ସମିତି ସଭ୍ୟାଙ୍କ ସ୍ୱାମୀକୁ ଗୁଳିକରି ହତ୍ୟା ଘଟଣା :ପତିଆରା ନା ପୂର୍ବ ଶତ୍ରୁତା

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ବିଜେଡି ନେତା ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା ମାମଲାକୁ ୨୪ଘଣ୍ଟା ବିତିଛି । ହେଲେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ହତ୍ୟାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ହତ୍ୟାକାଣ୍ଡ ପଛରେ ଉଭୟ ରାଜନୈତିକ ପତିଆରା ଏବଂ ପୂର୍ବଶତ୍ରୁତା ରହିଥିବା ମୃତ ଲୋକନାଥଙ୍କ ସ୍ତ୍ରୀ ତଥା ସମିତିସଭ୍ୟା ଅଭିଯୋଗ କରିଛନ୍ତି । ଏପରିକି ପୂର୍ବରୁ ମାଓବାଦୀଙ୍କ ଠାରୁ ଧମକ ମିଳିଥିବା ମଧ୍ୟ ସେ କହିଛନ୍ତି । ଏହାବାଦ୍ ଲୋକନାଥଙ୍କ ପରିବାର ମହୁଲ ବେପାର ସହ ସଂଶ୍ଲିଷ୍ଟ ଥିବାରୁ ପଦ୍ମପୁରରେ ସଂଘଟିତ ଏକ ବିବାଦ ମଧ୍ୟ ପ୍ରମୁଖ କାରଣ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅପରପକ୍ଷେ, ପୁଲିସ ଗତକାଲି ପ୍ରଥମେ ୩ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଜି ଗାଁର ବସୁ ପଧାନ, ନିଅନ୍ତ ବିଶ୍ୱାଳ, ଗିରିଧାରୀ ସାଙ୍କୁ ଉଠାଇନେଇ ଏକ ଗୁପ୍ତସ୍ଥାନରେ ରଖିଛି । ପୁଲିସ ସମୁଦାୟ ୬ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ଜଣାପଡିଛି । ବେଲପଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ଗାଁରେ ଲୋକନାଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏସପି ନୀତିନ କୁଶଲକର ଆଜି ଦିନତମାମ ହତ୍ୟାକାଣ୍ଡ ସହ ସଂଶ୍ଲିଷ୍ଟ ବିଭିନ୍ନ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି ।
ସୂଚନାଅନୁସାରେ, ଆଜି ପୂର୍ବାହ୍ନ ସାଢେ଼ ୧୧ଟାରେ ବେଲପଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକନାଥଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ବ୍ଲକ ବିଜେଡି କାର୍ଯ୍ୟାଳୟକୁ ନିଆଯାଇ ଦଳୀୟ ପତାକା ଘୋଡାଇ ସମ୍ମାନ ଦିଆଯାଇଥିଲା । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧିଜୀବୀମାନେ ଆସି ଲୋକନାଥଙ୍କ ଶେଷ ଦର୍ଶନ କରିଥିଲେ । ଦଳୀୟ କାର୍ଯ୍ୟାଳୟଠାରେ କିଛି ସମୟ ରଖିବା ପରେ ମୃତଦେହକୁ ଅପରାହ୍ନ ଦେଢ଼ଟା ବେଳେ ବନମାଳସ୍ଥିତ ନିଜ ଘରକୁ ଏବଂ ପରେ ଜମିକୁ ନେଇ ଦାହସକ୍ରାର କରାଯାଇଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମୃତକଙ୍କ ପତ୍ନୀ ଶ୍ରୀମତୀ ବିଶ୍ୱାଳଙ୍କୁ ପଚାରିବାରୁ ସେ ଉଭୟ ରାଜନୈତିକ ପତିଆରା ଏବଂ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା କହିଥିଲେ । ବିଶେଷ କରି ଗାଁର ବସୁଦେବ ପଧାନ, ଗିରିଧାରୀ ସା(ବଡ଼ବୁଢ଼ା), ନିଅନ୍ତ ସାଙ୍କ ଉପସ୍ଥିତିରେ ଅପରିଚିତ ତିନିଜଣ ଯୁବକ ଆସି ଗୁଳିମାରିଥିବା କହିଥିଲେ । ପୂର୍ବରୁ ଲୋକନାଥଙ୍କ ପରିବାର ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଉକ୍ତ ତିନିଜଣଙ୍କ ସହ ତୁତୁ ମେଁମେଁ ହୋଇଥିଲା । ପୂର୍ବରୁ ଶତ୍ରୁତା ରହିଥିବା ବେଳେ ଏଥର ନିର୍ବାଚନ ସମୟରେ ବାଦବିବାଦ ଅଧିକ ବଢ଼ିଥିବା କୁହାଯାଇଛି । ହତ୍ୟାକାଣ୍ଡରେ ୬ଜଣଙ୍କ ସମେତ ଆହୁରି ଅନେକଙ୍କ ସଂପୃକ୍ତି ଥିବା ଆଶଙ୍କା କରି ତଦନ୍ତକୁ ଜୋରଦାର କରାଯାଇଛି । ଏପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକର ସନ୍ଧାନ ପାଇନଥିବାରୁ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଛି । ଅଟକମାନଙ୍କ ମଧ୍ୟରେ କେତେଜଣ ଅଣଓଡ଼ିଆ ଥିବାରୁ ସେହି ଲିଙ୍କ୍ରେ ପୁଲିସ ରାଜ୍ୟ ବାହାରକୁ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ତେବେ ଆଜି ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେଡି କର୍ମୀମାନେ ହସପିଟାଲ ପରିସରରେ ହୋହାଲ୍ଲା କରିଥିଲେ । ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ବୁଝାସୁଝା କରିବା ପରେ ପରିବାର ବର୍ଗ ଲୋକନାଥଙ୍କ ମୃତଦେହ ନେଇଥିଲେ ।
ପ୍ରକାଶ ଯେ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଲୋକନାଥ ଓ ତାଙ୍କ ସ୍ତ୍ରୀ ଘର ସାମ୍ନାରେ ବସିଥିଲେ । ସେହିସମୟରେ ଦୁଇଜଣ ଯୁବକ ତାଙ୍କ ଘରକୁ ଆସି ଗାଡିରୁ ଓହ୍ଲାଇବା ପରେ ଲୋକନାଥଙ୍କ ସହ କଥାବାର୍ତ୍ତା ହୋଇ ହେଣ୍ଡସେକ୍ କରିଥିଲେ । ପରେ ହଠାତ ବନ୍ଧୁକ ବାହାର କରି ଲୋକନାଥଙ୍କ ଛାତି ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁଳିଫୁଟା ଶବ୍ଦ ଶୁଣି ପଡୋଶୀ ତଥା ପରିବାରବର୍ଗ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଲୋକନାଥଙ୍କୁ ଉଦ୍ଧାର କରି ବେଲପଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons