ଲକ୍ଷ୍ମୀପୁର ଖେରି ହିଂସା:ପୁଲିସ ରିମାଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

Get real time updates directly on you device, subscribe now.

ଲକ୍ଷ୍ମୀପୁର ଖେରି: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ଆନେ୍ଦାଳନ ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ୩ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି । ସୋମବାର ଭିଡିଓ କନଫରେନ୍ସି ଜରିଆରେ ଆଶିଷ ଲକ୍ଷ୍ମୀପୁର ଖେରିର ସିଜେଏମ୍ କୋର୍ଟରେ ହାଜର ହୋଇଥିଲେ । ଘଟଣା ସମ୍ପର୍କରେ ଅଧିକ ଜେରା କରିବା ପାଇଁ ଆଶିଷଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍ଆଇଟି ଟିମ୍ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ମାତ୍ର ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।
ଘଟଣା ଦିନ ବ୍ୟବହୃତ ହୋଇଥିବା ଗୋଟିଏ ରାଇଫଲ ଏବଂ ଗୋଟିଏ ପିସ୍ତଲ ପୁଲିସ ଜବତ କରିଛି । ଉଭୟର ଲାଇସେନ୍ସ ଆଶିଷଙ୍କ ନାଁରେ ରହିଛି । ରାଇଫଲ ଏବଂ ପିସ୍ତଲକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଆଶିଷ ବ୍ୟବହାର କରୁଥିବା ମୋବାଇଲ ମଧ୍ୟ ପୁଲିସ ଜବତ କରିଛି । ତାଙ୍କ ମୋବାଇଲ ଲୋକେସନକୁ ଟ୍ରାପ୍ କରାଯାଉଛି । ଆଶିଷଙ୍କ ଗାଡ଼ି ଆନେ୍ଦାଳନରତ ଚାଷୀଙ୍କ ଉପରେ ଚଢ଼ିବା ସମୟର କେତେକ ଭିଡିଓ ମଧ୍ୟ ପୁଲିସ ହାତରେ ଲାଗିଛି । ଗୋଟିଏ ଭିଡିଓରେ ସେ ଗାଡ଼ି ମଧ୍ୟରେ ବସିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ପୁଲିସ ପାଇଁ ସବୁଠାରୁ ବଡ଼ ପ୍ରମାଣ ଭାବେ ଉଭା ହୋଇଛି । ଗତ ଶନିବାର ବିଳମ୍ବିତ ରାତ୍ରିରେ ୧୨ ଘଣ୍ଟାର ଜେରା ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା, ଅପରାଧ ଷଡ଼ଯନ୍ତ୍ର, ଅବହେଳା ଜନିତ ଦୁର୍ଘଟଣା ଭଳି ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି ।
ଘଟଣାକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ୪୦ଟି ଚାଷୀ ସଂଗଠନ ରେଳରୋକୋ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁର ଖେରି ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପାଇଁ ୨୦ ଜଣ ଆଇପିଏସ୍ ଅଫିସରଙ୍କୁ ମୁତୟନ କରାଯାଇଛି । ଏହି ଆଇପିଏସ୍ ଅଫିସରମାନେ ସମ୍ପୃକ୍ତ ଜିଲ୍ଲାର ସୁରକ୍ଷା ଦାୟିତ୍ୱରେ ରହିବେ । ଏଥିସହିତ ରାଜ୍ୟବ୍ୟାପୀ ସମସ୍ତ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଆଇପିଏସ୍ ଅଫିସରମାନେ ଚାଷୀମାନଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି ।
ସୂଚନାଥାଉକି, ଗତ ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ଜିଲ୍ଲା ଟିକୁନିଆରେରେ କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ଚାଷୀମାନେ ଆନେ୍ଦାଳନ କରୁଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୪ ଜଣ ଚାଷୀଙ୍କର ମୃତୁ୍ୟ ଘଟିଥିଲା । ପରେ ସେଠାରେ ଉପସ୍ଥିତ ଚାଷୀ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାକାଣ୍ଡରେ ସମୁଦାୟ ୮ ଜଣଙ୍କର ମୃତୁ୍ୟ ହୋଇଛି । ସେମାନଙ୍କ ମଧ୍ୟରେ ୪ ଜଣ ଚାଷୀ ହୋଇଥିବା ବେଳେ ଅନ୍ୟ ୩ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons