ରାତିକରେ ରେକର୍ଡ ୧.୧୪ ଲକ୍ଷ ଅଣ୍ଡାଦାନ

Get real time updates directly on you device, subscribe now.

ଗଞ୍ଜାମ, (ବି.ବି.ନୁ୍ୟଜ): ଋଷିକୁଲ୍ୟା ମୁହାଣ ନିକଟ ଗୋଖରକୁଦା ଏବଂ ପୋଡ଼ମପେଟା ମଧ୍ୟରେ ରବିବାର ରାତ୍ରି ଠାରୁ ସୋମବାର ସକାଳ ୮ଟା ସୁଦ୍ଧା ରେକର୍ଡ ସଂଖ୍ୟାରେ ଅଲିଭରିଡ୍ଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଏହି ବିରଳ ସାମୁଦ୍ରିକ କଇଁଛଙ୍କ ଚଳିତ ଅଣ୍ଡାଦାନ ସିଜନ୍ ଶନିବାର ରାତିରୁ ଜୋର୍ ଧରିଛି । ଦ୍ୱିତୀୟ ରାତି ଅର୍ଥାତ୍ ରବିବାର ରାତିରେ ହିଁ ୧ ଲକ୍ଷ ୧୪ ହଜାର ୩୦୫ ଅଣ୍ଡାଦାନ ହୋଇଛି ଯାହା ଏକ ରେକର୍ଡ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ । ଗତ ଶନିବାର ରାତ୍ରି ଠାରୁ ରବିବାର ସକାଳ ମଧ୍ୟରେ ୪୦,୫୩୩ ଅଣ୍ଡାଦାନ ହୋଇଥିଲା । ଅର୍ଥାତ୍ ଦୁଇ ଦିନ ମଧ୍ୟରେ ୧ ଲକ୍ଷ ୫୪ ହଜାର ୮୩୮ ଅଣ୍ଡାଦାନ ହୋଇଛି । ଅନୁକୂଳ ପାଣିପାଗ ସାଙ୍ଗକୁ ଦକ୍ଷିଣା ପବନ ପ୍ରବାହ ଯୋଗୁଁ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ଋଷିକୁଲ୍ୟା ମୁହାଣରେ ପହଞ୍ଚି ଗଣଅଣ୍ଡାଦାନ କରିଛନ୍ତି । ଆଗାମୀ ଦିନରେ ଅଣ୍ଡାଦାନ ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ- ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବଙ୍ଗୋପସାଗର ସମୁଦ୍ରତଟ ପ୍ରସିଦ୍ଧି ଲାଭ କରିଛି । ତେବେ ଚଳିତ ବର୍ଷ ଏହି ବିରଳ କଇଁଛଙ୍କ ଏନ୍ତୁଡ଼ିଶାଳର ଦିଗ ବଦଳିଥିବା ଦେଖାଯାଉଛି । ସମୁଦ୍ରକୂଳ କ୍ଷୟ ଓ ଋଷିକୁଲ୍ୟା ନଈ ମୁହାଣର ପରିବର୍ତ୍ତନ ଯୋଗୁଁ ଏଭଳି ଘଟିଥିବା ଦେଖାଯାଇଛି । କଇଁଛମାନଙ୍କ ଅଣ୍ଡାର ସୁରକ୍ଷା ସକାଶେ ଖଲ୍ଲିକୋଟ ରେଞ୍ଜର୍ ସିଦ୍ଧାନ୍ତ ଶଙ୍କର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ବନବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ପାଇଁ ଗଭୀର ସମୁଦ୍ରରେ କୌଣସି ପ୍ରକାର ଯନ୍ତ୍ରଚାଳିତ ଲଞ୍ଚ ବା ଟ୍ରଲରରେ ମାଛ ମାରିବାକୁ ବାରଣ କରାଯାଇଛି । ପୂର୍ବରୁ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ମଧ୍ୟରେ ଗଣଅଣ୍ଡାଦାନ ହେଉଥିବା ବେଳେ ଚଳିତବର୍ଷ ବଟେଶ୍ୱର ବେଳାଭୂମି ଠାରୁ ଅଳେଶ୍ୱର ବେଳାଭୂମି ମଧ୍ୟରେ ବି କଇଁଛମାନେ ଗଣଅଣ୍ଡାଦାନ କରିଛନ୍ତି ।
ଉଲ୍ଲେଖନୀୟ ଭାବେ ଗତବର୍ଷ ବହୁ ଆଶା ଓ ସମ୍ଭାବନା ସତ୍ତେ୍ୱ ସାମୂହିକ ଅଣ୍ଡାଦାନ ହୋଇପାରି ନଥିଲା । ମାତ୍ର ୪୪୦୦ କଇଁଛ ଅଣ୍ଡା ଦେଇଥିଲେ । ଯଦିଓ ଦୁଇ ଦଶନ୍ଧିରେ ବ୍ୟତିକ୍ରମ ସ୍ୱରୂପ ଦିନବେଳା କଇଁଛଙ୍କ ଅଣ୍ଡାଦାନ ଦୃଶ୍ୟ ଗତବର୍ଷ ଦେଖିବାକୁ ମିଳିଥିଲା, ତଥାପି ଏହା କାଁଭାଁ ଥିଲା । ଏପରିକି ପାତିସୁନାପୁର ବେଳାଭୂମି ଅଞ୍ଚଳରେ ମଧ୍ୟ କିଛିଟା କଇଁଛ ଅଣ୍ଡାଦାନ କରିଥିଲେ । ତେବେ ଋଷିକୁଲ୍ୟା ମୁହାଣରେ ୨୦୧୭ ମସିହାରେ ୩.୭୨ ଲକ୍ଷ, ୨୦୧୮-୧୯ରେ ରେକର୍ଡ ୪ ଲକ୍ଷ ୪୫ ହଜାର, ୨୦୧୯-୨୦ରେ ୩.୨୩ ଲକ୍ଷ ଅଣ୍ଡାଦାନ ହୋଇଛି । ସାଧାରଣତଃ ଗୋଟିଏ କଇଁଛ ୧୦୦ରୁ ୧୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons