ରାମଲୀଳା ରାବଣ ଚରିତ୍ରରେ ଚିକିତ୍ସକ:ଲୀଳା ନାଟକକୁ ପୁନର୍ଜୀବନ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ରାମାୟଣର ରାବଣ ଚରିତ୍ରକୁ ସମାଜରେ ନକରାତ୍ମକ ଭାବରେ ଚିତ୍ରଣ କରାଯାଇଥାଏ । ହେଲେ ପୁରାଣର ବର୍ଣ୍ଣନାନୁଯାୟୀ ରାବଣ ଜଣେ ଶାସ୍ତ୍ରଜ୍ଞ, ବିଦ୍ୱାନ ତଥା ପ୍ରଖ୍ୟାତ ଭେଷଜ ଚିକିତ୍ସଜ୍ଞ ଥିଲେ । ଏପରିକି ଲଙ୍କା ନଗରୀର ରାଜବୈଦ୍ୟ ସୁଷେଣଙ୍କଠାରୁ ମଧ୍ୟ ରାବଣଙ୍କ ଚିକିତ୍ସାଶାସ୍ତ୍ରରେ ଅଧିକ ଜ୍ଞାନ ଥିଲା । ରାମାୟଣର ସେହି ଭୂମିକା ଏବଂ ପ୍ରସଙ୍ଗର ପୁନରାବୃତ୍ତି ଦେଖିବାକୁ ମିଳିଛି ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାରେ । ଦୀର୍ଘବର୍ଷ ପରେ ବଲାଙ୍ଗିର ରାମଜୀପଡାରେ ଆରମ୍ଭ ହୋଇଥିବା ରାମଲୀଳାର ରାବଣ ଭୂମିକାରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଡାକ୍ତର ରୁଦ୍ରନାରାୟଣ ପଟେଲଙ୍କୁ ଦେଖିବାକୁ ମିଳିଛି । ଶ୍ରୀ ପଟେଲ ଏ ଅଞ୍ଚଳର ଜଣେ ନା କରା ପ୍ରସୂତି ରୋଗ ବିଶେଷଜ୍ଞ । ବର୍ତ୍ତମାନ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ବିବିଏମସିଏଚ)ରେ ଅବସ୍ଥାପିତ ଏବଂ ତାଙ୍କର ନିଜସ୍ୱ ଏକ ଘରୋଇ ନର୍ସିଂହୋମ ମଧ୍ୟ ରହିଛି । ଶ୍ରୀ ପଟେଲ ବୃତ୍ତିଗତ ଜୀବନରୁ ବାହାରି ଜଗନ୍ନାଥପଡ଼ାର ଦେଢଶହ ବର୍ଷର ପୁରୁଣା ସଂସ୍କୃତିକୁ ଉଜ୍ଜୀବିତ ରଖିବାର ବ୍ରତୀ ହୋଇଛନ୍ତି । ଚଳିତ ବର୍ଷ ରାମଲୀଳାରେ ରାବଣ ଭୂମିକାରେ ତାଙ୍କର ନିଖୁଣ ଅଭିନୟ ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ ଗତ ରାମ ନବମୀରୁ ସ୍ଥାନୀୟ ଜଗନ୍ନାଥପଡା ଜଗନ୍ନାଥ ମନ୍ଦିର ନିକଟରେ ରାମଲୀଳା ଆରମ୍ଭ ହୋଇଛି । ପ୍ରତିଦିନ ରାତିରେ ରାମାୟଣର କିଛି ନିର୍ଦ୍ଧିଷ୍ଟ ଦୃଶ୍ୟ ମଞ୍ଚସ୍ଥ ହେଉଛି । ଯାହା ଦେଖିବାକୁ ପ୍ରତିଦିନ ଲୋକଙ୍କ ଗହଳି ଲାଗୁଛି । ରାମଜୀପଡା ଓ ଜଗନ୍ନାଥ ପଡାର କଳାକାରଙ୍କୁ ନେଇ ଗଠିତ ରାମଜୀ ନାଟ୍ୟ ସଂସଦର କଳାକାରମାନେ ଗୁରୁ ବାଳମୁକୁନ୍ଦ ବେହେରାଙ୍କ ନିଦେ୍ର୍ଧଶନାରେ ଲୀଳା ପ୍ରଦର୍ଶନ କରିଆସୁଛନ୍ତି । ଯେଉଁଥିରେ ଡାକ୍ତର ଶ୍ରୀ ପଟେଲ ରାବଣ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ମୋହୁଛନ୍ତି । ତାଙ୍କର ଉଦ୍ୟମରେ ହିଁ ଦୀର୍ଘ ୨୦ବର୍ଷ ହେଲା ବନ୍ଦ ହୋଇଥିବା ରାମଲୀଳା ଚମକି ଉଠିଛି । ରଜାରାଜୁଡା ସମୟରୁ ଅର୍ଥାତ ଦେଢଶହ ବର୍ଷ ପୂର୍ବେ ରାମଜୀପଡାରେ ରାମଲୀଳା ଆରମ୍ଭ ହୋଇଥିଲା । ଏହି ରାମଲୀଳାର ସ୍ୱତନ୍ତ୍ରତା ଥିଲା ଛଉ ଏବଂ ଗୋଟିପୁଅ ନୃତ୍ୟ ସହ କାଠମୁଖାର ବ୍ୟବହାର । କିନ୍ତୁ ୨୦୦୩ ମସିହାରୁ କୌଣସି କାରଣରୁ ଏହା ବନ୍ଦ ହୋଇଯାଇଥିଲା । ଡାକ୍ତର ପଟେଲ ପିଲାବେଳେ ରାମଲୀଳା ଦେଖୁଥିଲେ । ଅଭିନୟ ନକଲେ ମଧ୍ୟ ତାହାରି ପ୍ରଭାବ ତାଙ୍କ ଉପରେ ପଡିଥିଲା । ସେହିଠାରୁ ଦେଖିଦେଖି ବାଜା ବଜାଇବା ଆରମ୍ଭ କରିଥିଲେ । ରାଜେନ୍ଦ୍ର କଲେଜରେ ପଢିବା ବେଳେ ଡ. ଘାସିରାମ ମିଶ୍ରଙ୍କ ଠାରୁ ତବଲା ଶିଖୁଥିଲେ । ପରେ ୧୯୯୧ରେ ଭିମସାରେ ଡାକ୍ତରୀ ପାଠ ପଢିଲେ । ସେହିି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତବଲା ଆଦି ବିଭିନ୍ନ ବାଦ୍ୟଯନ୍ତ୍ର ପରିବେଷଣ କରୁଥିଲେ । ସଙ୍ଗୀତ ନାଟକ ସହିତ ଓତଃପ୍ରୋତ ଭାବେ ଜଡିତ ଡାକ୍ତର ପଟେଲ ଦୀର୍ଘଦିନ ଧରି ବନ୍ଦ ହୋଇଥିବା ରାମଲୀଳା ପୁଣି ଉଜ୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଗୁରୁ ଶ୍ରୀ ବେହେରା ଏବଂ ପଡାର ଆଗ୍ରହୀ କଳାକାରଙ୍କୁ ନେଇ ୨୦୧୯ରେ ଏଥିପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ମାଉସୀ ମା’ ମନ୍ଦିରରେ ଅଭ୍ୟାସ କରାଯାଇଥିଲେ ମଧ୍ୟ କରୋନା ପାଇଁ ରାମଲୀଳା ହୋଇପାରୁନଥିଲା । ଡାକ୍ତର ପଟେଲ କିନ୍ତୁ ଅଭ୍ୟାସ ଜାରି ରଖିଥିଲେ ।
ତାଙ୍କ କହିବା ଅନୁସାରେ, କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ । କାମ କରିବା ଲୋକର କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ କାମର ମର୍ଯ୍ୟାଦା ନିର୍ଭର କରେ । ମନରେ ଉତ୍ସାହ ଥିଲେ କାମ ସହଜରେ କରି ହୋଇଥାଏ । ଏଥିପାଇଁ ସମୟର ସଦୁପଯୋଗ କରିବାକୁ ହୁଏ । ସେ ଦିନରେ ରୋଗୀସେବା କରି ସନ୍ଧ୍ୟାରେ ଅଭ୍ୟାସ କରିଥାନ୍ତି । ତାଙ୍କ ସାନ ଝିଅ ଶ୍ରୀୟା ମଧ୍ୟ ଲୀଳା ଗୀତ ବୋଲୁଛନ୍ତି । ଆଗାମୀ ଦିନରେ ରାମଲୀଳାର ବିଭିନ୍ନ ଅଂଶକୁ ଧନୁଯାତ୍ରା ଭଳି ସହରର ବିଭିନ୍ନ ସ୍ଥାନରେ କରାଯିବାର ସେ ଲକ୍ଷ୍ୟ ରଖିଛନ୍ତିି । ଯଦ୍ୱାରା ଲୀଳା ନାଟକ କ୍ଷେତ୍ରରେ ବଲାଙ୍ଗିର ତା’ର ହୃତ ଗୌରବ ଫେରାଇ ଆଣିପାରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons