ଲକର ତାଡ଼ି ୨୦ଲକ୍ଷର ଅଳଙ୍କାର ଚୋରି

Get real time updates directly on you device, subscribe now.

କୋଣାର୍କ, (ବି.ବି.ଆପ୍ର): କୋଣାର୍କ ମାର୍କେଟ କମ୍ଲେକ୍ସରେ ଥିବା ଏକ ଗହଣା ଦୋକାନ ମହାଲକ୍ଷ୍ମୀ ଜୁଏଲାରୀରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ଲକର ତାଡ଼ି ୨୫ କିଲୋ ରୁପା ଓ ୫୦ ଗ୍ରାମ୍ ସୁନା ଅଳଙ୍କାର ଚୋରି କରିନେଇଛନ୍ତି । ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ଜୁଏଲାରୀ ମାଲିକ ଲକ୍ଷ୍ମୀଧର ସାହୁ କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତି । ପରେ ୧୦୧/୨୨ରେ ଏକ ମାମଲା ରୁଜୁ କରାଯାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । କୋଣାର୍କ ଅଞ୍ଚଳରେ ଜୁଏଲାରୀ ଦୋକାନରୁ ଏତେ ବଡ଼ ଧରଣର ଚୋରି ଘଟଣା ପ୍ରଥମ ବୋଲି ଜଣାପଡ଼ିଛି ।
ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଦୋକାନର ପଛ ପଟେ ପଶିଥିଲେ । ପାଖରେ ପଡ଼ିଥିବା ବାଉଁଶରେ ସିଡି ତିଆରି କରିଥିଲେ । ସିଡି ସାହାଯ୍ୟରେ ଛାତ ଉପରକୁ ଯାଇ ସିଡି ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଗ୍ୟାସ କଟର ସାହାଯ୍ୟରେ ଲକର ତାଡ଼ି ଭିତରେ ଥିବା ୨୫କେଜି ରୁପା ଓ ୫୦ଗ୍ରାମ ସୁନା ନେଇଯିବାରେ ସକ୍ଷମ ହୋଇଥିଲେ । ତେବେ ଚୋରି କରିବା ପରେ ଦୋକାନ ଭିତରେ ଗ୍ୟାସ ସିଲିଣ୍ଡର, କଟର ମେସିନ ଆଦି ହତିଆର ଛାଡ଼ି ଦେଇଥିଲେ । ସକାଳୁ ମାଲିକ ଶ୍ରୀ ସାହୁ ମୋବାଇଲରେ ଦୋକାନରେ ଲାଗିଥିବା ସିସି କ୍ୟାମେରାର ଭିଡିଓ ଫୁଟେଜ ଦେଖିବାରୁ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ସଙ୍ଗେସଙ୍ଗେ କୋଣାର୍କ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଏସ୍ଆଇ ଦୀପକ ସାମନ୍ତରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆଖପାଖ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଫୁଟେଜରେ ୪ଜଣ ଦୁର୍ବୃତ୍ତଙ୍କ ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି । ହେଲେ ସେମାନଙ୍କର କୌଣସି ପତ୍ତା ମିଳିପାରିନାହିଁ । ସବୁ ସିସି କ୍ୟାମେରା ଯାଞ୍ଚ ହୋଇଛି । ଖୁବଶୀଘ୍ର ଦୁର୍ବୃତ୍ତଙ୍କ ପତ୍ତା ମିଳିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons