ରାୟଗଡ଼ା ଅବକାରୀ ଅଧୀକ୍ଷକ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆପ୍ର): ମଦ ଦୋକାନୀଙ୍କ ଠାରୁ ଟଙ୍କା ନେଇ ଫେରୁଥିବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାୟଗଡ଼ା ଅବକାରୀ ଅଧୀକ୍ଷକ ନୀନା ବେଉରା । ତାଙ୍କ ଠାରୁ ୬ ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଛି । ଟଙ୍କାର ହିସାବ ଦେଇ ନ ପାରିବାରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଜେଲ)କୁ ପଠାଇ ଦିଆଯାଇଛି ।
ତାଙ୍କ ଘର, ଅଫିସ୍, କ୍ୱାର୍ଟର୍ସ ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି । ନୀନାଙ୍କ ଗିରଫ ପରେ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଥାନା ଛାଡ଼ି ପଲାଇଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ନ ପାଇ ତାଙ୍କ କ୍ୱାର୍ଟର୍ସ ସିଲ୍ କରିଛି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ନୀନା ଶୁକ୍ରବାର ଅପରାହ୍ଣରେ ରାୟଗଡ଼ାର ୩ଟି ମଦ ଦୋକାନୀଙ୍କ ଠାରୁ ମିନିମମ୍ ଗ୍ୟାରେଣ୍ଟେଡ୍ କ୍ୱାଣ୍ଟିଟି (ଏମ୍ଜିକୁ୍ୟ) ଠିକ୍ କରିବା ପାଇଁ ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ । ଏକ ବାର୍ ଠାରୁ ୩୦ ହଜାର ଟଙ୍କା ଆଣିଥିଲେ । ସନ୍ଧ୍ୟାରେ ଏକ କାର୍ (ଓଡି୧୮ ଜି ୫୪୪୫)ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ଏ ସମ୍ପର୍କରେ ରାୟଗଡ଼ା ଭିଜିଲାନ୍ସ ଖବର ପାଇ ଭୁବନେଶ୍ୱର ଡିଜିଜନ୍କୁ ଜଣାଇଥିଲା । ଖୋର୍ଦ୍ଧା ତୋଟପଡା ଛକରେ ଭିଜିଲାନ୍ସ ଟିମ୍ ନୀନାଙ୍କୁ ଅପେକ୍ଷା କରିଥିଲା । ଶୁକ୍ରବାର ରାତି ସାଢେ଼ ୧୧ ଟା ସମୟରେ ତୋଟପଡା ଛକରେ ପହଞ୍ଚିଲା ତାଙ୍କ ଗାଡ଼ି । ଭିଜିଲାନ୍ସ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ୬ ଲକ୍ଷ ୨୯ ହଜାର ଟଙ୍କା ପାଇଥିଲା । ଉକ୍ତ ଟଙ୍କା ବିଷୟରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଫଳରେ ତାଙ୍କୁ ଗିରଫ କରାଯାଇଥିଲା ।
ଏ ନେଇ ଶନିବାର ନୀନାଙ୍କଙ୍କ ଅଫିସ୍, ଭୁବନେଶ୍ୱର ଘର ଓ ସ୍ୱାମୀ ନିହାର ରହୁଥିବା ମାହାଙ୍ଗା ଥାନା ପାଖ ସରକାରୀ କ୍ୱାର୍ଟର୍ସରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଆଇଆଇସି ନିହାର ଥାନା ଛାଡ଼ି କେଉଁଆଡେ ପଳାଇ ଯାଇଥିଲେ । ଏହା ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଙ୍କ କ୍ୱାର୍ଟର୍ସକୁ ସିଲ୍ କରିଥିଲେ । ଭିଜିଲାନ୍ସ ଅଧିକାରୀମାନେ ସାଲେପୁର ଏସ୍ଡିପିଓ ବିମଳ ବାରିକଙ୍କୁ ଆଇଆଇସି ବିଷୟରେ ପଚାରିଥିଲେ । ଶ୍ରୀ ବାରିକ କହିଥିଲେ ଆଇଆଇସି ଭୁବନେଶ୍ୱର ଭିଜିଲାନ୍ସ ଅଫିସ୍କୁ ଯାଇଥିବା କହିଥିଲେ । ମାହାଙ୍ଗା ଥାନା ଛାଡ଼ି ନିହାର ସକାଳ ସାଢେ଼ ୧୦ଟାରେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇଥିଲା । ପରେ ତାଙ୍କୁ ଯିବାକୁ ଅନୁମତି ମିଳିଥିଲା । ଯେଉଁ ମୁହୂର୍ତ୍ତରେ ତାଙ୍କୁ ଡକରାଯିବ ସେ ହାଜର ହେବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଏନେଇ ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ କହିଛନ୍ତି, ରାୟଗଡାର ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୬.୨୯ ଲକ୍ଷ ଟଙ୍କା ମିଳିଥିଲା । ଟଙ୍କା ହିସାବ ନ ଦେଇ ପାରିବାକୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ସ୍ୱାମୀ ଭୁବନେଶ୍ୱର ଭିଜିଲାନ୍ସ ଅଫିସ୍କୁ ଆସିଥିଲେ । ତାଙ୍କୁ ପଚରାଉଚରା କରାଯାଇଛି । ଯଦି ସେ ତଦନ୍ତରେ ସହଯୋଗ ନ କରନ୍ତି ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons