ସଂଘମିତ୍ରା ବ୍ରହ୍ମପୁର ମେୟର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମ ଦଖଲକୁ ନେଇଛି ବିଜୁ ଜନତା ଦଳ । ବିଜେଡି ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ୨୦୨୮୬ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ଡ.ସବିତା ସୁଆରଙ୍କୁ ପରାଜିତ କରିଛନ୍ତି । ବିଏମ୍ସି ମେୟର ପଦରେ ୭ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ଓ ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କ ମଧ୍ୟରେ ଟକ୍କର ହୋଇଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ମାତ୍ର ୨୧୯୬ ଭୋଟରେ ଆଗୁଆ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ୭୫୨୦ ଭୋଟରେ ବିଜେଡି ଆଗୁଆ ହୋଇଥିଲା । ପରବର୍ତ୍ତୀ କିଛି ରାଉଣ୍ଡରେ ବିଜେପି ମଧ୍ୟ ଆଗୁଆ ରହିଥିଲା । ବିଏମ୍ସି ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ୧, ୩୩, ୭୩୯ଜଣ ମତଦାନ କରିଥିଲେ । ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ସର୍ବାଧିକ ୬୬, ୦୬୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୪୫, ୭୮୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଆମ୍ ଆଦ୍ମି ପାର୍ଟି ପ୍ରାର୍ଥିନୀ ସି.ପ୍ରିୟଙ୍କା ୭, ୪୫୩ ଭୋଟ ପାଇଛନ୍ତି ଏବଂ କଂଗ୍ରେସ ପ୍ରାର୍ଥିନୀ ମଞ୍ଜୁ ରଥ ୬, ୭୬୮ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ସ୍ୱାଧୀନ ପ୍ରାର୍ଥିନୀ ନୀତା କୁମାରୀ ପଣ୍ଡା ୪୦୩୮ ଭୋଟ ପାଇଥିବା ବେଳେ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥିନୀ ସୁନିତା ପାଣିଗ୍ରାହୀ ୯୧୯ ଓ ବିଏସ୍ପି ପ୍ରାର୍ଥିନୀ ୯୧୮ ଖଣ୍ଡ ଭୋଟ ପାଇଛନ୍ତି । ୧୭୯୩ ଜଣ ନୋଟାରେ ଭୋଟ୍ ଦେଇଛନ୍ତି ।
ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରି ବିଜୟ ସମ୍ଭବନାକୁ ଉଜ୍ୱଳ କରିଥିଲା । ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ମେୟର ନିର୍ବାଚନ ହୋଇଛି । ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସଂଘମିତ୍ରା ଦଳାଇ ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଥିଲେ । ସେ ପୂର୍ବରୁ ତିନି ଥର ବିଏମ୍ସିକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ୨୦୦୩ରେ କଂଗ୍ରେସ କାଉନସିଲର ଭାବେ ନିର୍ବାଚିତ ହେବା ପରେ ୨୦୦୮ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି କାଉନସିଲର ନିର୍ବାଚିତ ହୋଇଥିଲେ । ପୁଣି ୨୦୧୩ରେ ବିଜେଡି ଟିକେଟ୍ରେ କର୍ପୋରେଟର ହୋଇଥିଲେ । ୨୦୧୧ରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ପରେ ଦୁଇ ଥର ବିଜୁ ମହିଳା ଜନତା ଦଳ ସଭାପତି ଦାୟିତ୍ୱ ତୁଲାଇଛନ୍ତି । ପୂର୍ବରୁ ସେ ଜିଲ୍ଲା ମହିଳା କଂଗ୍ରେସର ମଧ୍ୟ ସଭାନେତ୍ରୀ ଥିଲେ । ଚଳିତ ପୌର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବି ପ୍ରତ୍ୟକ୍ଷ ନିର୍ବାଚନ ଦୃଷ୍ଟିରୁ ବ୍ରହ୍ମପୁର ମହାନଗର ନିଗମ ଉପରେ ସମସ୍ତଙ୍କ ନଜର ରହିଥିଲା । ବିଜେଡିରେ ମେୟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ଲମ୍ବା ଥିଲା । ତେବେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ସଂଘମିତ୍ରା ଦଳେଇ ବାଜି ମାରିଛନ୍ତି ।
ବିଜୟ ହାସଲ ପରେ ସଂଘମିତ୍ରା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ଆଶା ନେଇ ତାଙ୍କୁ ପ୍ରାର୍ଥୀ କରିଥିଲେ ତାହା ପୂରଣ କରିବା ତାଙ୍କର ଲକ୍ଷ୍ୟ । ସହରରେ ଡ୍ରେନ୍, ରାସ୍ତା, ଆଲୁଅ ଓ ପାଣି ପ୍ରାଥମିକତା ରହିଛି । ବ୍ରହ୍ମପୁର ସହରର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି ।
ବିଏମ୍ସିର ୪୨ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡ ବିଜେପି, ସ୍ୱାଧୀନ ଓ କଂଗ୍ରେସ ହାତକୁ ଯାଇଛି । ୨୦୧୩ ପୌର ନିର୍ବାଚନରେ ବିଜେଡି ୨୪ଟି ୱାର୍ଡ ହୋଇଥିଲା ଏବଂ କଂଗ୍ରେସ ୧୪ଟି ୱାର୍ଡ ନେଇଥିବା ବେଳେ ସ୍ୱାଧୀନ ଓ ବିଜେପି ହାତରେ ୨ଟି ୱାର୍ଡ ଥିଲା । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ୩ଟି ୱାର୍ଡରେ ଯଥା ୧୫ ନମ୍ବରରେ ଆର୍.ପାବନୀ, ୩୨ ନଂରେ ସୁରେନ୍ଦ୍ର ମହାରଣା ଓ ୩୫ନଂ ୱାର୍ଡରେ ସମୀର କୁମାର ମିଶ୍ର ଅପ୍ରତିଦ୍ୱନ୍ଦ୍ୱୀ ରହିଥିଲେ । ମୋଟ ୩୦ଟି ୱାର୍ଡ ବିଜେଡି ହାତରେ ରହିଥିବା ବେଳେ ୩, ୨୦, ୨୧, ୨୨, ୨୭, ୩୭ ଓ ୩୯ ନମ୍ବର ୱାର୍ଡ ବିଜେପି ହାତକୁ ଯାଇଛି । କଂଗ୍ରେସ ପ୍ରାର୍ଥୀ ୧୬ ନଂ ୱାର୍ଡରେ ବିଜୟୀ ହୋଇଥିବା ବେଳେ ୪ନଂ, ୨୪, ୨୫ ଓ ୨୬ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons