ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା:ସନ୍ଦିଗ୍ଧ ବ୍ୟକ୍ତି ଅଟକ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି । ଖୋର୍ଦ୍ଧା ଅଞ୍ଚଳରୁ ତାକୁ ଠାବ କରାଯାଇଥିବା ପୁଲିସ କହିଛି । ଚିହ୍ନଟ ଅଭିଯୁକ୍ତକୁ ଶନିବାର ରାତିରେ ସିଂହଦ୍ୱାର ଦେଇ ବାହାରକୁ ଛାଡ଼ି ଦିଆଯାଇଥିଲା । ଚୁଲି ଭଙ୍ଗା ଘଟଣା ରବିବାର ବିବାଦୀୟ ମୋଡ଼ ନେବା ପରେ ପ୍ରଶାସନର ଚେତା ପଶିଲା । ସିସିଟିଭି କ୍ୟାମେରାରୁ ଚିହ୍ନଟ ଏହି ଲୋକକୁ ଖୋଜା ଚାଲିଥିଲା । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କେ ବିଶାଳ ସିଂହ ଶ୍ରୀମନ୍ଦିର ପରିଦର୍ଶନ କରିିଥିଲେ । ସିସିଟିଭି କ୍ୟାମେରାରେ ଚିହ୍ନଟ ଅଭିଯୁକ୍ତଙ୍କ ସମ୍ପର୍କରେ ଅତିରିକ୍ତ ତଥ୍ୟ ସଂଗ୍ରହ କରିିଥିଲେ ।
ଶନିବାର ଶୋଧ ବେଳେ ଠାବ ହୋଇଥିବା ଏହି ଲୋକଙ୍କୁ ଶ୍ରୀମନ୍ଦିର ସରସ୍ୱତୀ ମନ୍ଦିର ସାମ୍ନାରୁ ଜେଟିପି ଠାବ କରିଥିଲା । ତାକୁ ଧରି ନେଇ ତିନି ଜଣ ଜେଟିପି ବାଇଶି ପାହାଚ ଦେଇ ସିଂହଦ୍ୱାର ପଟେ ଛାଡିଥିଲେ । ଏହି ୩ ଜଣ ଜେଟିପିଙ୍କ ଠାରୁ ଚିହ୍ନଟ ବ୍ୟକ୍ତି କେମିତି ଦେଖାଯାଆନ୍ତି, ସେବକ କି ନୁହେଁ ତାହା ନେଇ ରବିବାର ଦିନ ତଥ୍ୟ ନେଇଥିଲା ତଦନ୍ତକାରୀ ପୁଲିସ । ରାତି ୯ଟା ୧୯ ମିନିଟରେ ଚିହ୍ନଟ ଅଭିଯୁକ୍ତକୁ ପୁଲିସ ଧରିଥିବାର ସୂଚନା ଦେଇଛି । ଏବେ ତଦନ୍ତ ପ୍ରକିୟା ତ୍ୱରାନ୍ୱିତ ହେବାର ଆଶା କରାଯାଉଛି ।
ସୋମବାର ଦିନ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଲି ଭଙ୍ଗା ଘଟଣାର ଏତାଲା ହୋଇଥିଲା । ପୁ୍ଲିସ ଆଇପିସିର ୪୨୭, ୨୯୫, ୨୯୫(କ), ଶ୍ରୀମନ୍ଦିର ପ୍ରଶାସନ ଆଇନ୍ ସେକ୍ସନ ୩୦(କ) ୪(ବି)ରେ ୨୩/୨୨ ନଂ ମାମଲା ରୁଜୁ କରିଛି ।
ସୂଚନା ମୁତାବକ ଚିହ୍ନଟ ଅଜଣା ବ୍ୟକ୍ତିକୁ ଜେଟିପି ବାହାରେ ଛାଡିବା ବେଳେ ରୋଷଘରେ ଚୁଲି ଭାଙ୍ଗିଥିବାର ସୂଚନା ଗାରଦରେ ନଥିଲା । ରାତି ପାଖାପାଖି ଗୋଟାଏ ୫୦ ମିନିଟରେ ଧୋ’ ପଖାଳ ସେବକ ଗାରଦରେ ସୂଚନା ଦେଇଥିଲେ ରୋଷଘର ଭିତରେ ଚୁଲି ଭାଙ୍ଗିଛି । ଏହି ଘଟଣାକୁ କେହି ଗୁରୁତ୍ୱ ଦେଇ ନଥିଲେ । କାରଣ ଏହା ପୂର୍ବରୁ ଏମିତି କିଛି ବ୍ୟକ୍ତିଗତ ବିବାଦ କାରଣରୁ ଅନେକ ଚୁଲା ଭାଙ୍ଗୁଥିଲା । ବିଶେଷ କରି କୋଠ ଭୋଗ ଚୁଲି ଭାଙ୍ଗିଥିବା ସମ୍ପର୍କରେ ଧୋ’ ପଖାଳ ସେବକ ଗାରଦରେ ସୂଚନା ଦେଇଥିଲେ । ଭଙ୍ଗାଯାଇଥିବା ଚୁଲି ସଂଖ୍ୟା ସେତେବେଳେ କେହି ଜାଣିପାରି ନଥିଲେ ।
ରୋଷଘର ହେଉଛି ଏକ ନିଷିଦ୍ଧାଞ୍ଚଳ । କେବଳ ସୁଆର ମହାସୁଆର ସେବକ, ଧୋ’ପଖାଳ ସେବକ, ରୋଷ ପାଇକ, ରୋଷ ଅମିନ୍ ଭଳି କିଛି ନିର୍ଦ୍ଧିଷ୍ଟ ବର୍ଗଙ୍କୁ କେବଳ ଶ୍ରୀମନ୍ଦିର ରୋଷଘର ପ୍ରବେଶ ଅନୁମତି ରହିଛି । ରୋଷଘରେ ୪୩ ଚୁଲା ଭାଙ୍ଗିଥିବା ଖବର ଜଣାପଡିବା ପରେ ସମଗ୍ର ପ୍ରଶାସନ ଚେଇଁ ଉଠିଥିଲା । ତନାଘନା ବି ଚାଲିଲା, ଏହି ତନାଘନା ମଙ୍ଗଳବାର ରାତି ପର୍ଯ୍ୟନ୍ତ ଜାରି ରହିଛି ।
ରୋଷଘର ଚୁଲା ଭଙ୍ଗା ଘଟଣାରେ କେବଳ ଜଣେ ସମ୍ପୃକ୍ତ ଥିବା ସୂଚନାକୁ ଶ୍ରୀମନ୍ଦିର ସେବକ ତଥା ବାହାର ଲୋକମାନେ ସହଜେ ବିଶ୍ୱାସ କରୁ ନାହାନ୍ତି । କାରଣ ଜଣେ ଲୋକ ରାତି ଦଶଟା ୫୦ ମିନିଟରୁ ରାତି ଗୋଟାଏ ୫୦ ମିନିଟ ମଧ୍ୟରେ ୪୩ ଚୁଲି କେମିତି ଭାଙ୍ଗିଲା ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି । ନିୟମ ରହିଛି ବଡ଼ସିଂହାର ଭୋଗ ରୋଷ ସରିବା ପରେ ରୋଷଘର ପ୍ରବେଶ ଦ୍ୱାରରେ ତାଲା ପଡିବା କଥା । ରାତି ୧୦ଟା ୫୦ ମିନିଟରେ ବଡସିଂହାର ଭୋଗ ବଢ଼ିଥିଲା । ରାତି ୧୧ଟା ୨୦ ମିନିଟରେ ମହାପ୍ରଭୁଙ୍କ ରାତି ପହୁଡ ନୀତି ସମ୍ପନ୍ନ ହୋଇଥିଲା । ଚୁଲି ଭଙ୍ଗା ଦିନ ଶନିବାର ରାତିରେ ରୋଷଘର ମୁଖ୍ୟ ଦ୍ୱାରରେ ତାଲା ପଡ଼ିନଥିଲା । ସେହିଭଳି ନିୟମ ମୁତାବକ ରୋଷଘର ପ୍ରବେଶ ପଥ ମୁଖ୍ୟ ଦ୍ୱାରରେ ଜେଟିପି ଡୁ୍ୟଟି ଦେଉନଥିଲେ ।
ଆହୁରି ଉଲ୍ଲେଖନୀୟ ରୋଷଘର ଚାରି ପାଖରେ ଲାଗିଥିବା ୬ଟି ସିସିଟିଭି କ୍ୟାମେରା ଅଚଳ ହୋଇ ପଡିଛି । ଏଥିପ୍ରତି କାହାର ନିଘା ନଥିଲା । ଚୁଲି ଭଙ୍ଗା ପରେ ଏବେ ତନାଘନା ଚାଲିଛି । ବଡ଼ଦେଉଳ ସାରା ଲାଗିଥିବା ୨୬ରୁ ଅଧିକ କ୍ୟାମେରାକୁ ଯାଞ୍ଚ କରାଯାଉଛି । ମୁଖ୍ୟତଃ ଜଗମୋହନ, ନାଟମଣ୍ଡପ, ଭିତର ବେଢ଼ା, ସିଂହଦ୍ୱାର ଭଳି କିଛି ସ୍ଥାନରେ ଲାଗିିଥିବା ୧୪ଟି ସିସିଟିଭି କ୍ୟାମ ବ୍ୟତୀତ ଅନ୍ୟ କ୍ୟାମେରାଗୁଡିକ କାମ କରୁ ନଥିବାର ସୂଚନା ମିଳିଛି । ଏହି ସବୁକୁ ବଦଳାଇ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଇବାକୁ ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଛନ୍ତି ।
ସୁରକ୍ଷା ହୁଗୁଳା ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ପଦାକୁ ଆସିଛି । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ୧୭୫ ଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ରହିବାର ନିର୍ଦ୍ଧାରିତ ରହିଛି । ଆଜିର ତାରିଖରେ ଶ୍ରୀମନ୍ଦିର ଭିତରେ ମାତ୍ର ୯୮ ଜେଟିପି ନିୟୋଜିତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣ ଚର୍ଚ୍ଚା ସେବାରେ (ଅଣସୁରକ୍ଷା କାର୍ଯ୍ୟ) ନିୟୋଜିତ ଅଛନ୍ତି । ତା ବ୍ୟତିତ ସକାଳ ଓ ସନ୍ଧ୍ୟାରେ ଶ୍ରୀମନ୍ଦିର ଶୋଧରେ ଚାରି ଜଣ ଜେଟିପି ପ୍ରତିଦିନ ରହୁଛନ୍ତି । ୮୦ରୁ କମ୍ ଜେଟିପି ଶ୍ରୀମନ୍ଦିର ଭିତରେ ରାତି୍ର ଓ ଦିବାକାଳୀନ ଆଠ ଘଣ୍ଟିଆ ସିଫ୍ଟରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।
ସେହିଭଳି ଜେଟିପିଙ୍କୁ ସଞ୍ଚାଳନ କରିବାକୁ ନିୟୋଜିତ ୧୬ ଅଫିସର ପଦବି ମଧ୍ୟ ଖାଲି ପଡିଛି । ସୁରକ୍ଷା କର୍ମଚାରୀ ଅଭାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେହି ଗୁରୁତ୍ୱ ଦେଇ ନାହାନ୍ତି । ଦେଉଳ ସୁରକ୍ଷାକୁ ଏହି କାରଣରୁ ଅବହେଳା କରାଯାଉଥିବାର ତଥ୍ୟ ପଦାକୁ ଆସିଛି ।
ଶ୍ରୀମନ୍ଦିର ସୁରକ୍ଷାରେ ୫ ପ୍ଲାଟୁନ ପୁଲିସ ଓ ୫ ଜଣ ଅଫିସର ନିୟମିତ ରହୁଛନ୍ତି । ଏମାନେ ୮ଘଣ୍ଟିଆ ସିଫ୍ଟରେ ଡୁ୍ୟଟି କରୁଛନ୍ତି । ଆଜି ଠାରୁ ଶ୍ରୀମନ୍ଦିର ସୁରକ୍ଷାରେ ଛଅ ପ୍ଲାଟୁନ୍ ପୁଲିସ ନିୟୋଜିତ ହେଉଥିବାର ଖବର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons