ରାସ୍ତା ବନ୍ଦ, ବଢୁଛି ଅସନ୍ତୋଷ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ମାର୍ଟରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସହରର ୧୦ଟି ରାସ୍ତାକୁ ସ୍ମାର୍ଟରୋଡ କରିବା ପାଇଁ ଚିହ୍ନଟ କରାଯାଇଥିଲା । ୧୦ଟି ରୋଡ୍ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଥିବା ବିଏମ୍ସି କହିଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୫ ମାସରୁ ଉଦ୍ଧ୍ୱର୍ ସମୟ ଲାଗିଲାଣି । ନିର୍ମାଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ବିଏମ୍ସି ପକ୍ଷରୁ ନିର୍ମାଣାଧୀନ ରାସ୍ତା ଗୁଡ଼ିକୁ ସର୍ବସାଧାରଣ ନିମନ୍ତେ ବନ୍ଦ କରାଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ କୌଣସି ଯାନ ଯାତାୟତ କରି ପାରୁନାହିଁ ।
ସ୍ମାର୍ଟରୋଡ୍ କାର୍ଯ୍ୟ ପାଇଁ ମୁଖ୍ୟତଃ ଗାନ୍ଧିିନଗର ମୁଖ୍ୟରାସ୍ତାର ତଳ ଏବଂ ଉପର ରାସ୍ତା ପ୍ରଭାବିତ ହୋଇଛି । ଏଥିସହ ଧାନମେରା ସାହିର ରାସ୍ତା ମଧ୍ୟ ବନ୍ଦ ରହିଛି । ସହରର ଏକ ପ୍ରମୁଖ ଏବଂ ଗହଳିପୂର୍ଣ୍ଣ ରାସ୍ତା ଭାବେ ଗାନ୍ଧୀ ନଗର ରାସ୍ତା ବେଶ୍ ପରିଚିତ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଯାନବାହାନ ଯିବା ଆସିବା କରୁଛି । କିନ୍ତୁ ସ୍ମାର୍ଟରୋଡ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ରାସ୍ତାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି ।
ସେହିଭଳି ସାନବଜାର ଛକ ଠାରୁ ଧାନମେରା ସାହି ରାସ୍ତା ମଧ୍ୟ ବନ୍ଦ ହୋଇ ରହିଛି । ସ୍ମାର୍ଟରୋଡ ନିର୍ମାଣ ପାଇଁ ଦୀର୍ଘଦିନ ଧରି ରାସ୍ତାକୁ ବନ୍ଦ କରାଯାଇଥିବା ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ ଠପ୍ ହୋଇପଡ଼ିଛି । ସ୍ମାର୍ଟରୋଡ୍ ନିର୍ମାଣ କାର୍ଯ୍ୟ ନସରିବା ସହ ରାସ୍ତା ବନ୍ଦ ରହିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
୨୦୨୧ ମସିହା ନଭେମ୍ବର ମାସରେ ସ୍ମାର୍ଟରୋଡ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଉଠାଣ ନେଇ ଘୋଷଣା କରାଯାଇଥିଲା । ସ୍ମାର୍ଟରୋଡ ପ୍ରକଳ୍ପକୁ ୩ମାସ ମଧ୍ୟରେ ସାରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଥିବା ବିଏମ୍ସି କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦର କହିଥିଲେ । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଲକ୍ଷ୍ୟ ରଖାଯାଇଥିବା ସମୟସୀମା ସରିଯିବା ପରେ ୨୦୨୨ ମସିହା ଫେବୃଆରୀ ୨୨ ତାରିଖରେ ସ୍ମାର୍ଟରୋଡ୍ ପ୍ରକଳ୍ପ ରାଜ୍ୟ ନୋଡାଲ ଅଫିସର ଗାନ୍ଧୀ ନଗର ଉପର ଏବଂ ତଳ ରାସ୍ତା ଦେଖିବା ସହ ଅନ୍ୟ ରାସ୍ତା କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ । ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଫେବୃଆରୀ ମାସକୁ ତିନିମାସ ପୂରି ଯାଇଥିବା ବେଳେ କାମ ଅଧା ହୋଇଥିବା ଦେଖି ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ତୁରନ୍ତ କାର୍ଯ୍ୟ ସାରିବାକୁ ନିଦେ୍ର୍ଧଶ ମଧ୍ୟ ଦେଇଥିଲେ । କିନ୍ତୁ ଏହାପରେ ମଧ୍ୟ ଦୁଇ ମାସ ବିତିଯାଇଛି କିନ୍ତୁ ରାସ୍ତା କାମ ସରିବା ନାଁ ନେଉନି । ଏନେଇ ଆସିଷ୍ଟାଣ୍ଟ ଇଂଜିନିୟର ତପନ କୁମାର ରାୟ କହିଛନ୍ତି, କେବଳ ରାସ୍ତା କାମ ନୁହେଁ ଡ୍ରେନେଜ୍ କାର୍ଯ୍ୟ ଏବଂ ଅଣ୍ଡର ଗ୍ରାଉଣ୍ଡ୍ ପାଇପ୍ ଲାଇନ୍ କାର୍ଯ୍ୟ ମଧ୍ୟ ଚାଲିଛି । ଗାନ୍ଧି ନଗର ଉପର ରାସ୍ତା କାମ ପ୍ରାୟ କାମ ସରିଆସିଲାଣି । ପିଚୁ ପଡ଼ିବା ବାକି ରହିଥିବା ବେଳେ ପ୍ରାୟ ଏକମାସ ମଧ୍ୟରେ ଉପର ରାସ୍ତା କାମ ସରିଯିବ । ତଳରାସ୍ତା କଂକ୍ରିଟ୍ କରାଯିବ ଏଣୁ ପ୍ରାୟ ଦେଢ଼ ମାସ ସମୟ ଲାଗିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons