ରୋଷଘର ଚୁଲି ଭଙ୍ଗା ମାମଲା:ହାତରେ ୪୩ ଚୁଲି ଭାଙ୍ଗିଲା!

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ମାମଲାରେ ଅଟକ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୁଲିସ । ଜାମିନ ନାମଞ୍ଜୁର ହେବା ପରେ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ ଦେଉଳି ଗ୍ରାମର ଜଗନ ମହାପାତ୍ର (୩୦) । ଗାଁର ଦଣ୍ଡଯାତ୍ରାରୁ ପୁଲିସ ତାକୁ ଉଠାଇ ଆଣି ପରେ ଗିରଫ କରିଥିବା ଜଣାପଡ଼ିଛି ।
ତେବେ ପୁଲିସ ଜେରା କରିବାବେଳେ ସେ ଆଶ୍ଚର୍ଯ୍ୟଜନକ ବୟାନ୍ ଦେଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ ବିକ୍ଷିପ୍ତ ହୋଇ ପଡ଼ିଥିବାରୁ ମୁଣ୍ଡ ଗରମ ହୋଇଗଲା ଓ ସେଥିପାଇଁ ସେ ଖାଲି ହାତରେ ଚୁଲି ଗୁଡ଼ିକୁ ଭାଙ୍ଗି ଦେଇଥିଲା । କିନ୍ତୁ ଏହି ବୟାନ ଉପରେ ସନେ୍ଦହ ପ୍ରକଟ କରିଛନ୍ତି ଭକ୍ତ ଓ ସେବାୟତମାନେ । ଜଣେ ଲୋକ କେବଳ ଖାଲି ହାତରେ ୨ ଘଣ୍ଟା ମଧ୍ୟରେ ୪୩ଟି ଚୁଲି ଭାଙ୍ଗିବା ସହଜ ନୁହେଁ ବୋଲି ସେମାନେ କହୁଛନ୍ତି ।
ଅଭିଯୁକ୍ତର ବୟାନରୁ ପ୍ରକାଶ: ଶନିବାର ଶ୍ରୀମନ୍ଦିର ଆସିଥିଲା ଜଗନ । ଶ୍ରୀମନ୍ଦିର ଆସିବା ପରେ ସେ ଆଉ ଫେରି ନଥିଲା । ରାତିରେ ସେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖି ରୋଷଘରେ ପଶି ଯାଇଥିଲା । ରୋଷଘରେ ମହାପ୍ରସାଦ ବିକ୍ଷିପ୍ତ ହୋଇ ପଡ଼ିଥିଲା । ଅନେକ ସ୍ଥାନରେ ଲୋକେ ଖାଇବାକୁ ପାଉନାହାନ୍ତି । କିନ୍ତୁ ଏଠାରେ ମହାପ୍ରସାଦ ତଳେ ପଡ଼ିଥିବା ଦୃଶ୍ୟ ତାକୁ ଅସ୍ତବ୍ୟସ୍ତ କରିଥିଲା । ତେଣୁ ଗୋଟି ଗୋଟି କରି ଚୁଲି ଭାଙ୍ଗିଥିଲା । ଯଦି ରହିବ ମହାପ୍ରଭୁଙ୍କ ଗୋଟିଏ ଚୁଲି ରହିବ, ଅନ୍ୟ ସବୁ ଚୁଲି ଭାଙ୍ଗିଦେବି ବୋଲି ନିଷ୍ପତ୍ତି ନେଇ ଚୁଲି ଭାଙ୍ଗିଥିଲା । ମହାପ୍ରଭୁଙ୍କୁ ସମସ୍ତେ ଦର୍ଶନ କରି ନିଜ ପାଇଁ ମାଗୁଛନ୍ତି । ହେଲେ ତାଙ୍କ ମହାପ୍ରସାଦ ପ୍ରତି ଏତେ ଅବମାନନାକୁ ସେ ସହି ନପାରି ଚୁଲି ହାତରେ ବାଡେ଼ଇ ଭାଙ୍ଗିଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ସ୍ୱୀକାର କରିଛି ।
ଗଣମାଧ୍ୟମକୁ ଅଭିଯୁକ୍ତ କହିଛି ପ୍ରଥମେ ରୋଷଘର ଚଟାଣରେ ପଡିଥିବା ଚାଉଳ ବସ୍ତା, ଜରି, ଷଢେଇ ସଫା କରିଥିଲା । ପରେ ଚୁଲି ଭାଙ୍ଗିଥିଲା । ସେ ମହାପ୍ରଭୁଙ୍କୁ ବହୁତ ଭଲପାଏ । ତାଙ୍କୁ ବହୁତ ଭକ୍ତି କରେ ବୋଲି ମଧ୍ୟ କହିଛି । ଚୁଲି ଭାଙ୍ଗିବା ପରେ ସେ ରୋଷଘରୁ ବାହାରି ବେଢ଼ାରେ ବୁଲିଥିଲା । ଏହାପରେ ନୃସିଂହ ମନ୍ଦିରରେ ପଶିଥିଲା । ନୃସିଂହ ମନ୍ଦିର କବାଟ ପୋଛାପୋଛି କରିଥିଲା । ସେଠାରେ ପୂଜା ପାଇଁ ରହିଥିବା ଚୁଆ, ଚନ୍ଦନ, ହଳଦୀ ଓ ଫଗୁ ତଳେ ଫିଙ୍ଗି ପିନ୍ଧା ପୋଷାକରେ ପୋଛିଥିଲା । ଜେଟିପି ବାହାରକୁ କାଢ଼ିବା ପରେ ଶ୍ରୀମନ୍ଦିର ବାହାରକୁ ଆସି ସିଧା ବାଲିସାହି ସ୍ଥିତ ଶେତଗଙ୍ଗା ପୁଷ୍ପରିଣୀକୁ ପଳାଇଥିଲା । ସେଠାରେ ସ୍ନାନକରି ଗାଁକୁ ଫେରିଥିଲା ।
ତେବେ ସେବାୟତମାନଙ୍କ ପ୍ରଶ୍ନ ଯେ: ଜଣେ ଲୋକ ରାତିରେ ଖାଲି ହାତରେ ୪୩ ଚୁଲି ଭାଙ୍ଗିବା ବିଶ୍ୱାସ କରିହେଉନାହିଁ । ଏହା ଜଣେ ପଣସ ଖାଇ ଜଣଙ୍କ ମୁଣ୍ଡରେ ଅଠା ବୋଳିନାହିଁ ତ? ଶ୍ରୀମନ୍ଦିର ଚୁଲିକୁ ଖାଲିହାତରେ ଭାଙ୍ଗିବା ଏତେ ସହଜ ନୁହେଁ । ଇଟାରେ ବହଳ ମାଟିର ଲେପ ଦିଆଯାଏ । ଏହି ମାଟିରେ ବାଲି ସହ ଗୁଡ଼ ମିଶାଯାଏ । ବ୍ୟବହାର ହେବାପରେ ନିଆଁ ଧାସରେ ଏହା ଆହୁରି କଠିନ ହୋଇଯାଏ । ଏହାକୁ ଭାଙ୍ଗିବା ପାଇଁ କାଠଫାଳିଆ ଲୋଡ଼ା । ପୂର୍ବରୁ କୌଣସି କାରଣକୁ ନେଇ ସୁଆରଙ୍କ ମଧ୍ୟରେ ଝଗଡ଼ା ଲାଗିଲେ କାଠ ଫାଳିଆରେ ଚୁଲି ଭଙ୍ଗାରୁଜା ହେଉଥିଲା । ଏଥର ମଧ୍ୟ କୌଣସି ସାମଗ୍ରୀରେ ଭଙ୍ଗାଯାଇଥିବା ଅନୁମାନ ହେଉଛି ।
ଘଟଣା ଘଟିଛି ରାତି ୧୦ଟା ୫୦ ମିନିଟରୁ ରାତି ଗୋଟାଏ (ଦୁଇ ଘଣ୍ଟା ୧୦ ମିନିଟ)ମଧ୍ୟରେ । ଏତିକି ସମୟରେ ୪୩ ଚୁଲି କେମିତି ଭାଙ୍ଗିଲା । ଶନିବାର ରାତି ୧୦ଟା ୫୦ ମିନିଟରେ ବଡ଼ସିଂହାର ଭୋଗ ବଢ଼ିଥିଲା । ଏହାପରେ ଅଞ୍ଚଳ ଫାଙ୍କା ହେବା ପରେ ଅଭିଯୁକ୍ତ ଚୁଲା ଭାଙ୍ଗିଥିବ । ପୁଲିସ କହିବା ଅନୁସାରେ ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ମାନସିକ ସନ୍ତୁଳନ ଠିକ ନାହିଁ । ଏଭଳ ଜଣେ ବ୍ୟକ୍ତି ଓର ଉଣ୍ଡି ଏକାମ କରିପାରିବା ଏତେ ସହଜ ନୁହେଁ ।
ସିସିଟିଭି ଫୁଟେଜ୍ ଅନୁସାରେ ଅଭିଯୁକ୍ତ ରାତି ୧ଟା ୮ ମିନିଟରେ ଶ୍ରୀମନ୍ଦିର ବେଢ଼ାରେ କାର୍ଯ୍ୟାଳୟ ନିକଟରେ, ୧ଟା ୯ରେ ଗାରଦ ନିକଟରେ, ୧ଟା ୧୧ରେ ଜୟବିଜୟ ଦ୍ୱାର ନିକଟରେ ଥିଲା । ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ବାହାରିଥିଲା । ଏହାପରେ ବେଢ଼ାକୁ ଆସିବା ପରେ ୩ ଜଣ ଜେଟିପି ତାକୁ ବାଇଶିପାହାଚ ଦେଇ ସିଂହଦ୍ୱାର ଆଡ଼କୁ ଆଣିଥିଲେ । ଇତିମଧ୍ୟରେ ଧୋପଖାଳ ସେବାୟତ କୋଠଚୁଲି ଭାଙ୍ଗିଥିବା କଥା ଗାରଦରେ ଜଣାଇଥିଲା । ଜେଟିପିମାନେ କିନ୍ତୁ ବାହାରେ ଡୁ୍ୟଟି କରୁଥିବାରୁ ଏସମ୍ପର୍କରେ ଜାଣିନପାରି ଅଭିଯୁକ୍ତକୁ ଛାଡ଼ିଦେଇଥିଲେ । ତେବେ ପୁଲିସ କହିବା ପ୍ରକାରେ ଏହି ଲୋକଟି ଚୁଲି ଭାଙ୍ଗିସାରି ବୁଲୁଥିଲା । ଏଭଳି ଯୋଜନାବଦ୍ଧ କାମ କରୁଥିବା ଲୋକର ମାନସିକ ସନ୍ତୁଳନ ବିଗିଡ଼ିଛି ବୋଲି କହିହେବନି । ଏ ସମସ୍ତ ଘଟଣାକୁ ଏବେ ଅଭିଯୁକ୍ତର ବୟାନ ସହ ତାଳମେଳ କରିବା ପରେ ଏବେ ଭକ୍ତ ମହଲରେ ଅନେକ ପ୍ରଶ୍ନବାଚୀ ।
ଅପରପକ୍ଷରେ, ସବୁଦିନ ରୋଷଘର ମୁଖ୍ୟ ଦ୍ୱାରରେ ତାଲା ପଡେ଼ । ଚୁଲି ଭଙ୍ଗା ଦିନ ଶନିବାର ରାତିରେ ତାଲା ପଡ଼ିନଥିଲା ଓ ଏହି ଲୋକ ଯୋଜନାବଦ୍ଧ ଭାବେ ଭାଙ୍ଗିବା କାକତାଳୀୟ ନ୍ୟାୟ ହୋଇନପାରେ । ସେହିଭଳି ନିୟମ ମୁତାବକ ରୋଷଘର ପ୍ରବେଶ ପଥ ମୁଖ୍ୟ ଦ୍ୱାରରେ ଜେଟିପି ଡୁ୍ୟଟି ଦେଉନଥିଲେ । ଅଭିଯୁକ୍ତ ୨୫ଟି ଭାତ ଚୁଲି, ୮ଟି ପିଠା ଚୁଲି ଓ ବାକି ଅହିଆ ଭାଙ୍ଗିଦେଇଛି । ପୂର୍ବେ ଅନ୍ତଦ୍ୱର୍ନ୍ଦ୍ୱ ବେଳେ ଗୋଟିଏ ଗୋÂୀର ଚୁଲି ଭଙ୍ଗାଯାଉଥିଲା । କିନ୍ତୁ ଏବେ କାଳେ ଜଣାପଡ଼ିଯିବ ସେଥିପାଇଁ ଚୁଲିଗୁଡ଼ିକୁ ମନଇଛା ଭଙ୍ଗାଯାଇଛି । ଏହାଦ୍ୱାରା କେଉଁ ଗୋÂୀର ବିପକ୍ଷ ଭାଙ୍ଗିଛନ୍ତି ଜଣାପଡ଼ିବ ନାହିଁ । ଏଭଳି କାମକୁ ଜଣେ ନେଇ, ଆଣି ଥୋଇପାରିବା ଏତେ ସହଜ ନୁହେଁ । ଏଥିରେ ଏକାଧିକଙ୍କ ସଂପୃକ୍ତି ସନେ୍ଦହ କରିଛନ୍ତି ବରିÂ ସେବାୟତମାନେ ।
ସେପଟେ ଶନିବାର ଶ୍ରୀମନ୍ଦିରରେ ହଜିଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ଜଗନଙ୍କ ଭାଇ । ଜଗନର ଫଟୋ ଦେଖି ପୁଲିସ ଅନୁସନ୍ଧାନ କରୁଥିବାବେଳେ ସିସିଟିଭି ଫୁଟେଜରୁ ପୁଲିସ ସନେ୍ଦହ ବଢିଥିଲା । ଫୁଟେଜରେ ଥିବା ଯୁବକ ଓ ଜଗନର ଫଟୋ ସମାନ ଥିବାରୁ ତା’ ଠିକଣାରେ ଯାଇ ପୁଲିସ ତା’ ଘରେ ପହଞ୍ଚିଥିଲା । ଜଗନ ସେହି ସମୟରେ ଠାକୁର ପୂଜା କରୁଥିଲା । ଯାଞ୍ଚ କରି ଛାଡ଼ିଦେବୁ ବୋଲି କହି ପୁଲିସ ତାଙ୍କ ଘରୁ ଜଗନଙ୍କୁ ଆଣିଥିବା ତା’ ପରିବାର ଲୋକେ କହିଛନ୍ତି । ହେଲେ ଜେରାବେଳେ ଜଗନ ସମସ୍ତ ଘଟଣା ସ୍ୱୀକାର କରିଥିଲା । ତେଣୁ ଏନେଇ ରୁଜୁ ହୋଇଥିବା ମାମଲାରେ ପୁଲିସ ତାକୁ ଗିରଫ କରିଥିବା ଏସ୍ପି କେ.ବିଶାଲ୍ ସିଂହ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons