ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଗୁରୁତର

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଇସାଡିଙ୍ଗିଆ ପଞ୍ଚାୟତ ବାନ୍ଦାକାନା ଗ୍ରାମର ଇନ୍ଦ୍ରଜିତ କହଁର(୩୦) । ଇନ୍ଦ୍ର ଆଜି ମଧ୍ୟାହ୍ନରେ ସାଙ୍ଗ ବିଶେକ କହଁରଙ୍କ ସହିତ ଏକ ବାଇକ୍ରେ ଗାଁରୁ ସାଡିଙ୍ଗିଆ ବଜାର ଆଡ଼କୁ ଯାଉଥିଲେ । ଗ୍ରାମଠାରୁ କିଛି ଦୂରରେ ରାସ୍ତା ଖରାପ ଥିବାରୁ ଇନ୍ଦ୍ରଜିତ ବାଇକ୍ରୁ ଓହ୍ଲାଇ ଚାଲି ଚାଲି ରାସ୍ତା ପାର ହେଉଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଇନ୍ଦ୍ରଜିତ ଗୁରୁତର ଆହତ ହୋଇଥିଲେ । ଆହତ ଇନ୍ଦ୍ରଜିତଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ଏକ ଅଟୋ ରିrା ଯୋଗେ ଡିମିରିଗୁଡା ଛକକୁ ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳକୁ ସିଆରପିଏଫ ସହିତ ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ମାସ ୮ ତାରିଖରେ କିଆମୁଣ୍ଡାଠାରେ ମାଓବାଦୀ ମାନେ ଜଣେ ଠିକାଦାରଙ୍କ ଜେସିବି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଦେଇଥିଲେ । ପରଦିନ ସେହି ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣାର ପ୍ରାୟ ଦେଢ ମାସ ପରେ ଆଜି ପୁଣି ସେହି ସ୍ଥାନରେ ଏଭଳି ଘଟଣା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି । ସନ୍ଧ୍ୟାରେ ଜିଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ, ଅତିରକ୍ତ ଏସ୍ପି ବିପିନ ବିହାରୀ ବେହେରା, ସଦର ଏସ୍ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଇନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଛନ୍ତି । ଆହତ ଇନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଇନ୍ଦ୍ରଙ୍କ ବାପା ଚକ୍ରଧର ଓ ମାଆ ସନିକି କହଁର ଏକ ବର୍ଷ ତଳେ ଗାଁରେ ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ସଂଗଠିତ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଇନ୍ଦ୍ର ମାତ୍ର ବର୍ଷେ ତଳେ ବିବାହ କରିଥିବା ଜଣାପଡିଛି । କିଆମୁଣ୍ଡା ଓ ଆଖପାଖ ଅଞ୍ଚଳରେ ଏବେ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons