ଶାଶୂଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ!

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ): ସାନପୁଅ, ବୋହୂ ଓ ନାତିନାତୁଣୀଙ୍କ ସହ ବୃଦ୍ଧା ପରିବାଳା ରହୁଥିଲେ । ତେବେ ଏହାକୁ ସାନବୋହୂ ପସନ୍ଦ କରୁନଥିଲେ । ଶାଶୂ ତାଙ୍କ ବଡ଼ପୁଅଙ୍କ ନିକଟରେ ନ ରହି ତାଙ୍କ ପାଖରେ ରହୁଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ନିଜ ଅସନ୍ତୋଷ ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ ହେଁ କୌଣସି ଫଳ ନ ମିଳିବାରୁ ଶାଶୂଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ବୋହୂ ଯୋଜନା କରିଥିଲେ । ଶାଶୂଙ୍କ ଅଜାଣତରେ ତାଙ୍କ ଔଷଧ ବୋତଲରେ ବିଷ ମିଶାଇ ମାରି ଦେବାକୁ ଉଦ୍ୟମ କରିଥିଲେ ବୋହୂ । ଏ କଥା ଜଣାପଡ଼ିବା ପରେ ସ୍ୱାମୀ ଆକଟ କରିବାରୁ ଅଭିଯୁକ୍ତ ବୋହୂ ନିଜ ସ୍ୱାମୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଦୋଳସାହି ଗ୍ରାମରେ ଘଟିଛି । ଘଟଣା ସମ୍ପର୍କରେ ମହିଳାଙ୍କ ଦେଡ଼ଶୁର ତାଳଚୁଆ ଥାନାରେ ଏତଲା ଦେଇଥିବା ବେଳେ ପୁଲିସରେ ଅଭିଯୋଗ ହେବା ଖବର ପାଇ ଅଭିଯୁକ୍ତ ମହିଳା ଫେରାର ହୋଇ ଯାଇଛନ୍ତି ।
ଦୋଳସାହି ଗାଁର ଶୁଭେନ୍ଦୁ ବାରିକ ଥାନାରେ ଦେଇଥିବା ଏତଲାରୁ ପ୍ରକାଶ, ତାଙ୍କ ସାନଭାଇ ଦିପେନ୍ଦୁ (୩୫), ତାଙ୍କ ପତ୍ନୀ ମିତାରାଣୀ ଏବଂ ୬୨ ବର୍ଷୀୟା ବୃଦ୍ଧା ମା’ ପରିବାଳା ତାଙ୍କଠାରୁ ଅଲଗା ହୋଇ ରହୁଥିଲେ । ଗତ ୨୮ ତାରିଖ ଦିନ ମିତାରାଣୀ ଶାଶୂ ପରିବାଳାଙ୍କ ଅଗୋଚରରେ ତାଙ୍କର ଦୁଇଟି ଔଷଧ ବୋତଲରେ ବିଷ ମିଶାଇ ଦେଇଥିଲେ । ଔଷଧ ଖାଇବା ପରେ ପରିବାଳା ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ରାଜନଗର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୨୯ ତାରିଖ ରାତି ପ୍ରାୟ ୩ଟା ବେଳେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମା’ ଘରକୁ ଫେରିବା ପରେ ଦିପେନ୍ଦୁ ତାଙ୍କ ପତ୍ନୀ ମିତାରାଣୀଙ୍କୁ ବିଷ ମିଶାଇବା ଘଟଣା ସମ୍ପର୍କରେ ପଚାରି ତାଙ୍କୁ ଆକଟ କରିଥିଲେ । ଏହାକୁ ନେଇ ଦୁହିଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ଦିପେନ୍ଦୁ ନିଦରେ ଶୋଇ ପଡ଼ିବା ପରେ ମିତାରାଣୀ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଥିଲେ । ଜୀବନ ବିକଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦିପେନ୍ଦୁ ଦୌଡ଼ି ପଳାଇ ଏକ ପୋଖରୀ ମଧ୍ୟରେ ପଶି ଯାଇଥିଲେ । ମିତାରାଣୀ ପୋଖରୀ ଭିତରେ ପଶି ଦିପେନ୍ଦୁଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ମିତାରାଣୀ ସେଠାରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons