଟେନର ସିକ୍ରେଟ ଚାମ୍ବରରେ ଭର୍ତ୍ତି ହୋଇଥିବା ୫୨୦ କିଲୋ ଓଜନର ଗଞ୍ଜେଇ ଜବତ କରାଯିବା ସହ ଜଣେ ଚାଲାଣକାରୀକୁ ଗିରଫ କରା ଯାଇଥିଲା । ଉକ୍ତ ଗଞ୍ଜେଇ ଖୋର୍ଦ୍ଧାରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons